ରାଉରକେଲା: ପ୍ରତୀକ୍ଷାର ଅନ୍ତ ଘଟିଛି। ଆସନ୍ତାକାଲି (ଶନିବାର)ଠୁ ରାଉରକେଲା ବିମାନବନ୍ଦରରୁ ଦୈନିକ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ସକାଳ ୧୦ଟା ୪୫ ମିନିଟ୍ରେ ଆଲିଆନ୍ସ ଏୟାର (ଏଟିଆର-୭୨) ଭୁବନେଶ୍ବର ବିମାନବନ୍ଦରରୁ ରାଉରକେଲା ବାହାରିବ। ପୂର୍ବାହ୍ନ ୧୧ଟା ୪୦ ମିନିଟ୍ରେ ରାଉରକେଲା ବିମାନବନ୍ଦରରେ ଅବତରଣ କରିବ। ପୁଣି ରାଉରକେଲା ବିମାନବନ୍ଦରରୁ ଅପରାହ୍ନ ୧୨ଟା ୫ ମିନିଟ୍ରେ ଭୁବନେଶ୍ବର ଅଭିମୁଖେ ବାହାରିବ। ଅପରାହ୍ନ ୧ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବ।
ରାଉରକେଲାରୁ ଭୁବନେଶ୍ବର ବିମାନ ଭଡା ୨୭୨୧ ଟଙ୍କା ରହିଥିଲାବେଳେ ଭୁବନେଶ୍ବରରୁ ରାଉରକେଲା ବିମାନଭଡା ୨୮୩୦ ଟଙ୍କା ରହିଛି। ଭୁବନେଶ୍ବରରୁ ରାଉରକେଲା ଆସୁଥିବା ବିମାନରେ ନ୍ୟୁଜିଲାଣ୍ଡ ଖେଳାଳୀ ଆସୁଥିବା ଜଣାପଡିଛି। ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୈନିକ ବିମାନ ସେବାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଗତ ଡିସେମ୍ବର ୩୦ ଅପରାହ୍ନରେ ରାଉରକେଲା ବିମାନବନ୍ଦରରେ ଆଲାଇନ୍ସ ଏୟାର ଏଟିଆର - ୭୨ ବିମାନର ପରୀକ୍ଷଣ ଅବତରଣ ସୁଚାରୁ ଓ ସଫଳତାର ସହ ସମ୍ପାଦନ ହୋଇଥିଲା। ଅପରାହ୍ନ ପ୍ରାୟ ୩ଟା ୨୦ ମିନିଟ୍ରେ ରାଉରକେଲା ବିମାନ ବନ୍ଦରରେ ଅବତରଣ କରିଥିଲା। ୨୫ ମିନିଟ୍ ପରେ ଅର୍ଥାତ୍ ପ୍ରାୟ ୩ଟା ୪୫ ମିନିଟ୍ରେ ରାଉରକେଲାରୁ ଝାରସୁଗୁଡା ବିମାନବନ୍ଦର ଅଭିମୁଖେ ଉଡାଣ କରିଥିଲା।