ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର: ମୋଟୁବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି

ମାଲକାନଗିରି/ କାଲିମେଳା: ମାଲକାନଗିରି ଜିଲ୍ଲାର ମୋଟୁବାସୀଙ୍କ ଦୁର୍ଦ୍ଦଶା କମି ନଥିବା ବେଳେ ସେମାନଙ୍କୁ କିନ୍ତୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ପୋଲାଭରମ ବା ଗୋଦାବରୀ ନଈର ପଛୁଆ ପାଣି ଯୋଗୁ ମାଲକାନଗିରି ମୋଟୁ ଅଞ୍ଚଳରେ ଲାଗି ରହିଥିବା ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ତେବେ ପୁରୁଣା ମୋଟୁ ଓ ମୋଟୁ ଫରେଷ୍ଟ ବିଟ୍ ହାଉସ ତଳ ଏବେ ବି ଜଳମଗ୍ନ ହୋଇ ରହିଛି।

ଗତକାଲି ଗୋଦାବରୀ ନଦୀର ଜଳସ୍ତର ୮୦ ଫୁଟ୍ ଉଚ୍ଚରେ ପ୍ରବାହିତ ହେଉଥିବା ବେଳେ ଆଜି ଏହା ୬୩ ଫୁଟକୁ ଖସି ଆସିଛି। ହେଲେ ଏବେ ବି ତିନି ନମ୍ବର ବିପଦ ସଙ୍କେତଠାରୁ ୧୨ ଫୁଟ ଉପରେ ପ୍ରବାହିତ ହେଉଛି। ଗତ ୪ ଦିନ ହେବ ବୁଡ଼ି ରହିଛି ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳ।ଗତକାଲି ମୋଟୁ ହାଇସ୍କୁଲ ପର୍ଯ୍ୟନ୍ତ ବନ୍ୟା ପାଣି ମାଡି ଆସିଥିଲେ ମଧ୍ୟ ଆଜି ଦିନ ୧୧ଟା ସୁଦ୍ଧା ବନ ବିଭାଗ କାର୍ଯ୍ୟାଳୟ ନିକଟରେ ରହିଥିବାର ସୂଚନା ମିଳିଛି। ତଥାପି ପ୍ରଶାସନ ଏହା ଉପରେ ଦୃଷ୍ଟି ରଖିଥିବାର ଜଣା ପଡିଛି ପ୍ରତିବର୍ଷ ବନ୍ୟାରେ ଏହି ଅଞ୍ଚଳ ବନ୍ୟାର ସମ୍ମୁଖୀନ ହୋଇ ନଦୀ ଗର୍ଭରେ ଲୀନ ହେବାକୁ ବସିଲାଣି। ଚଳିତ ବର୍ଷ ମୋଟୁ ପାଇଁ ବର୍ଷା ପ୍ରଳୟ ନେଇ ଆସିଥିବା କୁହାଯାଉଛି। ମୋଟୁ ପୁରୁଣା ବସ୍ତି ସଂପୂର୍ଣ୍ଣ ବୁଡ଼ି ଯିବାରୁ ଏଠାରେ ରହୁଥିବା ୧୫ ପରିବାରକୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ସେହିପରି ନୂଆ ମୋଟୁ ଓ ବିନାୟକପୁର ଗାଁର ମୋଟ୍ ୫୦ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାର ଖବର ମିଳିଛି।

ସମ୍ବନ୍ଧିତ ଖବର