ଭୁବନେଶ୍ବର : ଖୁବଶୀଘ୍ର ଭୁବନେଶ୍ବରରୁ ପୁନେକୁ ବିମାନସେବା ଆରମ୍ଭ କରିବ ଏୟାର ଏସିଆ। କୋଲକାତାରୁ ଭୁବନେଶ୍ବର ଦେଇ ବିମାନ ଯିବ ପୁନେ। ସରକାର ପ୍ରତି ଉଡ଼ାଣ ପିଛା ଏଟିଏଫ୍ ଉପରେ ଭାଟ୍ କର ବାବଦରେ କମ୍ପାନିକୁ ୫୦ ହଜାର ଟଙ୍କା ଛାଡ଼ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆନ୍ତଃରାଜ୍ୟ ବିମାନ ଚଳାଚଳରେ ସରକାରଙ୍କର ଏପରି ଅଜବ ନିଷ୍ପତ୍ତିକୁ ନେଇ ବିବାଦ ଦେଖାଦେଇଛି। ରାଜ୍ୟରୁ ଦୈନିକ ୨୭ଟି ବିମାନ ବିଭିନ୍ନ ରାଜ୍ୟକୁ ଚଳାଚଳ କରୁଥିଲା ବେଳେ ଏହି ନିର୍ଦ୍ଦିଷ୍ଟ କମ୍ପାନି ପ୍ରତି କାହିଁକି ଅନୁକମ୍ପା ଦେଖାଇଛନ୍ତି, ତାହାକୁ ନେଇ ପ୍ରଶ୍ନ ଉଠୁଛି।
ମିଳିଥିବା ସୂଚନା ଅନୁଯାୟୀ, କୋଲକାତାରୁ ଭୁବନେଶ୍ବର ବିମାନବନ୍ଦର ଦେଇ ପୁନେକୁ ଉଡ଼ାଣ ସେବା ଯୋଗାଇବାକୁ ଏୟାର ଏସିଆ (ଇଣ୍ଡିଆ) ଲିମିଟେଡ଼୍ ପ୍ରସ୍ତାବ ଦେଇଥିଲା। ଏଥିପାଇଁ କମ୍ପାନି କିଛି ସର୍ତ୍ତ ରଖିଥିଲା। ଏଟିଏଫ୍ ଉପରେ ଭାଟ୍ ଛାଡ଼, ଅବତରଣ ଓ ପାର୍କିଂ ବାବଦରେ ପ୍ରତି ରାଉଣ୍ଡ୍ ଅପ୍ ଉଡ଼ାଣ ପିଛା ୧ ଲକ୍ଷ ୨୬ ହଜାର ୭୨୯ ଟଙ୍କା ଲେଖାଏଁ ବର୍ଷକ ପାଇଁ ଛାଡ଼ କରିବାକୁ ପ୍ରସ୍ତାବ ଦେଇଥିଲା। କମ୍ପାନିର ଏହି ପ୍ରସ୍ତାବ ଉପରେ ବାଣିଜ୍ୟ ଓ ପରିବହନ ବିଭାଗ ତର୍ଜମା କରି ଏସବୁ ବାବଦରେ ୫୦ ହଜାର ଟଙ୍କା ଛାଡ଼ କରିବାକୁ ନିଷ୍ପତ୍ତି ନେଇଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ଫାଇଲ ପଠାଯାଇଥିଲା। ମୁଖ୍ୟମନ୍ତ୍ରୀ ବିଭାଗର ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ଏହି ରିହାତି କମ୍ପାନିକୁ ପ୍ରଥମ ୩ ମାସ ପାଇଁ ଦେବାକୁ ନିଷ୍ପତ୍ତି ହୋଇଛି।
ସରକାରଙ୍କ ଏହି ରହସ୍ୟମୟ ନିଷ୍ପତ୍ତି ଏକାଧିକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପୂର୍ବରୁ ଆନ୍ତର୍ଜାତିକ ବିମାନସେବା ଆରମ୍ଭ କରିବାକୁ ଏୟାର ଏସିଆକୁ ସରକାର ଏପରି ଆର୍ଥିକ ପ୍ରୋତ୍ସାହନ ଦେଇଥିଲେ। କିନ୍ତୁ ଆନ୍ତଃରାଜ୍ୟ ବିମାନ ଚଳାଚଳ ପାଇଁ ଏପରି ପ୍ରୋତ୍ସାହନ ପ୍ରଥମ ଘଟଣା। ଭୁବନେଶ୍ବର ବିମାନବନ୍ଦରରୁ ୮ରୁ ୧୦ଟି ରାଜ୍ୟକୁ ଦୈନିକ ୨୭ଟି ବିମାନ ଚଳାଚଳ କରୁଛି। ଆବଶ୍ୟକ ସଂଖ୍ୟକ ଯାତ୍ରୀ ନ ହେଉଥିଲେ ବି ଅନ୍ୟ କମ୍ପାନିମାନେ ସେମାନଙ୍କ ସେବା ଜାରି ରଖିଛନ୍ତି। ଏୟାର ଏସିଆ ମଧ୍ୟ ଭୁବନେଶ୍ବରରୁ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଳୁରୁକୁ ବିମାନସେବା ଯୋଗାଉଛି। ଅନ୍ୟ କୌଣସି କମ୍ପାନିକୁ ସରକାର ଆର୍ଥିକ ପ୍ରୋତ୍ସାହନ ଯୋଗାଉ ନାହାନ୍ତି। କିନ୍ତୁ ଏୟାର ଏସିଆର ପୁନେକୁ ବିମାନସେବା ପାଇଁ ସରକାର କାହିଁକି ଏପରି ଅନୁକମ୍ପା ଦେଖାଇଲେ ତାହା ବୁଝାପଡ଼ୁନି। ଏହି ତରିକାରେ ଯଦି ଅନ୍ୟ ଘରୋଇ କମ୍ପାନି ଆଗାମୀ ଦିନରେ ସମାନ ଦାବି କରନ୍ତି, ତା’ହେଲେ ସରକାର ସେମାନଙ୍କ ପାଇଁ ଏପରି ଉଦାରତା ଦେଖାଇବେ ତ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/air-asia.jpg)