ମୟୂରଭଞ୍ଜରୁ ଦେଶର ବିଭିନ୍ନ ସ୍ଥାନକୁ ଉଡ଼ିବ ବିମାନ

ସାମ୍ବାଦିକ ସମ୍ମିଳନୀରେ ବିକାଶର ଲମ୍ବା ତାଲିକା ଦେଲେ ବିଶ୍ବେଶ୍ବର

ବାରିପଦା : ମୟୂରଭଞ୍ଜରୁ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନକୁ ବିମାନ ଉଡ଼ିବ। ପର୍ଯ୍ୟଟନ କ୍ଷେତ୍ରର ବିକାଶ ସହିତ ବିଶ୍ବ ଦରବାରରେ ପରିଚିତ ହେବ ଛଉନୃତ୍ୟ। କେବଳ ସେତିକି ନୁହେଁ, ରେଳପଥର ସମ୍ପ୍ରସାରଣ ସାଙ୍ଗକୁ ଅଧିକ ସଂଖ୍ୟାରେ ଟ୍ରେନ୍‌ ମଧ୍ୟ ଚଳାଚଳ କରିବ। ଏଥିପାଇଁ ବ୍ଲୁ’ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି। ଆଜି ବାରିପଦାରେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ବାର୍ଷିକ ରିପୋର୍ଟ କାର୍ଡ ରଖିବା ଅବସରରେ ବିକାଶର ଏହି ଗୋଲାପି ଚିତ୍ର ଆଙ୍କିଛନ୍ତି ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ର ଆଦିବାସୀ ବିକାଶ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ। ଏଥିସହ ଜିଲ୍ଲା ସମେତ ରାଜ୍ୟ ଓ ଦେଶରେ ନିଜ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସେ ସୂଚନା ଦେଇଛନ୍ତି।

ବାର୍ଷିକ ରିପୋର୍ଟ କାର୍ଡ ରଖିଲେ, ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ
କେନ୍ଦ୍ରର ପର୍ଯ୍ୟଟନ ବିକାଶ ଅର୍ଥ ହକିରେ ଖର୍ଚ୍ଚ ହୋଇଛି

କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ କହିଥିଲେ, ଖୁବ୍‌ଶୀଘ୍ର ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଏୟାରଷ୍ଟ୍ରିପର ଉନ୍ନୀତକରଣ ହେବାକୁ ଯାଉଛି। ସେହିପରି ବାରିପଦାରୁ ଉଡାନ୍‌ ଯୋଜନାରେ ବିମାନ ଚଳାଚଳ କରିବା ଫଳରେ ଦେଶ, ବିଦେଶରୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ମୟୂରଭଞ୍ଜକୁ ଆସି‌ବେ। ଏଥିନିମନ୍ତେ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ ହୋଇଛି। ତେବେ, ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ର ଦେଇଥିବା ଅର୍ଥ ରାଜ୍ୟ ସରକାର ହକି ଖେଳ ପଛରେ ଖର୍ଚ୍ଚ କରି ଦେଇଛନ୍ତି। କେନ୍ଦ୍ର ଦେଇଥିବା ଅର୍ଥର ବ୍ୟୟ ଅଟକଳ ଦେଖାଇ ପାରିବେନି ବୋଲି ଜାଣି ରାଜ୍ୟ ସରକାର ପ୍ରସ୍ତାବିତ ପର୍ଯ୍ୟଟନ କ୍ଷେତ୍ରଗୁଡିକର ତାଲିକା କେନ୍ଦ୍ରକୁ ପଠାଉ ନଥିବା ସେ ଅଭିଯୋଗ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ୧୮ ଓ ୪୯ ନମ୍ବର ଜାତୀୟ ରାଜପଥର ପ୍ରଶକ୍ତୀକରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ସୁବର୍ଣ୍ଣରେଖା ପ୍ରକଳ୍ପ କିଭଳି ପୂର୍ଣ୍ଣାଙ୍ଗ ହୋଇପାରିବ, ସେଥିନିମନ୍ତେ ସେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ଏକାଧିକଥର ଆଲୋଚନା କରିଛନ୍ତି। ଆସନ୍ତା ୨୦୨୪ ସୁଦ୍ଧା ‘ଜଳ ଜୀବନ ମିସନ୍‌’ ଯୋଜନ‌ାରେ ସବୁ ଗାଁକୁ ବିଶୁଦ୍ଧ ପାନୀୟ ଜଳ ପହଞ୍ଚିବ। ଏଥିସହ ଜିଲ୍ଲାରେ ରେଳବାଇର ବିକାଶ ସଂପର୍କରେ ସେ ରେଳମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି ଏବଂ ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ ମଧ୍ୟ କେନ୍ଦ୍ର ସରକାର ସବୁପ୍ରକାର ଉଦ୍ୟମ କରୁଥିବା କହିଥିଲେ। ଶିଳ୍ପବିହୀନ ମୟୂରଭଞ୍ଜ ଜିଲ୍ଲାରେ ଅଧିକାଂଶ ଉନ୍ନୟନ ପ୍ରକଳ୍ପ ଓ କାର୍ଯ୍ୟକ୍ରମ ଆସନ୍ତା ବର୍ଷେ, ଦୁଇବର୍ଷ ମଧ୍ୟ‌ରେ ସରିବ। ମାତ୍ର , ରାଜ୍ୟ ସରକାର ରାଜନୈତିକ ଅଭିସନ୍ଧି ରଖି ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ସହଯୋଗ କରୁନଥିବା ଓ ମୟୂରଭଞ୍ଜ ପ୍ରତି ଅବହେଳା କରୁଥିବା ସେ ଅଭିଯୋଗ କରିଥିଲେ।

ସାମ୍ବାଦିକ ସମ୍ମିଳନୀରେ ଉଦଳା ବିଧାୟକ ଭାସ୍କର ମଢ଼େଇ, ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ଓ ପୂର୍ବ ସାଂଗଠନିକ ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ୍‌ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର