ସୁରତରୁ ଭୁବନେଶ୍ୱର ଉଡ଼ିଲା ବିମାନ : ପ୍ରଥମ ଦିନରେ ଆସିଲେ ୮୧ ଯାତ୍ରୀ, ସପ୍ତାହକୁ ଦୁଇ ଦିନ ଯିବ, ଦୁଇ ଦିନ ଆସିବ

ଭୁବନେଶ୍ବର : ଆଜିଠାରୁ ସୁରତରୁ ଭୁବନେଶ୍ବରକୁ ସିଧାସଳଖ ବିମାନସେବା ଆରମ୍ଭ ହୋଇଛି। ଏୟାର ଇଣ୍ଡିଆ ବିମାନ ଏଆଇ-୫୧୯ ଆଜି ସକାଳ ୮ଟା ୪୦ରେ ସୁରତରୁ ବାହାରି ଭୁବନେଶ୍ବରରେ ୧୦ଟା ୪୦ରେ ଅବତରଣ କରିଥିଲା। ଏଥିରେ ୮୧ଜଣ ଯାତ୍ରୀ ସୁରତରୁ ଭୁବନେଶ୍ବର ଆସିଥିଲେ। ଆଜି ଆସିଥିବା ୮୧ଜଣ ଯାତ୍ରୀଙ୍କ ମଧ୍ୟରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଏହି ବିମାନରେ ଆସିଥିଲେ।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଏହି ବିମାନଟି ପ୍ରତି ସୋମବାର ଓ ଗୁରୁବାର ସୁରତରୁ ଭୁବନେଶ୍ବରକୁ ଚଳାଚଳ କରିବ। ସେହିପରି ପ୍ରତି ଶୁକ୍ରବାର ଓ ରବିବାର ଏହି ବିମାନ ସକାଳ ୮ଟା ୪୦ରେ ଭୁବନେଶ୍ବରରୁ ବାହାରି ପୂର୍ବାହ୍ନ ୧୦ଟା ୪୦ରେ ସୁରତରେ ଅବତରଣ କରିବ। ଅନ୍ୟ ଦିନରେ ସୁରତରୁ ଭୁବନେଶ୍ବରକୁ ଫେରିବାକୁ ଥିବା ଯାତ୍ରୀ ଭାୟା ଦିଲ୍ଲୀ, କୋଲକାତା ବା ଅନ୍ୟ କୌଣସି ସହର ହୋଇ ଆସିବେ। ଆଉ ଭୁବନେଶ୍ବରରୁ ସୁରତକୁ ଯିବାକୁ ଚାହୁଁଥିବା ଯାତ୍ରୀ ଏହି ସବୁ ସହର ଦେଇ ଯାଇପାରିବେ।

ଆଜି ଏହି ବିମାନରେ ସୁରତରୁ ଆସିଥିବା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ସୁରତରୁ ଭୁବନେଶ୍ବରକୁ ବିମାନ ସେବା ଆରମ୍ଭ କରିବା ପାଇଁ ତିନି ମାସ ହେଲା ଆମେ ଉଦ୍ୟମ ଚଳାଇଥିଲୁ। ଆଜି ଏହା ସଫଳ ହୋଇଛି। ଏହାଦ୍ବାରା ସୁରତରେ ରହୁଥିବା ଲକ୍ଷାଧିକ ଓଡ଼ିଆ ଉପକୃତ ହେବେ। ଏହି ସିଧାସଳଖ ବିମାନ ସେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଏୟାର ଇଣ୍ଡିଆ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଅଶ୍ବିନୀ ଲୋହାନିଙ୍କ ପାଇଁ ସମ୍ଭବ ହୋଇପାରିଛି। ଏଥିପାଇଁ ସମସ୍ତଙ୍କୁ ସେ କୃତଜ୍ଞତା ଜଣାଇଥିଲେ।

ସୁରତରୁ ଭୁବନେଶ୍ବର ସିଧାସଳଖ ବିମାନସେବା ଆରମ୍ଭ କରିବାକୁ ସୁରତରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଦୀର୍ଘଦିନ ହେଲା ଦାବି କରି ଆସୁଥିଲେ। ୨୦୧୭ ନଭେମ୍ବରରେ କେନ୍ଦ୍ରମନ୍ତ୍ରୀ ଧ‌େର୍ମନ୍ଦ୍ର ପ୍ରଧାନ କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖି ଏହି ଦାବି ସଂପର୍କରେ ଅବଗତ କରାଇଥିଲେ। ପୁଣି ୨୦୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏ ‌େନଇ କେନ୍ଦ୍ରକୁ ଚିଠି ଲେଖିଥିଲେ। ଗତବର୍ଷ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଏହି ପ୍ରସଙ୍ଗରେ କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର