ବିମାନ ଚଳାଚଳ ଆରମ୍ଭ

ଭୁବନେଶ୍ବର :ବାତ୍ୟା ପାଇଁ ୨ତାରିଖ ମଧ୍ୟରାତ୍ରିରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ସେବା ବନ୍ଦ ହୋଇଥିବାବେଳେ ଆଜି ଅପରାହ୍‌ଣରୁ ବିମାନ ସେବା ଆରମ୍ଭ ହୋଇଛି। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଦିନତମାମ୍ ସମସ୍ତ ବିମାନ ଉଡ଼ାଣ ବାତିଲ୍‌ ଥିବାବେଳେ ଅପରାହ୍‌ଣରେ ରାଞ୍ଚିରୁ ଏୟାର ଆଲିଆନ୍ସର ବିମାନ ଆସି ଅବତରଣ କରିଛି। ଏହାପରେ ଅପରାହ୍‌ଣ ୫ଟା ୨୦ରୁ ଇଣ୍ଡିଗୋ ଭୁବନେଶ୍ବର ବିମାନବନ୍ଦରରୁ ବିମାନ ସେବା ଆରମ୍ଭ କରିଛି। ରବିବାର ସମସ୍ତ ବିମାନ ଉଡ଼ାଣ କରିବାର ଯୋଜନା ଅଛି ବୋଲି ବିମାନବନ୍ଦର ସୂତ୍ରରୁ ଜଣାପଡ଼ିଛି। ବାତ୍ୟା ଫନି ମାଡ଼ରେ ଭୁବନେଶ୍ବର ବିମାନବନ୍ଦର ଟର୍ମିନାଲର ଛାତ ଉଡ଼ି ଯାଇଥିବାବେଳେ କିଛି ଯନ୍ତ୍ରାଂଶ ଭା‌ଙ୍ଗି ଯାଇଥିଲା। ଏପରିକି କେତେକ କାଚ କବାଟ, ସିଲିଂ ଭାଙ୍ଗି ଯାଇଥିଲା। ସେହିପରି ବିମାନବନ୍ଦର ବାହାରେ ଭାଙ୍ଗି ଯାଇଥିବା ଟର୍ମିନାଲର ଆଜି ମରାମତି କରାଯାଇଛି। ବିମାନବନ୍ଦର ବାହାରେ ରାସ୍ତା ଅବରୋଧ କରିଥିବା ଗଛଗୁଡ଼ିକୁ କାଟି ହଟାଇ ଦିଆଯାଇଛି। ବିମାନବନ୍ଦରକୁ ଯାତାୟାତ କରିବା‌ରେ କିଛି ସମସ୍ୟା ନାହିଁ। ଅପରପକ୍ଷେ ଭୁବନେଶ୍ବରରେ ବସ୍‌ ସେବା ସ୍ବାଭାବିକ ହୋଇନାହିଁ। ବରମୁଣ୍ଡା ବସଷ୍ଟାଣ୍ଡରୁ ରାଜ୍ୟର କିଛି ଅଞ୍ଚଳକୁ ବସ୍‌ ଚଳାଚଳ କରିଥିଲା। କିନ୍ତୁ ମୋ’ ବସ୍‌ କି କୌଣସି ଟାଉନ୍ ବସ୍ ଆଜି ଚଳାଚଳ କରିନି।

ସମ୍ବନ୍ଧିତ ଖବର