ଭୁବନେଶ୍ବର, (ବିଶ୍ବଜିତ ଦାଶ) : ସୋମବାରଠାରୁ ଭୁବନେଶ୍ବରରୁ ଦୁବାଇକୁ ସିଧା ବିମାନ ଉଡ଼ାଣ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ସଂଧ୍ୟା ୬ଟା ୩୦ରେ ଭୁବନେଶ୍ବରରୁ ଦୁବାଇକୁ ବିମାନ ଉଡ଼ାଣ ଆରମ୍ଭ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିମାନ ସେବାର ଶୁଭାରମ୍ଭ କରିବେ।

Advertisment

ପ୍ରଥମ ଦିନରେ ଦୁବାଇ ଯିବାକୁ ଥିବା ବିମାନର ସବୁ ଟିକେଟ୍ ବୁକିଂ ହୋଇଯାଇଥିବା ଜଣାପଡ଼ିଛି। ହେଲେ ଭୁବନେଶ୍ବର-ଦୁବାଇ ରୁଟ୍‌ରେ ଟିକେଟ୍ ମୂଲ୍ୟ ରାଜ୍ୟ ସରକାର (ଯିବା ଆସିବା) ୨୦ହଜାର ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଟିକେଟ୍ ବୁକିଂ କରିବା ବେଳକୁ ଏହା ୨୬ରୁ ୨୮ହଜାର ଟଙ୍କା ପର୍ଯ୍ୟନ୍ତ ଦେଖାଉଛି। ଯାହାକୁ ନେଇ ଏବେ ଦ୍ବନ୍ଦ୍ବ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ଦୁବାଇକୁ ଟିକେଟ୍ ବିକ୍ରିର ଶୁଭାରମ୍ଭ କରି‌ବା ବେଳେ ଯିବା ପାଇଁ ୧୦ହଜାର, ଯିବା ଆସିବା ପାଇଁ ୨୦ହଜାର ଟଙ୍କା ପଡ଼ିବ ବୋଲି ଘୋଷଣା କରିଥିଲେ। ହେଲେ ଏବେ ଇଣ୍ଡିଗୋ ୱେବସାଇଟ୍‌ ସମେତ ବିଭିନ୍ନ ଟିକେଟ୍ ବୁକିଂ ସଂସ୍ଥାର ୱେବସାଇଟ୍‌ରେ ଟିକେଟ୍ ବୁକିଂ କଲେ ଯିବ‌ା ଆସିବା ୨୬ହଜାର ଟଙ୍କାରୁ ଅଧିକ ଦେଖାଉଛି।

ସିଙ୍ଗାପୁରକୁ ଘୋଷଣାର ଦୁଇଗୁଣା ଭଡ଼ା
ଇଣ୍ଡିଗୋ କର୍ତ୍ତୃପକ୍ଷ ଭାବିଛନ୍ତି ଏହା ପ୍ରାରମ୍ଭିକ ଅଫର୍‌: ପରିବହନ ବିଭାଗ ପ୍ରମୁଖ ସଚିବ

publive-image DNA India

ଉଦାହରଣ ସ୍ବରୂପ ଯଦି ଜଣେ ମେ’ ୧୯ରେ ଦୁବାଇ ଯିବାକୁ ଟିକେଟ୍ ବୁକିଂ କରୁଛନ୍ତି ତେବେ ଯିବା ଟିକେଟ୍ ମୂଲ୍ୟ ୧୬୦୫୯ଟଙ୍କା ଦେଖାଉଛି। ମେ ୨୯ରେ ଫେରିବାକୁ ହେଲେ ଟିକେଟ୍ ମୂଲ୍ୟ ୧୦,୩୬୮ଟଙ୍କା ଦେଖାଉଛି। ଅର୍ଥାତ୍ ଯିବାଆସିବା ଭଡ଼ା ୨୬୪୨୭ଟଙ୍କା ଥିବାବେଳେ ଏହାବାଦ୍ ଜିଏସ୍‌ଟି ବାବଦକୁ ଦେୟ ଅଲଗା ଦେବାକୁ ପଡ଼ିବ। ଯାହାକୁ ନେଇ ଯାତ୍ରୀମାନେ ପ୍ରଶ୍ନ ଉଠାଇଛନ୍ତି। କେବଳ ଦୁବାଇ ନୁହେଁ, ଭୁବନେଶ୍ବରରୁ ସିଙ୍ଗାପୁରକୁ ଯିବାପାଇଁ ଯେଉଁମାନେ ଟିକେଟ୍ ବୁକିଂ କରୁଛନ୍ତି ସେମାନେ ବି ଏମିତି ଅଧିକ ମୂଲ୍ୟରେ ଟିକେଟ୍ ବୁକିଂ କରୁଛନ୍ତି। ଯେପରି ଜୁନ୍‌ ୩ରୁ ସପ୍ତାହକୁ ଦୁଇଦିନ ସିଙ୍ଗାପୁରକୁ ବିମାନ ଉଡ଼ାଣ କରିବାକୁ ଥିବାବେଳେ ରାଜ୍ୟ ସରକାର ଏହି ରୁଟ୍‌ରେ ବିମାନ ଭଡ଼ା ଗୋଟିଏ ପାର୍ଶ୍ବ ପାଇଁ ୭,୫୦୦ଟଙ୍କା ଏବଂ ଯିବା ଆସିବା ଭଡ଼ା ୧୫ହଜାର ଟଙ୍କା ଧାର୍ଯ୍ୟ କରିଛନ୍ତି। ହେଲେ ଜୁନ୍‌ ୩ରେ ଭୁବନେଶ୍ବରରୁ ସିଙ୍ଗାପୁରକୁ ଟିକେଟ୍ ବୁକିଂ କଲେ ୧୩,୬୭୫ଟଙ୍କା ଏବଂ ଜୁନ୍‌ ୧୦ରେ ଫେରିବା ଟିକେଟ୍ ମୂଲ୍ୟ ୧୪,୮୨୨ଟଙ୍କା ଦେଖାଉଛି। ଅର୍ଥାତ୍ ଯିବାଆସିବା ଟିକେଟ୍ ମୂଲ୍ୟ ୨୮,୪୯୭ଟଙ୍କା ବାଦ୍‌ ଜିଏସ୍‌ଟି ଦେବାକୁ ‌ପଡ଼ିବ। ଏହି ରୁଟ୍‌ରେ ଯିବା ଆସିବା ଟିକେଟ୍ ମୂଲ୍ୟ ୧୫ହଜାର ଟଙ୍କା ରଖାଯାଇଥିବା ବେଳେ ଯାତ୍ରୀଙ୍କୁ ଦୁଇଗୁଣା ଅଧିକ ମୂଲ୍ୟ ଦେବାକୁ ପଡ଼ୁଛି। ଏପରିକି ଅନ୍ୟ ଦିନରେ ଏହି ରୁଟ୍‌ରେ ଯାତାୟତ ଟିକେଟ୍ ମୂଲ୍ୟ ୩୦ହଜାରରୁ ଅଧିକ ରହିଛି। କିନ୍ତୁ, ଭୁବନେଶ୍ବର-ବ୍ୟାଙ୍କକ୍ ରୁଟ୍‌ରେ ଯାତାୟତ ଟିକେଟ୍ ମୂଲ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ୧୫ହଜାର ଟଙ୍କା ଭିତରେ ରହିଛି।

ଓଡ଼ିଶାରୁ ଯେପରି ଅଧିକ ଲୋକ କମ୍‌ ମୂଲ୍ୟରେ ବିଦେଶ ଭ୍ରମଣର ସୁଯୋଗ ପାଇବେ ସେନେଇ ମୁଖ୍ୟମନ୍ତ୍ରୀ ଟିକେଟ୍ ମୂଲ୍ୟ ଧାର୍ଯ୍ୟ କରିଥିବା ବେଳେ କିପରି ବା‌ଣିଜ୍ୟ ଓ ପରିବହନ ବିଭାଗର ଅଧିକାରୀମାନେ ଏହା ଉପରେ ନରଜର ରଖୁନାହାନ୍ତି ନା ସେମାନଙ୍କ ଜାଣତରେ ଏହା ହେଉଛି ସେନେଇ ଯାତ୍ରୀମାନେ ପ୍ରଶ୍ନ ଉଠାଇଲେଣି।

publive-image Foursquare

ଦୁବାଇ, ସିଙ୍ଗାପୁର ରୁଟ୍‌ରେ ବିମାନ ଭଡ଼ା ଅଧିକ ହେବା ନେଇ ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଉଠିବାର କାରଣ ହେଲା, ଭୁବନେଶ୍ବରରୁ ବ୍ୟାଙ୍କକ୍, ଦୁବାଇ, ସିଙ୍ଗାପୁରକୁ ବିମାନ ସେବା ଯୋଗାଉଥିବା ଇଣ୍ଡିଗୋ ସଂସ୍ଥା ସହ ରାଜ୍ୟ ସରକାରଙ୍କର ହୋଇଥିବା ଚୁକ୍ତି ଅନୁଯାୟୀ, ରାଜ୍ୟ ସରକାର ଯେଉଁ ମୂଲ୍ୟ ଧାର୍ଯ୍ୟ କରିବେ ସେହି ମୂଲ୍ୟରେ ସଂସ୍ଥା ଟିକେଟ୍ ବିକ୍ରି କରିବ। ଇଣ୍ଡିଗୋ ଟିକେଟ୍ ବିକ୍ରି ଅର୍ଥ ରାଜ୍ୟ ସରକାରଙ୍କୁ ଦେବ। ଏହା ବଦଳରେ ରାଜ୍ୟ ସରକାର ଇଣ୍ଡିଗୋକୁ ପ୍ରତି ଉଡ଼ାଣ ପିଛା ଧାର୍ଯ୍ୟ ଅର୍ଥ ଦେବେ। ଯାତ୍ରୀ ନହେଲେ ଇଣ୍ଡିଗୋର କ୍ଷତି ଭରଣା ପାଇଁ ରାଜ୍ୟ ସରକାର ଭାଏବଲ୍ ଗ୍ୟାପ୍ ଫଣ୍ଡିଂ (ଭିଜିଏଫ୍‌) ବାବଦକୁ ୧୦୦କୋଟି ଦେବାକୁ ଚଳିତ ବଜେଟ୍‌ରେ ଅର୍ଥ ବରାଦ କରିଛନ୍ତି। ତେଣୁ ରାଜ୍ୟ ସରକାର ଯଦି କ୍ଷତି ଭରଣା କରିବେ ତେବେ ଯାତ୍ରୀ ଧାର୍ଯ୍ୟ ମୂଲ୍ୟ ଠାରୁ କାହିଁକି ଅଧିକ ଭଡ଼ା ଦେବେ ବୋଲି ପ୍ରଶ୍ନ ଉଠିଛି।

ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କୁ ଯୋଗାଯୋଗ କରିବାରୁ ସେ ଏନେଇ ଅବଗତ ଥିବା କହିଛନ୍ତି। ଶ୍ରୀମତୀ ପାଢ଼ୀ କହିଛନ୍ତି, ଇଣ୍ଡିଗୋ କର୍ତ୍ତୃପକ୍ଷ ଭାବିଛନ୍ତି ଯେ ରାଜ୍ୟ ସରକାର ଯେଉଁ ଟିକେଟ୍ ମୂଲ୍ୟ ଧାର୍ଯ୍ୟ କରିଛନ୍ତି ତାହା କେବଳ ପ୍ରାରମ୍ଭିକ ଅଫର୍। ଆମେ ସେମାନଙ୍କୁ ବୁଝାଇ ଦେଇଛୁ ଯେ ଏହି ଭଡ଼ା ରିହାତି ଆମେ ସମୀକ୍ଷା କରିବା ପର୍ଯ୍ୟନ୍ତ ଲାଗୁ ହେବ।
ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ଇଣ୍ଡିଗୋ ସହ ଯେଉଁ ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି ସେଥିରେ କ’ଣ ଏହା ଉଲ୍ଲେଖ ନାହିଁ? ମୁଖ୍ୟମନ୍ତ୍ରୀ ଯେତେବେଳେ ତିନିଟି ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ଟିକେଟ୍ ବୁକିଂ ସେବା ଆରମ୍ଭ କଲେ ସେତେବେଳେ କ’ଣ ଇଣ୍ଡିଗୋ କର୍ତ୍ତୃପକ୍ଷଙ୍କ ସହ ଏନେଇ ଆଲୋଚନା କରାଯାଇନଥିଲା?