ଭୁବନେଶ୍ୱର ବିମାନ ବନ୍ଦର ପ୍ରସ୍ତୁତ, ରାତି ପାହିଲେ ଆରମ୍ଭ ହେବ ବିମାନ ସେବା

ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ପାଇଁ ସମଗ୍ର ଦେଶ ସମେତ ଓଡ଼ିଶାରେ ଗତ ମାର୍ଚ୍ଚ ୨୫ ତାରିଖଠାରୁ ଲକଡ଼ାଉନ ଜାରି ଥିବାରୁ ସାଧାରଣ ବିମାନ ସେବା ବନ୍ଦ ରହିଥିଲା । କିନ୍ତୁ ଏବେ  ଘରୋଇ ରୁଟରେ ବିମାନ ସେବା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆସନ୍ତାକାଲି (ସୋମବାର)ଠାରୁ ବିମାନ ଚଳାଚଳ ଆରମ୍ଭ ହେଉଛି ।

ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ମଧ୍ୟ କାଲିଠାରୁ ବିମାନ ଚଳାଚଳ ଆରମ୍ଭ ହେବ । ଏଥିପାଇଁ ଭୁବନେଶ୍ୱର ବିମାନ ବନ୍ଦର ପକ୍ଷରୁ ଅତ୍ୟାବଶ୍ୟକ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ବିମାନ ବନ୍ଦରରେ କୋଭିଡ଼ ୧୯ ଗାଇଡ଼ଲାଇନ ଅନୁସାରେ ପ୍ରସ୍ତୁତି କରାଯାଇଛି ।

ସୂଚନା ଅନୁସାରେ ଆସନ୍ତାକାଲି ଭୁବନେଶ୍ୱରରୁ ୧୦ଟି ବିମାନ ହାଇଦ୍ରାବାଦ, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ଝାରସୁଗୁଡ଼ା, ବେଙ୍ଗାଲୁରୁ ଓ କୋଲକାତାକୁ ଯିବ । ସେହିପରି ଏହି ୧୦ଟି ସ୍ଥାନରୁ ଆସିବାକୁ ଥିବା ବିମାନ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବ । ମାତ୍ର କୋଲକାତା, ମୁମ୍ବାଇ ଓ ଅନ୍ୟ କିଛି ସ୍ଥାନରେ ଅସୁବିଧା ଥିବା ଯୋଗୁଁ ୨ରୁ ୩ଟି ବିମାନ ବାତିଲ ହୋଇପାରେ ।

ଏହାରି ମଧ୍ୟରେ ଏଲାଇନ୍ସ ଏୟାର ନିଜର ୨ଟି ବିମାନ କୋଲକାତା ଓ ଭୁବନେଶ୍ୱରରୁ ଝାରସୁଗୁଡ଼ାକୁ ୨୦୨୦ ମେ’ ୨୫ରୁ ୨୭ ଯାଏଁ ବାତିଲ କରିଛି । କିନ୍ତୁ ସ୍ପାଇସ୍ ଜେଟ୍‌ର ବିମାନ ହାଇଦ୍ରାବାଦ ଓ ଦିଲ୍ଲୀରୁ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବ । ନିକଟରେ ବାତ୍ୟା ଅମ୍ଫାନ ଯୋଗୁଁ କୋଲକାତା ବିମାନ ବନ୍ଦରରେ ହୋଇଥିବା କ୍ଷୟକ୍ଷତି ଯୋଗୁଁ ବିମାନ ସେବା ବାତିଲ କରାଯାଇଛି ।

ସମ୍ବନ୍ଧିତ ଖବର