ଜୟପୁର : ଭୁବନେଶ୍ବରରୁ ଜୟପୁର ଏବଂ ଜୟପୁରରୁ ବିଶାଖାପାଟଣା ପର୍ଯ୍ୟନ୍ତ ‘ଇଣ୍ଡିଆ ୱାନ୍’ ଏୟାର ବିମାନ ସେବାକୁ ପୁଣି ଦୁଇ ଦିନ ପାଇଁ ବାତିଲ କରାଯାଇଛି। କଂପାନି ପକ୍ଷରୁ ଏ ନେଇ ସୂଚନା ଦିଆଯିବା ସହ ୧୯ତାରିଖ ପାଇଁ କଂପାନି ପକ୍ଷରୁ ଅଗ୍ରୀମ ଟିକେଟ୍ ବୁକିଂ କରାଯାଉଛି। ବାରମ୍ବାର ସେବା ବାତିଲ ଏବଂ ବିଳମ୍ବ ଉଡ଼ାଣ ଯୋଗୁ ଯାତ୍ରୀ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଗତ ୧୫ତାରିଖରେ ଜୟପୁର ଏୟାରପୋର୍ଟରେ ‘ଇଣ୍ଡିଆ ୱାନ୍’ ଏୟାର ବିମାନ ଖରାପ ପାଗ ଯୋଗୁ ଅବତରଣ କରିପାରି ନଥିଲା। ସେହିପରି ଦିନେ ଆକାଶ ମେଘୁଆ ରହିବାରୁ ବିମାନ ବିଳମ୍ବରେ ଜୟପୁରରେ ପହଞ୍ଚିଥିଲା। ଆଜି ପୁଣି ଦୁଇ ଦିନ ପାଇଁ ବିମାନ ସେବା ବନ୍ଦ ରହିବ ବୋଲି କଂପାନି ପକ୍ଷରୁ କୁହାଯାଇଛି। ଯନ୍ତ୍ରାଂଶ ମରାମତି ପାଇଁ ବିମାନ ଚଳାଚଳ କରିବ ନାହିଁ ବୋଲି କଂପାନି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଚଳିତ ମାସରେ ଏମିତି ସ୍ଥିତି ଲାଗି ରହିବା ସମ୍ଭାବନାକୁ ଏଡ଼ାଇ ହେବନାହିଁ ବୋଲି ଏୟାରପୋର୍ଟର ଜଣେ କର୍ମଚାରୀ କହିଛନ୍ତି। ଅନ୍ୟପକ୍ଷରେ ପାଣିପାଗ ନିରୀକ୍ଷଣ ନିମନ୍ତେ ଅତ୍ୟାଧୁନିକ ଯନ୍ତ୍ରପାତି ଲଗାଇବାକୁ ପରାମର୍ଶ ଦିଆଯାଇଥିଲେ ସୁଦ୍ଧା ତାହାକୁ ଏଠାରେ କାର୍ଯ୍ୟକାରୀ କରାଯାଇ ନଥିବା ଜଣାପଡ଼ିଛି। ତେଣୁ ସାମାନ୍ୟ ପାଗ ଖରାପ ହେଲେ ସେବା ବନ୍ଦ କରାଯାଉଛି ବୋଲି ସୂଚନା ମିଳିଛି।