ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଓଡ଼ିଶା ଉପକୂଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ବାୟୁମଣ୍ଡଳରେ ସମୁଦ୍ର ପତ୍ତନ ଠାରୁ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି। ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ମତ୍ସ୍ୟଜୀବୀମାନଙ୍କୁ ୨୦ରୁ୨୨ ଯାଏଁ ସମୁଦ୍ର ମନା ହୋଇଛି। ସକ୍ରିୟ ମୌସୁମୀ ପ୍ରବାହ ତଥା ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳ ତଥା ପାର୍ଶ୍ଵବର୍ତ୍ତୀ ଉତ୍ତରପଶ୍ଚିମ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଝଡ଼ପବନ ତଥା ଝଟକା ପବନର ଘଣ୍ଟାପ୍ରତି ବେଗ ୪୦ରୁ ୫୦କିମି ସମ୍ଭାବନା ହେତୁ ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷାରୁ ଅକସ୍ମାତ ବନ୍ୟା ସ୍ଥିତି ସହ ଭୂସ୍ଖଳନ ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଏଥିରେ ସାମିଲ ରହିଛି। ସେହିଭଳି କିଛି ଜିଲ୍ଲାରେ ପ୍ରବଳ ବର୍ଷାରୁ ଅକସ୍ମାତ ବନ୍ୟା ସ୍ଥିତି ଆଶଙ୍କା ରହିଛି। ତଳିଆ ଅଞ୍ଚଳରେ ପାଣିଜମିବା ସହ ସହର ଅଞ୍ଚଳରେ ଟ୍ରାଫିକ ଜନିତ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି।
ଅନ୍ୟପଟରେ ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ମୌସୁମୀ ନିମ୍ନ ଚାପ ରେଖା ଆଜି ରାଜସ୍ଥାନର ବିକେନାରରୁ ବାହାରି, ନାରନୁଲ, ଶିବପୁରୀ, ମାଣ୍ଡଲା, ଆମ୍ବିକାପୁରରୁ ଓଡ଼ିଶାର ଚାନ୍ଦବାଲି ମଧ୍ୟ ଦେଇ ଦକ୍ଷିଣ-ପୂର୍ବ ଦିଗରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି।