୨୪ଘଣ୍ଟା ପାଇଁ ବିମାନ ସେବା ବନ୍ଦ

ଭୁବନେଶ୍ବର : ଶୁକ୍ରବାର ପୂର୍ବାହ୍ନରେ ବାତ୍ୟା ‘ଫନି’ ପୁରୀ ନିକଟରେ ସ୍ଥଳଭାଗ ଛୁଇଁବାକୁ ଥିବାରୁ ଏହାକୁ ନଜରରେ ରଖି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆସନ୍ତା ୨୪ଘଣ୍ଟା ପାଇଁ ବିମାନ ସେବା ବନ୍ଦ ରଖାଯାଇଛି। ଏନେଇ ସ୍ବତନ୍ତ୍ର ରିଲିଫ କମିସନର ଏବଂ ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ବାତ୍ୟା ଆଶଙ୍କାରେ ଆଜି ବିଭିନ୍ନ ବିମାନ କମ୍ପାନି ଶୁକ୍ରବାର ବିମାନ ଉଡ଼ାଣ ବାତିଲ୍‌ ନେଇ ଘୋଷଣା କରିଥିବାବେଳେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ରାତ୍ରିରୁ ୨୪ଘଣ୍ଟା ପାଇଁ ସମସ୍ତ ବିମାନ ଉଡ଼ାଣ ବାତିଲ୍‌ କରାଯାଇଛି। ଏଥିରେ ଭୁବନେଶ୍ବରକୁ ଶୁକ୍ରବାର ଆସିବାକୁ ଥିବା ୪୮ଟି ବିମାନର ଉଡ଼ାଣ ବନ୍ଦ କରାଯାଇଛି। ସେହିପରି ଏୟାର ଏସିଆ ଆଜି ବ୍ୟାଙ୍କକ୍ ଓ କ୍ବାଲାଲମ୍ପୁରରୁ ଆସିବାକୁ ଥିବା ଏବଂ ଯିବାକୁ ଥିବା ବିମାନର ଉଡ଼ାଣ ବାତିଲ୍‌ କରିଛି। ଇଣ୍ଡିଗୋ , ଗୋ ଏୟାର, ଏୟାର ଏସିଆ କର୍ତ୍ତୃପକ୍ଷ ୩ତାରିଖ ସମସ୍ତ ବିମାନର ଉଡ଼ାଣ ବାତିଲ୍‌ କରିଥିବାବେଳେ କେବେ ବିମାନ ସେବା ସ୍ବାଭାବିକ ହେବ ସେନେଇ ଜଣାଯିବ ବୋଲି ଜଣାଇଛନ୍ତି।

ଏହାସହ ବିମାନବନ୍ଦରରେ ‌ଯେପରି କୌଣସି ସମସ୍ୟା ସୃଷ୍ଟି ନହୁଏ କି ବଡ଼ଧରଣର କ୍ଷୟକ୍ଷତି ନହୁଏ ସେଥିପାଇଁ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ବଡ଼ ଧରଣର କ୍ଷୟକ୍ଷତି ନହେଲେ ଶନିବାରଠାରୁ ଭୁବନେଶ୍ବର ବିମାନବନ୍ଦରରୁ ବିମାନ ଉଡ଼ାଣ ସ୍ବାଭାବିକ ହେବ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର