ଜୁନ୍‌ ୧୪ରୁ ଝାରସୁଗୁଡ଼ାରୁ ବିମାନ ଉଡ଼ାଣ : ରାଞ୍ଚି, ଭୁବନେଶ୍ୱର ଓ ରାୟପୁରକୁ ଉଡ଼ାଣ ଆରମ୍ଭ ହେବ

ଭୁବନେଶ୍ୱର ଝାରସୁଗୁଡ଼ା ବିମାନବନ୍ଦରକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପୂର୍ଣ୍ଣ ବିମାନବନ୍ଦରର ମାନ୍ୟତା ଦେବା ପରେ ଏଠାରୁ ବିମାନ ଉଡ଼ାଣ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଉଡ଼ାଣ ଯୋଜନାରେ ଝାରସୁଗୁଡାରୁ ବିମାନ ଉଡ଼ାଣ ପାଇଁ ଏୟାର ଓଡ଼ିଶା ବିଡିଂ ପାଇଥିବାବେଳେ ଆସନ୍ତା ଜୁନ୍‌ ୧୪ତାରିଖରୁ ବିମାନ ସେବା ଆରମ୍ଭ କରିବ ବୋଲି ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏୟାର ଓଡ଼ିଶା ସୂଚନା ଅନୁଯାୟୀ, ଜୁନ୍‌ ୧୪ତାରିଖରୁ ଝାରସୁଗୁଡ଼ାରୁ ଭୁବନେଶ୍ୱର, ଝାରସୁଗୁଡ଼ାରୁ ରାୟପୁର ଏବଂ ଝାରସୁଗୁଡ଼ାରୁ ରାଞ୍ଚିକୁ ବିମାନ ଉଡ଼ାଣ ଆରମ୍ଭ ହେବ। ଏଥିପାଇଁ ଗୋଟିଏ ୧୮ସିଟ୍‌ର ଦୁଇ ଇଞ୍ଜିନ ବିଶିଷ୍ଟ ବିମାନ ବ୍ୟବହାର ହେବ।

ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏୟାର ଓଡ଼ିଶା ବିମାନ ସକାଳ ୫ଟା ୫୦ରେ ଭୁବନେଶ୍ୱରରୁ ଉଡ଼ାଣ ଆରମ୍ଭ କରି ୬ଟା ୪୦ରେ ଝାରସୁଗୁଡ଼ାରେ ପହଞ୍ଚିବ। ଏହାପରେ ଝାରସୁଗୁଡ଼ାରୁ ରାଞ୍ଚି ଯିବ। ରାଞ୍ଚିରୁ ଝାରସୁଗୁଡ଼ା ବିମାନ ଫେରିବା ପରେ ରାୟପୁରକୁ ଯିବ। ରାୟପୁରରୁ ବିମାନ ଭାୟା ଝାରସୁଗୁଡ଼ା ହୋଇ ଭୁବନେଶ୍ୱର ଆସିବ। ବିମାନଟି ରାତିରେ ଭୁବନେଶ୍ୱରରେ ପାର୍କିଂ କରିବ। ଉଡ଼ାଣ ସୂଚୀକୁ ଡିଜିସିଏ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ କରାଯାଇଛି। ଉଡ଼ାଣ ଯୋଜନାରେ କେନ୍ଦ୍ର ସରକାର ପ୍ରତି ଉଡ଼ାଣ ପିଛା ସବ୍‌ସିଡି ଦେବାକୁ ଥିବାବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିମାନ ଭଡ଼ା ଭୁବନେଶ୍ୱରରୁ ଝାରସୁଗୁଡ଼ାକୁ ପ୍ରାୟ ୧୭୫୦ ଟଙ୍କା ଏବଂ ଝାରସୁଗୁଡ଼ାରୁ ରାଞ୍ଚି ଓ ରାୟପୁରକୁ ପ୍ରାୟ ୧୬୭୦ଟଙ୍କା ଭଡ଼ା ରଖିବାକୁ ସ୍ଥିର ହୋଇଛି। ଅପରପକ୍ଷେ ଉଡ଼ାଣ ଯୋଜନାରେ ରାଉରକେଲା, ଉତ୍‌କେଲା ଓ ଜୟପୁରରୁ ବିମାନ ଉଡ଼ାଣ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲେ ହେଁ ଏହି ତିନିଟି ବିମାନବନ୍ଦରକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ବିମାନବନ୍ଦର ମାନ୍ୟତା ଦେଇ ନ ଥିବାରୁ ଏଠାରୁ ବିମାନ ଉଡ଼ାଣ ଏବେ ଆରମ୍ଭ ହେବନି। କିନ୍ତୁ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରାଉରକେଲା ବିମାନବନ୍ଦରରେ ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ ହୋଇଥିବାରୁ ଖୁବ୍‌ ଶୀଘ୍ର ଏହାକୁ ବିମାନବନ୍ଦର ମାନ୍ୟତା ଦିଆଯିବ। ଉତ୍‌କେଲା ଓ ଜୟପୁର ବିମାନବନ୍ଦରରେ ଆବଶ୍ୟକୀୟ ଭିତ୍ତିଭୂମି ତୁରନ୍ତ ଯୋଗାଇ ଦେବାକୁ ଓଡ଼ିଶା ସରକାରଙ୍କୁ କୁହାଯାଇଛି ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

ସମ୍ବନ୍ଧିତ ଖବର