ମହାନଦୀରେ ବନ୍ୟା: କୃଷି ଓ ଅଗ୍ନିଶମ ବିଭାଗର କାର୍ଯ୍ୟାଳୟ ଜଳାର୍ଣ୍ଣବ, ବାଙ୍କୀରୁ ଖୋର୍ଦ୍ଧା ଓ କଳାପଥର ଯୋଗାଯୋଗ ବିଚ୍ଛିନ୍ନ

୨୦ ହଜାର ଲୋକ ପ୍ରଭାବିତ, ୧୫ ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡ଼ିଲା

ବାଙ୍କୀ: ହୀରାକୁଦ ଜଳଭଣ୍ଡାରରୁ ୪୬ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ହେବା ପରେ ଗମ୍ଭୀର ହେବାରେ ଲାଗିଛି କଟକ ଜିଲ୍ଲାର ବାଙ୍କୀରେ ବନ୍ୟା ପରିସ୍ଥିତି। ମହାନଦୀରେ ଏବେ ବିପଦ ସଂକେତର ବହୁ ଉପରେ ଜଳ ପ୍ରବାହିତ ହେଉଛି। ଅନେକ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଛି। ପୁରୁଖା ଲୋକମାନେ ୧୯୮୨ ମସିହାର ମହାବନ୍ୟା ଓ ଖୁଦୁରୁକୁଣୀ ଶେଷପାଳିକୁ ମନେ ପକାଇଛନ୍ତି।

ବର୍ତ୍ତମାନର ବନ୍ୟା ପରିସ୍ଥିତିକୁ ଦେଖି ପୁରୁଖା ଲୋକେ କୁହନ୍ତି, ୧୯୮୨ ମସିହାର ପ୍ରଳୟଙ୍କରୀ ବନ୍ୟା ଏବଂ ଖୁଦୁରୁକୁଣୀ ଶେଷପାଳି ଓଷା ଏମିତି ସ୍ଥାନୀୟ ଲୋକଙ୍କର ଜୀବନକୁ ଅସ୍ତବ୍ୟସ୍ତ କରିଥିଲାା ବନ୍ୟାର ସେହି ଦିନକୁ ଏବେ ବି ମନେପଡୁଛି। ସେଦିନ ଥିଲା ଅଗଷ୍ଟ ୩୧ ତାରିଖ ଖୁଦୁରୁକୁଣୀ ଶେଷପାଳି ଓଷାର ପରଦିନ । ମହାନଦୀର ବନ୍ୟା ଜଳ ବାଙ୍କୀ ସହର ମଧ୍ୟସ୍ଥ ରେଣୁକା ନଦୀବନ୍ଧରେ ପ୍ରାୟ ଦୁଇଶହ ମିଟର ଭାଙ୍ଗି ସହରକୁ ଦୁଇଭାଗରେ ବିଭକ୍ତ କରିଦେଇଥିଲା । ସଂଯୋଗ ବଶତଃ ପୁଣି ଅଗଷ୍ଟ ୩୦ରେ ଆସିଛି ମହନଦୀରେ ବନ୍ୟା ଏବଂ ଶେଷପାଳି ଓଷା ।

ସନ୍ଧ୍ୟା ୫ଟା ବେଳକୁ ବାଙ୍କୀ ବିଜ୍ଞାପିତ ଅଂଚଳ ପରିଷଦର ୧୫, ୧୬, ୧୭ ନମ୍ବର ଓ୍ଵାର୍ଡରେ ପାଣି ଭର୍ତ୍ତି ହୋଇଛି। କୃଷି ଅଧିକାରୀ ଓ ଅଗ୍ନିଶମ ବିଭାଗର କାର୍ଯ୍ୟାଳୟରେ ପାଣି ପ୍ରବେଶ କରିଛି। ଏଠାରେ ପ୍ରାୟ ୩ଫୁଟ ଉଚ୍ଚର ପାଣି ଭର୍ତ୍ତି ହୋଇଛି। ବାଙ୍କୀରୁ ଖୋର୍ଦ୍ଧା ଓ କଳାପଥର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହି ୨ଟି ରାସ୍ତା ଜଳମଗ୍ନ ହୋଇଛି। ସେହିପରି ବାଙ୍କୀ-କଳାପଥର ରାସ୍ତାର ଚନ୍ଦ୍ରପା ସେତୁ ଉପରେ ୪ ଫୁଟ ପାଣି ପ୍ରବାହିତ ହେଉଛି।

ବାଙ୍କୀ ବିଡିଓ ପ୍ରଭାତ କୁମାର ସାହୁ ସୂଚନା ଦେଇଛନ୍ତି ଯେ, ସୁଖୁଆଖଳା, ବିଲପଡ଼ା, କଇଁମୁଣ୍ଡି, ଚାରିଖରିଆ, ଓସ୍ତିଆ, ସାଆଁପୁର ପାଣିଘେରରେ ରହିଥିବା ବେଳେ ୭୫୦୦ ଲୋକ ପ୍ରଭାବିତ ବୋଲି ଦେଇଛନ୍ତି। ଡମପଡ଼ା ବ୍ଲକର ୧୧,୭୦୦ ଲୋକ ବନ୍ୟା ଜଳରେ ପ୍ରଭାବିତ। ୧୫ ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର