ନେତାଜୀ ଜୟନ୍ତୀରେ ରାଉରକେଲାରୁ ଉଡ଼ାନ୍‌

ରାଉରକେଲା : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ (ଜାନୁଆରି ୨୩)ରୁ ‘ଉଡ଼େ ଦେଶ୍‌କା ଆମ୍‌ ନାଗରିକ୍‌ (ଉଡ଼ାନ୍‌) ଯୋଜନାରେ ରାଉରକେଲାରୁ ବିମାନ ସେବା ଆରମ୍ଭ ହେବ। ସେଦିନ କୋଲକାତାସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିମାନ ଆସି ରାଉରକେଲାସ୍ଥିତ ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌) ଏୟାର୍‌ ଷ୍ଟ୍ରିପ୍‌ରେ ଅବତରଣ କରିବ। ଏହା ପରେ ରାଉରକେଲାରୁ କୋଲକାତା ଓ ଭୁବନେଶ୍ୱରକୁ ବିମାନ ସେବା ନିୟମିତ ହେବ। ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସମନ୍ଵୟ ଓ ତଦାରଖ କମିଟି (ଏସ୍‌ଏଲ୍‌ସିଏମ୍‌ସି) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମିନା ଓ ବେସାମରିକ ବିମାନ ଚଳାଚଳ ବିଭାଗ ନିର୍ଦ୍ଦେଶକ ପ୍ରଦୀପ କୁମାର ବିଶ୍ୱାଳ ବୈଠକରେ ଦେଇଥିବା ତାଜା ସୂଚନା ଅନୁଯାୟୀ ଆଞ୍ଚଳିକ ବିମାନ ସଂଯୋଗ ଯୋଜନା (ଆର୍‌ସିଏସ୍‌)ରେ ଅନ୍ତର୍ଭୁକ୍ତ ରାଉରକେଲା ବିମାନ ବନ୍ଦରରୁ ଉଡ଼ାଣ ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ ହୋଇସାରିଛି। ଆର୍‌ସିଏସ୍‌ରେ ଅନ୍ତର୍ଭୁକ୍ତ ଝାରସୁଗୁଡ଼ା, ଉତ୍‌କେଲା, ଜୟପୁର ଓ ଭୁବନେଶ୍ୱର ବିମାନ ବନ୍ଦର ମଧ୍ୟରୁ ଝାରସୁଗୁଡ଼ାରୁ ୨୦୧୮ ଫେବ୍ରୁଆରି ପ୍ରଥମ ସପ୍ତାହରେ ବିମାନ ଉଡ଼ାଣ ଆରମ୍ଭ ହେବ। ମାର୍ଚ୍ଚ ସୁଦ୍ଧା ଉତ୍‌କେଲା ଓ ଜୟପୁରରୁ ବିମାନ ଉଡ଼ିବ। ରାଜ୍ୟ ସରକାର ଓ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ)ର ମିଳିତ ଆର୍ଥିକ ସହଯୋଗରେ ଉପରୋକ୍ତ ୪ଟି ବିମାନ ବନ୍ଦରକୁ ଉଡ଼ାନ୍‌ ପାଇଁ ପ୍ରସ୍ତୁତ କରାଯାଉଥିବା ବେଳେ ଇତିମଧ୍ୟରେ ଏଗୁଡ଼ିକର ସ୍ଥଳ ପ୍ରତିବନ୍ଧକ ନିରାକରଣ (ଓଏଲ୍‌ଏସ୍‌) ସର୍ଭେ ଶେଷ ହୋଇଛି। ଉଡ଼ାନ୍‌କୁ ନିୟମିତ କରାଯିବ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରୁ ୪ଟି ଯାକ ଆଞ୍ଚଳିକ ବିମାନ ବନ୍ଦରକୁ ବିମାନ ସଂଯୋଗ ଯୋଗାଇ ଦିଆଯିବ। ଏହାଛଡ଼ା ଉତ୍‌କେଲାରୁ ରାୟପୁର (ଛତିଶଗଡ଼) ଓ ଝାରସୁଗୁଡ଼ାରୁ ରାଞ୍ଚି (ଝାଡ଼ଖଣ୍ଡ)କୁ ବିମାନ ଉଡ଼ାଣ ହେବା ପ୍ରସ୍ତାବ ଅଛି।

ବେଠକରେ ଯୋଗ ଦେଇଥିବା ପୁଲିସ୍‌ ମହାନିର୍ଦ୍ଦେଶକ (ଡିଜିପି) ଡା. ଆର୍‌ କେ ଶର୍ମା କହିଛନ୍ତି ଯେ ଉଡ଼ାନ୍‌ରେ ଅନ୍ତର୍ଭୁକ୍ତ ୫ଟି ବିମାନ ବନ୍ଦର ମଧ୍ୟରୁ ଭୁବନେଶ୍ୱର ବ୍ୟତୀତ ଅନ୍ୟ ୪ଟି ଆଞ୍ଚଳିକ ବିମାନ ବନ୍ଦରରେ ନିରାପତ୍ତା ଓ ଅଗ୍ନି ନିର୍ବାପନ ଦାୟିତ୍ୱ ନିର୍ବାହ ସକାଶେ ୧୩୫ ଜଣ ପୁଲିସ୍‌ ଓ ୨୭ ଜଣ ଅଗ୍ନିଶମ ବାହିନୀ ଯବାନଙ୍କୁ ଇତିମଧ୍ୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ତାଲିମ୍‌ ଦିଆଯାଇଛି। ଆଞ୍ଚଳିକ ବିମାନ ବନ୍ଦରଗୁଡ଼ିକୁ ଉଡ଼ାନ୍‌ ପାଇଁ ପ୍ରସ୍ତୁତ କରିବାକୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର କର୍ତ୍ତୃପଙ୍କୁ ଉପଦେଷ୍ଟା (ମେଣ୍ଟର୍‌) ନିଯୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର