ମହୋଦଧିରୁ ମିଳିଲା ଭାସମାନ ପଥର

ପୁରୀ : ମହୋଦଧିରୁ ମିଳିଛି ଏକ ଭାସମାନ ପଥର ଖଣ୍ଡ। ସମୁଦ୍ରକୁ ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବ‌େଳେ ସନ୍ତୋଷ କୁମାର ଜାଲି ନାମକ ଜଣେ ବ୍ୟକ୍ତି ଏହି ପଥରଟିକୁ ଦେଖିଥିଲେ। ଏହାକୁ ଆଣି ସେବାୟତ ଶମ୍ଭୁନାଥ ଖୁଣ୍ଟିଆଙ୍କୁ ଦେଇଥିଲେ। ପଥରର ଏହି ବିଶେଷତ୍ବକୁ ପରଖିବା ଲାଗି ଏହାକୁ ମାର୍କଣ୍ଡେୟ ପୁଷ୍କରିଣୀରେ ଭସାଇବାରୁ ପଥରଟି ସେଠାରେ ମଧ୍ୟ ଭାସିଥିଲା। ସୋସିଆଲ ମିଡିଆରେ ଏହି ଭାସମାନ ପଥର ସମ୍ପର୍କିତ ଖବର ପ୍ରଚାର ହେବାପରେ ଏହାକୁ ନେଇ ବିଭିନ୍ନ ମତ ପ୍ରକାଶ ପାଇଛି। କେହି କେହି ଏହାକୁ ତ୍ରେତୟା ଯୁଗରେ ବନ୍ଧା ଯାଇଥିବା ସେତୁବନ୍ଧ ଶିଳା କହୁଥିବାବେଳେ କେହି ପଥରର ବିଶେଷତ୍ବ ପରଖିବା ପାଇଁ ଲାବୋରେଟୋରିକୁ ନେବା ପାଇଁ ମତ ରଖୁଛନ୍ତି।

ଶ୍ରୀ ଖୁଣ୍ଟିଆ କହିଛନ୍ତି ସରକାରଙ୍କ ପକ୍ଷରୁ ଯଦି ଏହି ପଥର ସମ୍ପର୍କରେ ପରୀକ୍ଷାନିରୀକ୍ଷା କରାଯାଏ, ତେବେ ବାସ୍ତବ ତଥ୍ୟ ସାମ୍ନାକୁ ଆସିପାରନ୍ତା। ସୂଚନାଯୋଗ୍ୟ ଗତକାଲି ଗୋସାଣୀ ଯାତ୍ରା ତଥା ଭସାଣ ଉତ୍ସବ ଚାଲିଥିବା ବେଳେ ସମୁଦ୍ରରେ ଲହଡ଼ି ମାଡ଼ରେ ପଥରଟି ଭାସୁଥିବା ଦେଖିବାକୁ ପାଇଥିଲେ ଶ୍ରୀ ଜାଲି। ଏହା ଗବେଷଣାସାପେକ୍ଷ ହୋଇଥିବାରୁ ଏହାକୁ ଗୁରୁତ୍ବର ସହ ନେବାକୁ ପୁରୀ ସହରରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର