ଝାରସୁଗୁଡ଼ା : ଆସନ୍ତା ୧୦ ତାରିଖରୁ ଝାରସୁଗୁଡ଼ା ଭିଏସଏସ ବିମାନ ବନ୍ଦରରୁ କୋଲକାତା ଓ ବିଶାଖାପାଟଣାକୁ ସ୍ପାଇସ୍‌ ଜେଟ୍‌ର ନୂଆ ବିମାନ ଉଡ଼ିବ। ଏହାସହିତ ଗତବର୍ଷରୁ ବନ୍ଦଥିବା ଚେନ୍ନାଇ ଓ ବେଙ୍ଗାଲୁରୁ ବିମାନ ସେବା ମଧ୍ୟ ଆରମ୍ଭ ହେବ। ସପ୍ତାହରେ ଚେନ୍ନାଇକୁ ୩ ଦିନ ଓ ବେଙ୍ଗାଲୁରୁକୁ ୪ ଦିନ ଏହି ବିମାନ ଉଡ଼ାଣ କରିବ। ଏ ନେଇ ସ୍ପାଇସ୍‌ଜେଟ୍‌ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଶୁକ୍ରବାର ବିମାନ ବନ୍ଦର କର୍ତ୍ତୃପକ୍ଷ ମଞ୍ଜୁରି ଦେଇଥିବା ଟ୍ବିଟ୍‌ କରି ସୂଚନା ପ୍ରଦାନ କରିଛନ୍ତି। ଏବେ ଝାରସୁଗୁଡ଼ା ବିମାନ ବନ୍ଦରରୁ ଭୁବନେଶ୍ବର, କୋଲକାତା, ହାଇଦ୍ରାବାଦ ଓ ଦିଲ୍ଲୀକୁ ନିୟମିତ ବିମାନ ଚଳାଚଳ ହେଉଛି।

Advertisment

ଝାରସୁଗୁଡ଼ାରୁ ହାଇଦ୍ରାବାଦ ଓ ଦିଲ୍ଲୀକୁ ସ୍ପାଇସ୍ ଜେଟ୍‌ ଏବଂ ଝାରସୁଗୁଡ଼ାରୁ କୋଲକାତା ଓ ଭୁବନେଶ୍ବରକୁ ଏୟାର ଇଣ୍ଡିଆ ବିମାନ ଉଡ଼ାଣ କରୁଛି। ଶୁକ୍ରବାର ଏହି ବିମାନବନ୍ଦରକୁ ୪ଟି ବିମାନ ଆସିଥିବା ବେଳେ ୪ଟି ବିମାନ ଉଡ଼ାଣ ଭରିଥିଲା। ମୋଟ ୨୪୧ ଜଣ ଯାତ୍ରୀ ଆସିଥିଲେ ଓ ୨୯୦ ଜଣ ଯାତ୍ରୀ ଏଠାରୁ ଯାତ୍ରା କରିଥିବା ନେଇ ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।