ଜୟପୁର ଓ ଗୋଆକୁ ଉଡ଼ିବ ବିମାନ

ଜୟପୁରକୁ ସିଧାସଳଖ ବିମାନ ଉଡ଼ାଣ ପାଇଁ ଚିଠି ଲେଖିଥିଲେ ଧର୍ମେନ୍ଦ୍ର
ରାଜ୍ୟ ସରକାର ବି ପ୍ରାରମ୍ଭିକ ପ୍ରୋତ୍ସାହନ ଯୋଗାଇବେ
ନଭେମ୍ବର ୨ରୁ ଜୟପୁର, ଡିସେମ୍ବର ୧ରୁ ଗୋଆ

ଭୁବନେଶ୍ବର : ଆସନ୍ତା ନଭେମ୍ବର ୨ରୁ ଭୁବନେଶ୍ବରରୁ ପିଙ୍କ୍‌ ସିଟି ଜୟପୁରକୁ ସିଧାସଳଖ ଏବଂ ଡିସେମ୍ବର ୧ରୁ ଗୋଅାକୁ ଭାୟା ହାଇଦ୍ରାବାଦ ହୋଇ ବିମାନ ଉଡ଼ାଣ ଆରମ୍ଭ ହେବ। ଇଣ୍ଡିଗୋ ପକ୍ଷରୁ ଏହି ଦୁଇଟି ରୁଟ୍‌ରେ ବିମାନ ଉଡ଼ାଣ ହେବ ବୋଲି ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଂଜନ ବେଉରିଆ ସୂଚନା ଦେଇଛନ୍ତି।

ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଇଣ୍ଡିଗୋ ବିମାନ ୬ଇ-୬୦୯୨ ଆସନ୍ତା ନଭେମ୍ବର ୨ରୁ ସପ୍ତାହକୁ ତିନି ଦିନ ଭୁବନେଶ୍ବରରୁ ଜୟପୁରକୁ ଉଡ଼ାଣ କରିବ। ବିମାନଟି ରାତି ୯ଟା ୨୦ରେ ଭୁବନେଶ୍ବରରୁ ଉଡ଼ାଣ କରି ରାତି ୧୧ଟା ୫୫ରେ ଜୟପୁରରେ ଅବତରଣ କରିବ। ସେହିପରି ଜୟପୁରରୁ ବିମାନ ୬ଇ-୬୦୯୧ ସଂଧ୍ୟା ୬ଟା ୩୦ରେ ବାହାରି ରାତି ୮ଟା ୫୦ରେ ଭୁବନେଶ୍ବରରେ ପହଞ୍ଚିବ। ସପ୍ତାହକୁ ତିନି ଦିନ ଅର୍ଥାତ୍ ମଙ୍ଗଳବାର, ଗୁରୁବାର ଓ ଶନିବାର ଏହି ବିମାନ ଉଡ଼ାଣ କରିବ। ଏବେ ବିମାନର ଭଡ଼ା ୬ହଜାର ଟଙ୍କାରୁ ଅଧିକ ରହିଛି।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବରରୁ ଜୟପୁରକୁ ସିଧାସଳଖ ବିମାନ ସେବା ଆରମ୍ଭ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ସେପ୍ଟେମ୍ବର ୧୭ତାରିଖରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍‌. ସିନ୍ଧିଆଙ୍କୁ ଚିଠି ଲେଖିଥିଲେ। ଗତ ୧୨ତାରିଖରେ କେନ୍ଦ୍ର ମନ୍ତ୍ରୀ ସିନ୍ଧିଆ ପ୍ରତ୍ୟୁତ୍ତରରେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଏହି ସୂଚନା ଦେଇଛନ୍ତି। ଏହାସହ ଲେଖିଛନ୍ତି ଯେ, ଭୁବନେଶ୍ବରରୁ ଜୟପୁରକୁ ବିମାନ ଉଡ଼ାଣ ପାଇଁ ରାଜ୍ୟ ସରକାର ପ୍ରାରମ୍ଭିକ ପ୍ରୋତ୍ସାହନ ଯୋଗ‌ାଇ ଦେବାକୁ ସହମତି ଜଣାଇଛନ୍ତି। ଏହି ରୁଟ୍‌ରେ ବିମାନ ଉଡ଼ାଣ ହେଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ ଏବଂ ଦୁଇ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହେବ।

ଅପରପକ୍ଷେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିପ୍ରା ଫାଉଣ୍ଡେସନର ଜାତୀୟ ଆବାହକ ଓ.ପି ମିଶ୍ରଙ୍କ ପତ୍ର ଆଧାରରେ ଗତ ସେପ୍ଟେମ୍ବର ୧୭ରେ ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପତ୍ର ଲେଖି ଭୁବନେଶ୍ବରରୁ ସିଧାସଳଖ ଜୟପୁରକୁ ବିମାନ ସେବା ଆରମ୍ଭ କରିବା ପାଇଁ ଅନୁରୋଧ କରିଥିଲେ। ଉଭୟ ରାଜ୍ୟରେ ଅନେକ ମନ୍ଦିର ଓ ପର୍ଯ୍ୟଟନ ସ୍ଥାନ ଥିବାବେଳେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କ ବୃହତ ସ୍ବାର୍ଥ ଦୃଷ୍ଟିରେ ପଦକ୍ଷେପ ନେବା ପାଇଁ ‌େକନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଥିଲେ। ଏହି ରୁଟ୍‌ରେ ବିମାନ ଉଡ଼ା‌ଣ ପାଇଁ ଅନୁମତି ପ୍ରଦାନ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଇଣ୍ଡିଗୋ ବିମାନ ଭୁବନେଶ୍ବରରୁ ଭାୟା ହାଇଦ୍ରାବାଦ ହୋଇ ଗୋଆକୁ ଉଡ଼ାଣ କରିବ। ବିମାନଟି ଅପରାହ୍ନ ୪ଟା ୪୦ରେ ଭୁବନେଶ୍ବରରୁ ବାହାରି ରାତି ୯ଟା ୨୦ରେ ଗୋଆରେ ଅବତରଣ କରିବ। ଏହାର ଭଡ଼ା ପ୍ରାୟ ୫ହଜାର ଟଙ୍କା ରହିଛି। ବିମାନଟି ପ୍ରତିଦିନ ଉଡ଼ାଣ କରିବ।

ସମ୍ବନ୍ଧିତ ଖବର