ବ୍ରହ୍ମପୁର: ହାତରେ ମାତ୍ର ୩ଦିନ। ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରଙ୍ଗେଇଲୁଣ୍ଡା ବିମାନ ଘାଟିରୁ ବିମାନ ଉଡ଼ାଇବା ଉଦ୍ୟମ। ଟର୍ମିନାଲ୍ ଓ ରନ୍ୱେ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ। ପ୍ରଥମ ପର୍ଯ୍ୟାୟରେ ନନ୍ ସିଡ୍ୟୁଲ ପ୍ଲାନ୍ରେ ଆସନ୍ତା ୫ ତାରିଖ ଠାରୁ ରଙ୍ଗେଇଲୁଣ୍ଡାରୁ ବିମାନ ଉଡ଼ିବା ନେଇ ଯୋଜନା ପ୍ରସ୍ତୁତ କରାଯାଇଛି। ରଙ୍ଗେଇଲୁଣ୍ଡା ବିମାନ ଘାଟି ସଂପ୍ରସାରଣ ନିଷ୍ପତ୍ତି ନିଆ ଯାଇଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ନନ୍ ସିଡ୍ୟୁଲ୍ ପ୍ଲାନ୍ରେ ୯ ସିଟ୍ ବିଶିଷ୍ଟ ବିମାନ ଚଳାଚଳ କରିବ। ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ବରକୁ ଯାତାୟାତ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ରଙ୍ଗେଇଲୁଣ୍ଡା ବିମାନ ଘାଟି ଟର୍ମିନାଲ୍ କାମକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ କରା ଯାଉଥିବା ବେଳେ ୪ ତାରିଖ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ରଙ୍ଗେଇଲୁଣ୍ଡା ବିମାନ ଘାଟିରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ବ୍ୟବସ୍ଥା କରାଯାଇ ନାହିଁ। ନନ୍ ସିଡ୍ୟୁଲ୍ ପ୍ଲାନ୍ରେ ଏହାର ବିଶେଷ ଆବଶ୍ୟକତା ନାହିଁ ବୋଲି ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି। ପ୍ରଥମେ ନନ୍ ସିଡ୍ୟୁଲ୍ ପ୍ଲାନ୍ରେ ବିମାନ ଚଳାଚଳ କରିବା ପରେ ପରବର୍ତ୍ତୀ ସମୟରେ ସିଡ୍ୟୁଲ୍ ପ୍ଲାନ୍ କାର୍ଯ୍ୟକାରୀ କରାଯିବା ବ୍ୟବସ୍ଥା ରହିଛି ବୋଲି କହିଛନ୍ତି।
କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ୨୦୧୬ ମସିଆରେ ଆରମ୍ଭ କରା ଯାଇଥିବା ‘ଉଡ଼ାନ୍’ ଯୋଜନାରେ ରଙ୍ଗେଇଲୁଣ୍ଡା ବିମାନ ଘାଟିକୁ ସାମିଲ କରାଯାଇଛି। ଉଡ଼ାନ୍ ୪.୧ ରାଉଣ୍ଡ୍ରେ ରାଜ୍ୟ ସରକାର ଭୁବନେଶ୍ବର-ରଙ୍ଗେଇଲୁଣ୍ଡା-ଭୁବନେଶ୍ବର ମଧ୍ୟରେ ବିମାନ ଚଳାଚଳ ପାଇଁ ଅନୁରୋଧ କରିଥିଲେ। ଏହି କ୍ରମରେ ୯ ସିଟ୍ ବିଶିଷ୍ଟ ବିମାନ ଚଳାଚଳ ପାଇଁ ଅନୁମତି ଦିଆ ଯାଇଥିବା ନେଇ ଆର୍ସିଏସ୍( ରୁରାଲ୍ କନେକ୍ଟିଭିଟି ସ୍କିମ୍)ର ଜେନେରାଲ୍ ମ୍ୟାନେଜର ଗତକାଲି ଫେବ୍ରୁଆରି ୨୮ରେ ଏକ ଚିଠି କରିଥିବା ଜଣାଯାଇଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ରଙ୍ଗେଇଲୁଣ୍ଡା ବିମାନ ଘାଟିର ସଂପ୍ରସାରଣ ଓ ବିକାଶ ପାଇଁ ୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।
ପ୍ରକାଶ ଥାଉକି, ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା ନେଇ ଦୀର୍ଘ ବର୍ଷ ହେଲା ଦାବି ହୋଇଆସୁଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ରଙ୍ଗେଇଲୁଣ୍ଡାସ୍ଥିତ ଏୟାର୍ଷ୍ଟ୍ରିପ୍କୁ ସଂପ୍ରସାରଣ କରାଯିବା ନେଇ ପ୍ରସ୍ତାବ ଦେଇଥିଲେ। ଏହାର ସଂପ୍ରସାରଣ ପାଇଁ ଜମି ଆବଶ୍ୟକ ପଡ଼ୁଥିବା ଏବଂ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ଜମିକୁ ଅଧିଗ୍ରହଣ କରିବା ପାଇଁ ପ୍ରସ୍ତାବ ଦିଆ ଯାଇଥିଲା। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏହି କ୍ରମରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି କରି ଆବଶ୍ୟକ ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ କରିଥିଲେ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଜମି ଚିହ୍ନଟ କରି ଉଚ୍ଚ ଶିକ୍ଷା ବିଭାଗକୁ ଅବଗତ କରିବା ପରେ ବିଭାଗ ଏହି ଜମିକୁ ରାଜସ୍ବ ବିଭାଗକୁ ହସ୍ତାନ୍ତର କରିଛି। ସରକାରୀ ଜମି ସହ ବେସରକାରୀ ଜମି ଆବଶ୍ୟକ ପଡ଼ୁଥିବା ଯୋଗୁଁ ଏହାକୁ ଅଧିଗ୍ରହଣ କରିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ସଂପ୍ରସାରଣ କାର୍ଯ୍ୟ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର ହୋଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ରଙ୍ଗେଇଲୁଣ୍ଡା ବିମାନ ଘାଟିର ସଂପ୍ରସାରଣ ପାଇଁ ଟେଣ୍ଡର୍ ଆହ୍ବାନ କରା ଯାଇଥିବା ବେଳେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଟେଣ୍ଡର୍ ପ୍ରକ୍ରିୟାରେ ଜଣେ ମାତ୍ର ଭାଗ ନେଇଥିବାରୁ ଏହାକୁ ବାତିଲ କରି ଦିଆଯାଇଛି। ଏଥିନେଇ ପୁନଃଟେଣ୍ଡର୍ ଆହ୍ବାନ କରାଯିବ ବୋଲି ସୂଚନା ମିଳିଛି। ସଂପ୍ରସାରଣ ପ୍ରକ୍ରିୟା ମୂଳରୁ ଆରମ୍ଭ ହୋଇ ନଥିବା ବେଳେ ନନ୍ ସିଡ୍ୟୁଲ୍ ପ୍ଲାନ୍ରେ ଆସନ୍ତା ୫ ତାରିଖ ଠାରୁ ୯ସିଟ୍ ବିଶିଷ୍ଟ ବିମାନ ଉଡ଼ିବା ନେଇ ସମସ୍ତ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି।