ବାଲିଆପାଳ: ସୁବର୍ଣ୍ଣରେଖା ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିବା ଫଳରେ ବାଲିଆପାଳ ବ୍ଲକ୍ ଜାମକୁଣ୍ଡା ପଞ୍ଚାୟତ ଅଧୀନ ତାଳପଦା ଗାଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ୩ଟି ୱାର୍ଡ ବିଶିଷ୍ଟ ଏହି ଗାଁ’ରେ ପାଖାପାଖି ୨ ହଜାରରୁ ଲୋକ ବସବାସ କରନ୍ତି। ସେମାନଙ୍କ ମଧ୍ୟରୁ ୭୦ ଭାଗ ଲୋକ ଅନୁସୂଚିତ ଜାତିର ଲୋକ। ଯେଉଁମାନେ ନଦୀରୁ ମାଛମାରି ଓ ମୂଲଲାଗି ପେଟ ପୋଷନ୍ତି। ଚଳିତ ବନ୍ୟାରେ ଗ୍ରାମଟି ସଂପୂର୍ଣ୍ଣ ଭାବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଥିଲା। ଗାଁକୁ ପ୍ରଚାର ଗାଡ଼ି ଯାଇ ନପାରିବାରୁ ସ୍ଥାନୀୟ ଜନପ୍ରତିନିଧିଙ୍କଠାରୁ ଖବର ପାଇ କିଛି ଲୋକ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଇଥିଲେ। ଅନେକ ଲୋକ ଘର ଛାଡ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ ବନ୍ୟାପାଣି ମାଡ଼ି ଆସିଥିଲା। ଫଳରେ ସେମାନେ ଜଳବନ୍ଦି ହୋଇ ରହିଥିଲେ। ଉଦ୍ଧାରକାରୀ ଦଳ ମଧ୍ୟ ସେମାନଙ୍କ ପାଖକୁ ଯାଇ ପାରି ନଥିଲେ। ବଡ଼ମାନଙ୍କ କଥା ଛାଡ଼ନ୍ତୁ, ଛୋଟ ଛୋଟ ପିଲାମାନେ ଅତି ଦୟନୀୟ ଭାବେ ଭୋକଉପବାସରେ ଦିନ କାଟିଥିବା ସଞ୍ଜୟ ଦଳେଇ ଓ ବାସ ଦଳେଇ କହିଛନ୍ତି।
ସେହିପରି ସଞ୍ଜୟ ଓ ବାସଙ୍କ ସହ ଜଗଦୀଶ କଅଁର, ଅରୁଣ ମଙ୍ଗରାଜ, ଗୋବନ୍ଦ ମଙ୍ଗରାଜ, ବସନ୍ତ ଦଳାଇଙ୍କ ଘର ଭାଙ୍ଗି ମାଟିରେ ମଶିଯାଇଛି। ବନ୍ୟାପାଣି କମିବା ପରେ ଘର ଭାଙ୍ଗିଥିବା ବ୍ୟକ୍ତିମାନେ ପୁଣିଥରେ ସେମାନଙ୍କ ଘର ସଜାଡ଼ିବାରେ ଲାଗିପଡ଼ିଛନ୍ତି ଆଉ ବଞ୍ଚିବାର ରାହା ଖୋଜୁଛନ୍ତି। ବନ୍ୟା ଯୋଗୁଁ ଗ୍ରାମରେ ଥିବା ନଳକୂଅଗୁଡ଼ିକର ପାଣି ଦୂଷିତ ହୋଇଯାଇଛି। ତେବେ କିଛି ବିକଳ୍ପ ନଥିବାରୁ ଗ୍ରାମବାସୀ ଦୂଷିତ ନଳକୂଅ ପାଣି ପିଉଛନ୍ତି। ଲୋକଙ୍କୁ ଏଯାଏ ଆବଶ୍ୟକ ରିଲିଫ୍ ମିଳିନି। ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଚୁଡ଼ା ଓ ଗୁଡ଼ ସମୁଦ୍ରକୁ ଶଂଖେ ପରି। ତେଣୁ ଲୋକମାନେ ଭୋକଉପାସରେ ରହିଛନ୍ତି। ଗ୍ରାମକୁ ସଂଯୋଗ କରୁଥିବା ଆର୍ଡି ରାସ୍ତା ଧୋଇଯାଇଛି। ବଡ଼ ବଡ଼ ଘାଇ ସୃଷ୍ଟି ହୋଇଛି। ଏବେ ପରିସ୍ଥିତି ଏମିତି; ଗ୍ରାମର କେହି ଅସୁସ୍ଥ ହେଲେ କିମ୍ବା ପ୍ରସବ ଯନ୍ତ୍ରଣା ପାଇଲେ ଡାକ୍ତରଖାନା ନେବାକୁ ଦଉଡ଼ିଆ ଖଟ ଓ ଡଙ୍ଗା ଭରସା ବୋଲି କହିଛନ୍ତି ଗ୍ରାମବାସୀ। ବିପଦ ଥିବାରୁ ପିଲାମାନଙ୍କ ପାଠପଢ଼ା ବନ୍ଦ ହୋଇଯାଇଛି। କୁହ୍ଲାଚଡ଼ଠାରୁ ତାଳପଦା ଯାଏ ଏକ ସ୍ଥାୟୀ ପୋଲ ନିର୍ମାଣ କାମ ଚାଲିଥିବା ବେଳେ ଲକ୍ଷାଧିକ ଟଙ୍କା ବ୍ୟୟରେ ଠିକାଦାର ଅସ୍ଥାୟୀ ପୋଲ ନିର୍ମାଣ କରିଥିଲେ। ଯାହା ନଦୀସ୍ରୋତରେ ଭାସିଯାଇଛି। ସେହିପରି ଚିଙ୍ଗୁଡ଼ି ଚାଷ କରିଥିବା ଚାଷୀମାନେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଛନ୍ତି।
ଏପରି ସମୟରେ ଗ୍ରାମକୁ ସ୍ଥାୟୀ ରାସ୍ତା ନିର୍ମାଣ ଏବଂ ବନ୍ୟାବିପନ୍ନଙ୍କୁ ତୁରନ୍ତ ରିଲିଫ୍ ଯୋଗାଇବା ପାଇଁ ରାମଚନ୍ଦ୍ର ସାହୁ, ପ୍ରବୋଧ ମଙ୍ଗରାଜ, ଦିବାକର ସାହୁ, ନିତ୍ୟାନନ୍ଦ ସାହୁ, କାହ୍ନୁଚରଣ ଜେନା, ପ୍ରଫୁଲ୍ଲ ସାହୁ, ମାର୍କଣ୍ଡ ସାହୁ ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପଟେ ରାସ୍ତାର ଘାଇ ସ୍ଥାନରେ ତୁରନ୍ତ ବାଲିବସ୍ତା ପକାଯିବାର ବ୍ୟବସ୍ଥା ହୋଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଏସ୍ଡିଓ କହିଛନ୍ତି। ସେହିପରି ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ପହଞ୍ଚି ସ୍ବାସ୍ଥ୍ୟ ପରୀକ୍ଷା ସହ ଔଷଧ ଦିଆଯାଉଥିବା ସୁପରଭାଇଜର ରମାନାଥ କର କହିଛନ୍ତି। ଗ୍ରାମବାସୀଙ୍କୁ କିପରି ଆବଶ୍ୟକ ସୁବିଧା ଯୋଗାଯିବ, ସେନେଇ ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଥିବା ତହସିଲଦାର ଦୀପକ କୁମାର ଦାସ ସୂଚନା ଦେଇଛନ୍ତି।