ଝାରସୁଗୁଡ଼ା : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଉଡ଼ାନ-୩ରେ ଆଜି ନୂଆଦିଲ୍ଲୀ ସମେତ ହାଇଦ୍ରାବାଦ ଓ କୋଲକାତାକୁ ବିମାନ ସେବା ଆରମ୍ଭ ହୋଇଛି। ସ୍ପାଇସ ଜେଟ୍ ପକ୍ଷରୁ ଏହି ବିମାନ ସେବା ଯୋଗାଇ ଦିଆଯାଇଛି। ଆଜି ନିର୍ଦ୍ଧାରିତ ସମୟର ଅଧଘଣ୍ଟା ବିଳମ୍ବରେ ୩ଟା ୪୫ ମିନିଟ ସମୟରେ ରାଜଧାନୀ ନୂଆଦିଲ୍ଲୀରୁ ପ୍ରଥମ ବିମାନ ଆସି ଅବତରଣ କରିଥିଲା। ଏହାର ୨୦ ମିନିଟ ପରେ କଲିକତାରୁ ଅନ୍ୟ ବିମାନ ଆସି ପହଞ୍ଚିଥିଲା।
ନୂଆଦିଲ୍ଲୀରୁ ୧୪୨ ଜଣ ଯାତ୍ରୀ ଝାରସୁଗୁଡ଼ାରେ ଅବତରଣ କରିଥିବା ବେଳେ ୧୮୩ ଜଣ ଯାତ୍ରୀ ଝାରସୁଗୁଡ଼ାରୁ ନୂଆଦିଲ୍ଲୀ ଯାତ୍ରା କରିଥିଲେ। ସେହିପରି କୋଲକାତାରୁ ଆସି ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିଥିବା ବିମାନରେ ୧୮ ଜଣ ଯାତ୍ରୀ ଝାରସୁଗୁଡ଼ାରେ ଅବତରଣ କରିଥିବା ବେଳେ ୫୮ ଜଣ ଯାତ୍ରୀ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିଥିଲେ। ଝାରସୁଗୁଡ଼ାରେ ପହଞ୍ଚିଥିବା ଯାତ୍ରୀଙ୍କୁ ବେଦାନ୍ତ ପକ୍ଷରୁ ସିଇଓ ଅଭିଜିତ ପତି, ଲୋକସଂପର୍କ ଅଧିକାରୀ ସଂଜୀବ ପଟ୍ଟନାୟକ, ମାନବ ସମ୍ବଳ ମୁଖ୍ୟ ଚନ୍ଦ୍ରଶେଖର ସାହୁ ପ୍ରମୁଖ ଫୁଲତୋଡ଼ା ଓ ଉପହାର ଦେଇ ସ୍ବାଗତ କରିଥିଲେ।
ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଗତ ସେପ୍ଟେମ୍ବର ୨୨ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଉଦ୍ଘାଟିତ ହୋଇଥିଲା। ଉଡ଼ାନ୍ ଯୋଜନାରେ ଏୟାର ଓଡ଼ିଶାର ପ୍ରଥମ ବିମାନ ରାୟପୁର ଅଭିମୁଖେ ଯାତ୍ରା କରିଥିଲା। ରାୟପୁର ଓ ଭୁବନେଶ୍ବର ମଧ୍ୟରେ ବିମାନ ସେବା ଯୋଗାଉଥିବା ଏୟାର ଓଡ଼ିଶାର ଅନିୟମିତତା ସେବା ଯୋଗୁଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏୟାର ଓଡ଼ିଶାର ଲାଇସେନ୍ସ ବାତିଲ କରିଥିଲା। ଫଳରେ ନୂଆ କରି ଟେଣ୍ଡର ଆହ୍ବାନ କରିଥିଲା। ଏହି ନୂତନ ଟେଣ୍ଡର ପ୍ରକ୍ରିୟାରେ ସ୍ପାଇସ୍ ଜେଟ୍କୁ ୩ଟି ରୁଟ୍ରେ ବିମାନ ଚଳାଚଳ ପାଇଁ ଅନୁମତି ମିଳିଥିଲା। ସ୍ପାଇସ୍ ଜେଟ୍ ଆଜିଠାରୁ ନୂଆଦିଲ୍ଲୀ, ହାଇଦ୍ରାବାଦ ଓ କୋଲକାତା ମଧ୍ୟରେ ବିମାନ ସେବା ଆରମ୍ଭ କରିଛି। ଆଜି ଝାରସୁଗୁଡ଼ା ଭିଏସ୍ଏସ୍ ବିମାନ ବନ୍ଦରରୁ ପ୍ରଥମ କରି ଦେଶର ୩ଟି ସହରକୁ ବିମାନ ସେବା ଆରମ୍ଭ ହୋଇଥିବାରୁ ଜନସାଧାରଣଙ୍କ ମନରେ ଉତ୍ସାହ ଓ ଉତ୍କଣ୍ଠା ବୃଦ୍ଧି ପାଇଛି। ସହରର ବହୁ ବୁଦ୍ଧିଜୀବୀ, ବେଦାନ୍ତ କାରଖାନାର ଅଧିକାରୀବୃନ୍ଦ, ଝାରସୁଗୁଡ଼ା ଏସ୍ପି ଅଶ୍ବିନୀ ମହାନ୍ତି, ଟିଆର୍ଏଲ କ୍ରୋସାକିର ଭାଇସ ପ୍ରେସିଡ଼େଣ୍ଟ ଡ. ତାରାପଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଝାରସୁଗୁଡ଼ାରୁ କୋଲକାତା ଅଭିମୁଖେ ଏକ ବିମାନ ରାତ୍ର ୮.୪୦ରେ ଉଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/SBPHO31-JSG-AIRPORT.jpg)