ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ଶିଳ୍ପ ନଗରୀ ରାଉରକେଲା ଦେଇ ଛତିଶଗଡ଼ର ଅମ୍ବିକାପୁରକୁ ଉଡିବ ଯାତ୍ରୀବାହୀ ବିମାନ। ଉଡେ ଦେଶ୍ କୀ ଆମ୍ ନାଗରିକ୍(ଉଡାନ୍) ଯୋଜନାରେ ରାଇରଙ୍ଗପୁର ସହର ଉପକଣ୍ଠ ଦାଣ୍ଡବୋଷ ଏୟାରଷ୍ଟ୍ରିପକୁ ସାମିଲ କରାଯାଇଛି। କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି। ପ୍ରଥମ ପର୍ଯ୍ୟାୟରେ ରାଇରଙ୍ଗପୁରରୁ ରାଉରକେଲା- ଅମ୍ବିକାପୁରକୁ ୧୯ ଆସନ ବିଶିଷ୍ଟ ବିମାନ ଉଡିବ। ଏନେଇ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ପକ୍ଷରୁ ବିଗ ଚାର୍ଲ୍ସର ପ୍ରାଇଭେଟ ଲିମିଟେଡ କମ୍ପାନୀକୁ ବିମାନ ଉଡାଣ ଲାଗି ଚିଠି ଲେଖାଯାଇଛି। ଗତ ୫ରେ ପ୍ରକଳ୍ପ ମୂଲ୍ୟାୟନ ସମିତି (ପିଇସି)ର ୧୩ତମ ବୈଠକରେ ବ୍ୟୟ ଅଟକଳ ଅନୁମୋଦିତ ହୋଇଛି । ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଅତିରିକ୍ତ ସଚିବଙ୍କୁ ପତ୍ର ଲେଖାଯାଇ ଆଞ୍ଚଳିକ ସଂଯୋଗ ଯୋଜନା(ଆରସିଏସ)ରେ ୪୫ କୋଟି ଟଙ୍କା ବ୍ୟୟ ଅଟକଳରେ ଦାଣ୍ଡବୋଷ ଏଆରଷ୍ଟ୍ରିପର ଉନ୍ନତିକରଣ ହେବ।

Advertisment

ଏଥିରେ ଯାତ୍ରୀବାହୀ ଟର୍ମିନାଲ କୋଠା ଓ ଯାତ୍ରୀଙ୍କ ସୁବିଧା ସଂକ୍ରାନ୍ତ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ କରାଯିବ। ଓଡିଶା ସରକାର ଏହାର ତ୍ଵରିତ କାର୍ଯ୍ୟାନ୍ବୟନ ପାଇଁ ଆବଶ୍ୟକ ପଦକ୍ଷେପ ନେବେ। ରାଇରଙ୍ଗପୁର ମୟୂରଭଞ୍ଜ ଜିଲାର ଦ୍ଵିତୀୟ ବୃହତ୍ତମ ସହର ଓ ବ୍ୟବସାୟିକ ପେଣ୍ଠସ୍ଥଳୀ। ନିକଟରେ ଯଶିପୁରରେ ବିଶ୍ବ ପ୍ରସିଦ୍ଧ ଶିମିଳିପାଳ ଜୈବମଣ୍ଡଳ ତଥା ଆରାଧ୍ୟ ଦେବୀ ମା କୀଚକେଶ୍ଵର ମନ୍ଦିର, ମୁଗୁନି ପଥର ଶିଳ୍ପ ଗ୍ରାମ କେଶନା ରହିଛି। ଗୋରୁମହିଷାଣୀ, ସୁଲେଇପାଟ ଓ ବାଦାମପାହାଡ ଭଳି ପ୍ରମୁଖ ଲୁହାପଥର ଖଣି ସମେତ ମୋଟ ୧୧ଟି ଲୁହାପଥର ଓ ମାଙ୍ଗାନିଜ ଖଣି ମଧ୍ୟ ରହିଛି। ପର୍ଯ୍ୟଟନ ଓ ବ୍ୟାବସାୟିକ ଦୃଷ୍ଟିକୋଣରୁ ଏହାର ଗୁରୁତ୍ଵ ଥିବାରୁ ରାଇରଙ୍ଗପୁର ସହର ସନ୍ନିକଟ ଏହି ଦାଣ୍ଡବୋଷ ଏଆରଷ୍ଟ୍ରପକୁ କେନ୍ଦ୍ର ସରକାରଙ୍କ ଉଡାନ ଯୋଜନାରେ ସାମିଲ କରାଯିବାକୁ ଦାବି ହୋଇଆସୁଥିଲା । ଉଡାଣ ଯୋଜନାରେ ସାମିଲ ହେବା ଖବର ପ୍ରଚାରିତ ହେବା ପରେ ରାଇରଙ୍ଗପୁର ଉପଖଣ୍ଡରେ ଖୁସିର ଲହରୀ ଖେଳିଯାଇଛି।