ଉତ୍କେଲାରୁ ଭୁବନେଶ୍ବରକୁ ଉଡ଼ିଲା ବିମାନ : ଉଡ଼ାଜାହାଜ ଦେଖି ନପାରି ଅସନ୍ତୋଷ ଝାଡ଼ିଲେ ସ୍ଥାନୀୟ ବାସିନ୍ଦା

ଉତ୍କେଲା: ରାଜ୍ୟର ରାଜଧାନୀ ଭୁବନେଶ୍ୱରରୁ ଉତ୍କେଲାକୁ ଗୁରୁବାର ଦିନ ବିମାନ ସେବା ଆରମ୍ଭ ହୋଇଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟପ୍ରଦେଶର ଗ୍ୱାଲିୟରରୁ ଭର୍ଚୁଆଲରେ ଏହାର ଶୁଭାରମ୍ଭ କରିଥିଲେ। ଭୁବନେଶ୍ୱରରେ ଫ୍ଲାଗଅପ୍ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉତ୍କେଲାରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ ଉତ୍କେଲାକୁ ୯ ସିଟ୍ ବିଶିଷ୍ଟ ଯାତ୍ରୀବାହୀ ବିମାନ ପ୍ରାଥମିକ ପର୍ଯ୍ୟାୟରେ ସପ୍ତାହର ଦୁଇ ଦିନ (ମଙ୍ଗଳବାର ଓ ଗୁରୁବାର) ଚଳାଚଳ କରିବ ବୋଲି ସୂଚନା ଦିଆଯାଇଛି। ଏହାର ଟିକେଟର ମୂଲ୍ୟ ୧୦୪୦ ଟଙ୍କା ରଖାଯାଇଛି।

ଭୁବନେଶ୍ବର ବିମାନ ଉଡ଼ିବ ବୋଲି ଆଜି ‌ଉତ୍କେଲା ବିମାନବନ୍ଦରରେ ସ୍ଥାନୀୟ ଜନତାଙ୍କର ପ୍ରବଳ ଭିଡ଼ ଦେଖାଯାଇଥିଲା। ବିମାନବନ୍ଦର ସୁରକ୍ଷା ନେଇ ଗାଁଗହଳିରେ ରହୁଥିବା ଲୋକଙ୍କର ଯଦିଓ ଧାରଣା ନାହିଁ, ତଥାପି ସେମାନେ ଉଦ୍‌ଘାଟନୀ ଅବସରରେ ପହଞ୍ଚିଥିଲେ। ଏଥି ଲାଗି ଆୟୋଜିତ ସଭାରେ ଦୁଇ ହଜାରରୁ ଊର୍ଦ୍ଧ୍ବ ଲୋକ ଯୋଗ ଦେଇଥିଲେ। ସେହିପରି ବିନା ନିମନ୍ତ୍ରଣରେ ମଧ୍ୟ ବିମାନ ଦେଖିବା ପାଇଁ ଶହଶହ ଲୋକ ପହଞ୍ଚିଥିଲେ। ସଭାକାର୍ଯ୍ୟ ପୂର୍ବାହ୍ନ ୮ଟାରେ ଆରମ୍ଭ ‌ହୋଇଥିଲା। ଭୁବନେଶ୍ବରରୁ ବିମାନ ଦିନ ୧୧ଟାରେ ପହଞ୍ଚିଲା ପରେ ସଭା କାର୍ଯ୍ୟ ବନ୍ଦ ହୋଇଥିଲା। ବିମାନ ପହଞ୍ଚିବା ପରେ ମଂଚାସୀନ ଅତିଥିମାନେ ସମସ୍ତେ ଟିକେଟ କାଉଣ୍ଟର ଉଦ୍‌ଘାଟନ କରି ରନ୍‌ୱେ ଭିତରକୁ ପ୍ରବେଶ କରିଥିଲେ। କିନ୍ତୁ ଜନସାଧାରଣଙ୍କ ରନ୍‌ୱେ ଭିତରକୁ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ବିମାନ ଦେଖିବାକୁ ଆସିଥିବା ଜନସାଧାରଣଙ୍କୁ ବିମାନବନ୍ଦର ଭିତରକୁ ପ୍ରବେଶ କରିବା ପାଇଁ ସୁଯୋଗ ମିଳି ନଥିଲା। ଶେଷରେ ସେମାନେ ନିରାଶ ହୋଇ ଫେରିଥିଲେ।

୨୬ଟି ପଞ୍ଚାୟତକୁ ନେଇ ଗଠିତ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ଉତ୍କେଲାରୁ ବିମାନ ଚଳାଚଳ ନେଇ ଅଞ୍ଚଳବାସୀ ବହୁ ଉତ୍ସାହିତ ଥିବା ବେଳେ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧିଙ୍କୁ ମଧ୍ୟ ବିମାନବନ୍ଦର ଭିତରକୁ ପ୍ରବେଶ କରାଯାଇ ନଥିଲା। ଫଳରେ ସେ ବହୁ ଅସନ୍ତୋଷ ପ୍ରକାଶ କରିଥିଲେ। ସେହିପରି ବିମାନବନ୍ଦର ପାଇଁ ଯେଉଁମାନେ ଜମି ହରାଇଥିଲେ, ସେହି ଲୋକମାନଙ୍କୁ ମଧ୍ୟ ଉଦ୍‌ଘାଟନୀ ଅବସରରେ ଭିତରକୁ ପ୍ରବେଶ କରାଯାଇ ନଥିଲା। ଲୋକଙ୍କର କହିବା ଅନୁସାରେ ଯଦି ସାଧାରଣ ଜନତାଙ୍କୁ ବିମାନବନ୍ଦର ଭିତରକୁ ପ୍ରବେଶ ପାଇଁ ମନା କରାଗଲା, ତା‌ହେଲେ ଏତେ ବଡ଼ ଆୟୋଜନର ଆବଶ୍ୟକତା କ’ଣ ଦରକାର ଥିଲା। ସାଧାରଣଜନତାଙ୍କୁ କାହିଁକି ମୂଳରୁ ବାରଣ କରାଗଲା ନାହିଁ। 

ବିମାନବନ୍ଦର ଭିତରକୁ ସାମ୍ବାଦିକମାନଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଥିଲା। ମାତ୍ର କ୍ଷୋଭର କଥା ହେଲା ଯେ, ୧୦ଟି ଏସ୍‌ଏଚ୍‌ଜି ମହିଳା ଗ୍ରୁପର ସଦସ୍ୟ ଭିତରକୁ ଯିବା ପାଇଁ ଅନୁମତି ଦିଆଯାଇଥିଲା। ସେହି ମହିଳାମାନେ ରନ୍‌ୱେ ଭିତରକୁ ଯାଇ ବିମାନରୁ ଓହ୍ଲାଇଥିବା ଯାତ୍ରୀମାନଙ୍କୁ ସ୍ବାଗତ କରିଥିଲେ। ଜନସାଧାରଣଙ୍କୁ ଭିତରକୁ ପ୍ରବେଶ କରିବା ପାଇଁ ସୁଯୋଗ ଦିଆନଯିବାରୁ ତୀବ୍ର ଅସନ୍ତୋଷ ଦେଖାଯିବା ସହିତ ସେଠାରେ ପାଟିତୁଣ୍ଡ ହୋଇଥିଲା।

ବିମାନବନ୍ଦର ବାହାର ପାର୍ଶ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ରାଜ୍ୟସଭା ସାଂସଦ ସୁଜିତ କୁମାର, କଳାହାଣ୍ଡି ସଦର ବିଧାୟକ ପ୍ରଦୀପ୍ତ ନାଏକ, ନର୍ଲା ବିଧାୟକ ଭୁପିନ୍ଦର ସିଂହ, ଧର୍ମଗଡ଼ ବିଧାୟକ ମୌସୁଧୀ ବାଘ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ନୃପରାଜ ଯାଦବ, ଜିଲ୍ଲାପାଳ ଅନ୍ବେଷା ରେଡ୍ଡୀ, ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜୀ ପ୍ରମୁଖ ମଂଚାସୀନ ଥିଲେ। ଭୁବନେଶ୍ବର-ଉତ୍କେଲା ବିମାନର ପ୍ରଥମ ଯାତ୍ରୀ ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ସାଂସଦ ବସନ୍ତ ପଣ୍ଡା, ବିଧାୟକ ପ୍ରଦୀପ୍ତ କୁମାର ନାୟକଳ ବିଜେଡି ନେତା ପୁଷ୍ପେନ୍ଦ୍ର ସିଂଦେଓ, ଭୂପେନ୍ଦ୍ର ସିଂଦେଓ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯାତ୍ରା କରିଥିଲେ। ଅପରପକ୍ଷେ ଉତ୍କେଲା-ଭୁବନେଶ୍ବର ବିମାନରେ ଉତ୍କେଳା ଗ୍ରାମର ନିଳକଣ୍ଠ ସରାଫ ପ୍ରଥମ ଯାତ୍ରୀ ଥିଲେ। ସେ ଅନ୍‌ଲାଇନ୍‌ରେ ଟିକେଟ୍‌ କିଣିଥିଲେ। ସେଥିପାଇଁ ତାଙ୍କୁ ୯୪୦ ଟଙ୍କାରେ ଟିକେଟ୍‌ କିଣିବାକୁ ପଡ଼ିଥିଲା। ଶ୍ରୀ ସରାଫଙ୍କୁ ସଭାସ୍ଥଳରେ ସମ୍ମାନିତ କରାଯାଇଥିଲା।

ସୂଚନାଯୋଗ୍ୟ, ଉତ୍କେଲା ବିମାନବନ୍ଦରରୁ ଭୁବନେଶ୍ବରକୁ ପ୍ରଥମେ ସପ୍ତାହକୁ ଦୁଇ ଦିନ ମଙ୍ଗଳବାର ଓ ଗୁରବାର ଏହି ବିମାନସେବା ଉପଲବ୍ଧ ହେବ। ପରେ ସପ୍ତାହକୁ ସବୁଦିନ ବିମାନ ଉଡ଼ିବ। ଉଭୟ ଦିନ ସକାଳ ୭ଟା ୧୫ରେ ଭୁବନେଶ୍ବରରୁ ଏହି ବିମାନ ଯାତ୍ରା ଆରମ୍ଭ କରିବ। ଏହା  ୮ଟା ୨୫ରେ ଉତ୍କେଲାରେ ପହଞ୍ଚିବ। ସେହିପରି ଉତ୍କେଲାରୁ ସକାଳ ୮ଟା ୫୦ରେ ବାହାରି ୧୦ଟାରେ ଭୁବନେଶ୍ବରରେ ପହଞ୍ଚିବ। ଏହି ବିମାନ ଚଳାଚଳ ଦ୍ବାରା ମାତ୍ର ଘଣ୍ଟେ ଦଶ ମିନିଟରେ ଭୁବନେଶ୍ବରରୁ କଳାହାଣ୍ଡି ପହଞ୍ଚି ହେବ। ଏଥିସହ କଳାହାଣ୍ଡିରୁ ଖୁବ୍ ଶୀଘ୍ର ରାୟପୁରକୁ ବିମାନସେବା ଆରମ୍ଭ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର