ଆଜିଠୁ ବିମାନ ଉଡ଼ିବ: ୧୦ ଆସିବ, ୧୦ ଯିବ

ଭୁବନେଶ୍ବର : ସୋମବାର ଠାରୁ ଭୁବନେଶ୍ବରରୁ ବିମାନ ଉଡ଼ାଣ ଆରମ୍ଭ ହେବ। ଏଥିପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଜୋରଦାର୍ ପ୍ରସ୍ତୁତି କରିଛନ୍ତି। ଯାତ୍ରୀଙ୍କ ମଧ୍ୟରେ ଯେପରି ସାମାଜିକ ଦୂରତା ରହିବ ସେନେଇ ଆଜି ମକ୍‌ ଡ୍ରିଲ୍‌ ହୋଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏସ୍‌ଓପି ଅନୁଯାୟୀ ଭୁବନେଶ୍ବର ବିମାନବନ୍ଦରକୁ ଏବେ ୧୦ଟି ବିମାନ ଆସିବ ଓ ୧୦ଟି ବିମାନ ଯିବାକୁ ଅନୁମତି ମିଳିଛି। ମେ’ ୨୫ରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ବିମାନର ଉଡ଼ାଣ ସୂଚୀ ସ୍ଥିର ହୋଇଛି।

ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ଭି.ଭି ରାଓଙ୍କ ସୂଚନା ଅନୁଯାୟୀ, ୭ଟି ସହରରୁ ୧୦ଟି ବିମାନ ଆସିବ ଓ ୧୦ଟି ବିମାନ ଏଠାରୁ ଯିବ। ସକାଳ ୬ ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ବିମାନବନ୍ଦର ଖୋଲା ରହିବ। କିନ୍ତୁ ସକାଳ ୮ଟାରୁ ରାତି ୧୧ଟା ମଧ୍ୟରେ ବିମାନ ଉଡ଼ାଣ କରିବ।

ଏବେ ଭୁବନେଶ୍ବରକୁ ହାଇଦ୍ରାବାଦ, ଦିଲ୍ଲୀ, ଝାରସୁଗୁଡ଼ା, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, ମୁମ୍ବାଇକୁ ବିମାନ ଉଡ଼ାଣ ନେଇ ନିଷ୍ପତ୍ତି ହୋଇଛି। କୋଲକାତା ବିମାନବନ୍ଦର ଓ ମୁମ୍ବାଇ ବିମାନବନ୍ଦରରେ ଏବେ ବିମାନ ଉଡ଼ାଣ ନେଇ କିଛି ସମସ୍ୟା ଥିବାରୁ ଏଠାରୁ ବିମାନ ଉଡ଼ାଣ ଶେଷ ମୁହୂର୍ତ୍ତରେ ବାତିଲ୍‌ ହେବାର ସମ୍ଭାବନା ଅଛି।

ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଇଣ୍ଡିଗୋ ବିମାନ ହାଇଦ୍ରାବାଦରୁ ଭୁବନେଶ୍ବର ଆସି ଏଠାରେ ସକାଳ ୮ଟା ୧୦ରେ ପହଞ୍ଚିବ। ଏଠାରୁ ହାଇଦ୍ରାବାଦ ଅଭିମୁଖେ ୮ଟା ୪୦ରେ ଉଡ଼ାଣ କରିବ। ଭିସ୍ତାରା ବିମାନ ଦିଲ୍ଲୀରୁ ଆସି ୯ଟା ୫ରେ ପହଞ୍ଚିବ ଏବଂ ଏଠାରୁ ୯ଟା ୪୦ରେ ଯିବ। ଆଲିଆନ୍ସ ଏୟାରର ବିମାନ ଝାରସୁଗୁଡ଼ାରୁ ଆସି ଏଠାରେ ୧୦ଟା ୧୦ରେ ପହଞ୍ଚିବ ଓ ଏଠାରୁ ୧୦ଟା ୪୦ରେ ଯିବ। ଇଣ୍ଡିଗୋ ବିମାନ ‌କୋଲକାତାରୁ ଆସି ଅପରାହ୍ନ ୪ଟା ୩୦ରେ ପହଞ୍ଚିବ ଓ ଏଠାରୁ ୫ଟାରେ ଯିବ। ଇଣ୍ଡିଗୋ ବିମାନ ଚେନ୍ନାଇରୁ ଆସି ୫ଟା ୩୦ରେ ପହଞ୍ଚିବ ଓ ଏଠାରୁ ୬ଟାରେ ଯିବ। ଏୟାର ଇଣ୍ଡିଆ ବିମାନ ଦିଲ୍ଲୀରୁ ଆସି ଏଠାରେ ୬ଟା ୩୦ରେ ପହଞ୍ଚିବ ଓ ଏଠାରୁ ୭ଟା ୧୦ରେ ଯିବ। ଏୟାର ଏସିଆ ବିମାନ ବେଙ୍ଗାଲୁରୁରୁ ଆସି ୭ଟା ୩୫ରେ ପହଞ୍ଚିବ ଓ ୮ଟା ୧୦ରେ ଯିବ। ଇଣ୍ଡିଗୋ ବିମାନ ବେଙ୍ଗାଲୁରୁରୁ ଆସି ୮ଟା ୩୫ରେ ପହଞ୍ଚିବ ଓ ୯ଟା ୧୦ରେ ଯିବ। ଇଣ୍ଡିଗୋ ବିମାନ ମୁମ୍ବାଇରୁ ଆସି ୯ଟା ୩୫ରେ ପହଞ୍ଚିବ ଓ ୧୦ଟା ୫ରେ ଯିବ। ଇଣ୍ଡିଗୋ ବିମାନ ଦିଲ୍ଲୀରୁ ଆସି ରାତି ୧୦ଟା ୩୦ରେ ପହଞ୍ଚିବ ଓ ରାତି ୧୧ଟାରେ ଏଠାରୁ ଯିବ।

ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ, ସୋମବାର ଠାରୁ ବିମାନ ଚଳାଚଳ ସ୍ବାଭାବିକ କରିବା ପାଇଁ ଆଜି ଏହାର ମକ୍‌ ଡ୍ରିଲ୍‌ କରାଯାଇଥିଲା। ଏଥିରେ ସମସ୍ତ ବିମାନ ଉଡ଼ାଣ କମ୍ପାନିର କର୍ମଚାରୀ, ସିଆଇଏସ୍‌ଏଫ୍ ଯବାନଙ୍କୁ ନେଇ ମକ୍‌ ଡ୍ରିଲ୍‌ ହୋଇଥିଲା। ବିମାନବନ୍ଦରରେ ସାମାଜିକ ଦୂରତା ରକ୍ଷା ପାଇଁ ବୃତ୍ତାକାର ଚିହ୍ନ, ସ୍ବଚ୍ଛ କାଚ, ସ୍ବତନ୍ତ୍ର କ୍ୟାମେରା, ସାନିଟାଇଜର୍‌, ହ୍ୟାଣ୍ଡୱାସ୍‌ ରଖାଯାଇଛି। ଟର୍ମିନାଲ ବାହାର ଓ ଭିତର ଅଞ୍ଚଳ, ଟ୍ରଲି, ଟ୍ରେ, ଏକ୍ସରେ ମେସିନ୍‌ ଆଦିକୁ ନିୟମିତ ବିଶୋଧନ କରାଯିବ। ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ୍‌ ଡାଉନଲୋଡ୍‌ କରିବାକୁ ପଡ଼ିବ। ଭୁବନେଶ୍ବର ବିମାନବନ୍ଦରକୁ ଟଚ୍‌ ଫ୍ରି ବିମାନବନ୍ଦର କରାଯାଇଥିବାରୁ ଯାତ୍ରୀଙ୍କୁ ସ୍ପର୍ଶ ନକରି ଯେପରି ସମସ୍ତ ଯାଞ୍ଚ୍‌, ଚେକ୍‌ ଇନ୍‌ ହୋଇପାରିବ ସେ ବ୍ୟବସ୍ଥା କରାଯାଉଛି।

ସମ୍ବନ୍ଧିତ ଖବର