୮ମାସ ପରେ ରାଉରକେଲାରୁ ଦୈନିକ ବିମାନ ସେବା

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ଉତ୍ତର: ଉଡ଼ିବ ୭୨ ଆସନବିଶିଷ୍ଟ ବିମାନ,  ଖର୍ଚ୍ଚ ହେଉଛି ୨୮.୨୭ କୋଟି

ରାଉରକେଲା: ରାଉରକେଲାରୁ ଦୈନିକ ବିମାନ ସେବା ୮ମାସ ପରେ ଅର୍ଥାତ୍‌ ଆସନ୍ତା ଅକ୍ଟୋବର ପରେ ଆରମ୍ଭ ହେବ। ୭୮ ଆସନ ବିଶିଷ୍ଟ ବିମାନ ଉଡ଼ିବ। ଆଲିଆନ୍ସ ଏୟାର ପକ୍ଷରୁ ଏହି ସେବା ଆରମ୍ଭ ହେବ। ଅକ୍ଟୋବର ମାସ ସୁଦ୍ଧା ରାଉର‌କେଲା ବିମାନ ବନ୍ଦରରେ ଚାଲିଥିବା ସମସ୍ତ କାମ ଶେଷ ହେବ। ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇଙ୍କ ଚିଠିର ଏମିତି  ଉତ୍ତର ରଖିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ସେ କହିଛନ୍ତି, ରାଉରକେଲା ବିମାନ ବନ୍ଦର ଓଡ଼ାନ (୩.୦)ରେ ସାମିଲ ହୋଇଛି। ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ (ସେଲ୍‌) ବିମାନ ବନ୍ଦରକୁ ଏୟାର ଅଥରିଟି ଅଫ୍‌ ଇଣ୍ଡିଆ (ଏଏଆଇ)କୁ ହସ୍ତାନ୍ତର କରିବା ପରେ ବିକାଶମୂଳକ କାମ ଚାଲିଛି। ର‌ନୱେ ସମ୍ପ୍ରସାରଣ, ଆପ୍ରୋନ୍‌, ଟ୍ୟାକ୍ସି ୱେ ଆଦି କାମ ଚାଲିଛି। ଏଥିପାଇଁ ମୋଟ୍‌ ୨୮.୨୭ କୋଟି ଟଙ୍କା ଗତ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ମଞ୍ଜୁର କରାଯାଇଥିଲା। ଉନ୍ନତିକରଣ କାମ ସରିବା ମାତ୍ରେ ବିମାନ ସେବା ଆରମ୍ଭ ହୋଇଯିବ।

ତେବେ ଉଲ୍ଲେଖନୀୟ କଥା ହେଉଛି, କେନ୍ଦ୍ରମନ୍ତ୍ରୀ ଶ୍ରୀ ସିନ୍ଧିଆ ଚିଠିରେ ଦେଇଥିବା ଉତ୍ତର ଓ ବାସ୍ତବ ସ୍ଥିତି ବିପରୀତ। ଏଯାଏ ରାଉରକେଲା ବିମାନ ବନ୍ଦର ଟ୍ୟାକ୍ସି ୱେ, ‌ଆପ୍ରୋନ୍‌ କାମର ୫୦% ମଧ୍ୟ ସରିନି। ଅବଶିଷ୍ଟ କାମ ୮ ମାସ ଭିତରେ ସରିବା କଷ୍ଟକର। ସେମିତି ‌ସମ୍ପ୍ରସାରଣ ପରେ ହେବାକୁ ଥିବା ପାଚେରି କାମ ମଧ୍ୟ ଆରମ୍ଭ ହୋଇନି। ରନୱେର କାର୍ପେଟିଂ କାମ ସରିଛି। କିନ୍ତୁ ପୂର୍ବରୁ ଯେଉଁ ୬ ହଜାର ବର୍ଗଫୁଟ ର‌ନୱେ ଥିଲା, ସେତିକି ହିଁ ରହିଛି। ଏହାର ସମ୍ପ୍ରସାରଣ କାମ କେବେ ହେବ କାହାକୁ ଜଣା ନାହିଁ। ଏତେ ସବୁ କାମ ବାକି ଥିବାବେଳେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଉତ୍ତର ରାଉରକେଲାବାସୀଙ୍କ ପ୍ରତି ଉପହାସ ବୋଲି କୁହା ଯାଉଛି।

ନିକଟରେ ଝାରସୁଗୁଡା ବିମାନ ବନ୍ଦରରେ ଆୟୋଜିତ ‘ଉଡାନ୍‌ ଉତ୍ସବ’ରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ସିନ୍ଧିଆ ଯୋଗଦେଇଥିଲେ। ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଯୋଗଦେଇ ରାଉରକେଲା ବିମାନରୁ ଦୈନିକ ବିମାନ ସେବା ଆରମ୍ଭ କରିବାକୁ କେନ୍ଦ୍ରୀମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଉରକେଲା ବିମାନ ବନ୍ଦରକୁ (୪ସି) ବିମାନ ବନ୍ଦର କରିବା ସହ ୧୨୦ ସିଟ୍‌ ବିମାନ ଅବତରଣ କରିବାକୁ ଅନୁମତି ଦିଆଯିବାକୁ ପ୍ରସ୍ତାବ ଦେଇଥିଲେ। ଏଠାରେ ରାତ୍ରୀକାଳୀନ ବିମାନ ଅବତରଣ ପାଇଁ ଏୟାର ଅଥରିଟି ଅଫ୍‌ଇଣ୍ଡିଆ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ। ଉଲ୍ଲେଖନୀୟ କଥା ହେଉଛି, ୨୦୨୩ରେ ରାଉରକେଲାରେ ପୁରୁଷ ବିଶ୍ବକପ୍‌ ହକିର କିଛି ମ୍ୟାଚ୍‌ ଖେଳାଯିବ। ସେଥିପାଇଁ ବିମାନ ବନ୍ଦର ଏକ ସର୍ବନିମ୍ନ ଆବଶ୍ୟକତା। କିନ୍ତୁ ଏହାର କାମ ଯେଉଁ ଗତିରେ ଚାଲିଛି, ବିଶ୍ବକପ୍‌ ପୂର୍ବରୁ ସମସ୍ତ କାମ ସରିବ କି ନାହିଁ, ତା’କୁ ନେଇ ସନ୍ଦେହ ସୃଷ୍ଟି ହେଉଛି।

ଉଲ୍ଲେଖଯୋଗ୍ୟ, ୨୦୧୭ ସେପ୍ଟେମ୍ବରରୁ ରାଉରକେଲା ବିମାନ ବନ୍ଦର ‘ଉଡାନ’ ଯୋଜନା ନାଁରେ ସାମିଲ ହୋଇଥିଲା। ଏୟାର ଡେକାନ୍‌, ଏୟାର ଓଡ଼ିଶା ଓ ଏୟାର ଆଲିଆନ୍ସ ସମେତ ଅନ୍ୟାନ୍ୟ ବିମାନ ସେବା କମ୍ପାନି ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ରାଉରକେଲାରୁ କଲିକତା, ଭୁବନେଶ୍ବର ଓ ରାୟପୁରକୁ ବିମାନ ସେବା ଦେବା ମାମଲାରେ ସେମାନେ ଅନିଚ୍ଛା ପ୍ରକାଶ କରିଥିଲେ। ବ୍ୟବସାୟିକ ଦୃଷ୍ଟିକୋଣରୁ ବିମାନ ସେବା କମ୍ପାନୀଗୁଡ଼ିକ ୨୨ ଆସନ ବିଶିଷ୍ଟ ବିମାନ ପାଇଁ ଅରାଜି ହେବାରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପୂର୍ବ ନିଷ୍ପତ୍ତି ବଦଳାଇ ୨୨ ସିଟ୍‌ ପରିବର୍ତ୍ତେ ୪୨ରୁ ୭୨ ସିଟ୍‌ବିଶିଷ୍ଟ ବିମାନ ଅବତରଣ ବ୍ୟବସ୍ଥା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ।

ଏଥିପାଇଁ ରନୱ‌େ ସମ୍ପ୍ରସାରଣ ହେବ, ଭିତ୍ତିଭୂମିର ଆହୁରି ବିକାଶ ହେବ। ପୂର୍ବରୁ ୨୨ଆସନ ବିଶିଷ୍ଟ ଅବତରଣ ପାଇଁ  ଥିବା ୬୦୦୦ ଫୁଟ୍‌ ରନୱେକୁ ଆହୁରି ବଢ଼ାଯାଇଛି। ପୂର୍ବରୁ ୨୦୧୬ ମାର୍ଚ୍ଚରେ ରାଉରକେଲା ବିମାନ ବନ୍ଦରରେ ଇନ୍ଧନ ସେଣ୍ଟର ଉଦ୍‌ଘାଟନ ହୋଇ ସାରିଛି। ୨୦୧୮ ଏପ୍ରିଲରେ ରାଉରକେଲା ଏୟାର ପୋର୍ଟକୁ ବାଣିଜ୍ୟିକ ବିମାନ ବନ୍ଦର କରିବାକୁ ସେଲ୍‌ଓ ଏୟାର ଅଥରିଟି ଅଫ୍‌ଇଣ୍ଡିଆ (ଏଏଆଇ) ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି।  ପୁଣି ୨୦୧୯  ଜାନୁଆରିରେ ଡିଜିସିଏ ପକ୍ଷରୁ ରାଉରକେଲା ଏୟାରପ‌ୋର୍ଟକୁ ବାଣିଜ୍ୟିକ ଲାଇସେନ୍ସ ମଧ୍ୟ ମିଳି ସାରିଛି। ଯଦି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଉପଯୁକ୍ତ ସମନ୍ବୟ ରହେ, ତେବେ ଅନ୍ତତଃ ହକି ବିଶ୍ବକପ୍‌ ପୂର୍ବରୁ ବିମାନ ବନ୍ଦର ମାମଲାରେ ରାଉରକେଲାଙ୍କର ବହୁ ବର୍ଷର ସ୍ବପ୍ନ ସାକାର ହୋଇ ପାରିବ।

ସମ୍ବନ୍ଧିତ ଖବର