ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ବନ୍ୟା ଚିନ୍ତା ଘାରିଛି। ଆ‌ଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ବନ୍ୟା ପରିସ୍ଥିତି ପୂର୍ବରୁ ରାଜ୍ୟର ସମସ୍ତ ଦୁର୍ବଳ ନଦୀ ବନ୍ଧଗୁଡ଼ିକୁ ଅଧିକ ସୁଦୃଢ଼ କରିବା ଓ ସେଥିପାଇଁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ନିୟନ୍ତ୍ରଣ କକ୍ଷକୁ ୨୪ ଘଣ୍ଟିଆ ଖୋଲିବା ସହ ସମସ୍ତ ଅଧିକାରୀ ପ୍ରସ୍ତୁତ ରହିବାକୁ କୁହାଯାଇଛି। ତହସିଲଦାର ଏବଂ ବିଭାଗୀୟ ଅଧିକାରୀମାନେ ଦୁର୍ବଳ ନଦୀ ବନ୍ଧଗୁଡ଼ିକର ତଦାରଖ କରି ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।

Advertisment

ଚାରିଟି ବୈଷୟିକ କମିଟି ଗଠନ ହେବ
୧୦୦ଦିନରେ ବିଭାଗୀୟ ଅଧିକାରୀ ରିପୋର୍ଟ ଦେବେ
ସମସ୍ତ ନିର୍ମାଣାଧୀନ ପ୍ରକଳ୍ପ ତୁରନ୍ତ ସାରିବାକୁ ନିର୍ଦ୍ଦେଶ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଳସମ୍ପଦ ବିଭାଗର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ। କେଉଁ କାରଣ ପାଇଁ ପ୍ରକଳ୍ପଗୁଡ଼ିକ ବିଳମ୍ବ ହେଉଛି ତା’ର ତାଲିକା ପ୍ରସ୍ତୁତ କରି ଏହାର ସମାଧାନ ନେଇ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମେଗା ଜଳସେଚନ ପ୍ରକଳ୍ପ, ମଧ୍ୟମ ଜଳସେଚନ ପ୍ରକଳ୍ପ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, କେନାଲ, ଗଭୀର ନଳକୂପ ଖନନ ଗୁଡ଼ିକ କେଉଁ ଜିଲ୍ଲାରେ କେତେ ଅଛି, କେତେ ନିର୍ମାଣାଧୀନ ଅଛି ପଚାରି ବୁଝିଥିଲେ। ସମସ୍ତ ନିର୍ମାଣାଧୀନ ପ୍ରକଳ୍ପକୁ ତୁରନ୍ତ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାବାଦ୍ ବିଜେପିର ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ଚାରିଟି ପ୍ରତିଶ୍ରୁତି ଯଥା ୧. ଉତ୍ତମ ବନ୍ୟା ନିୟନ୍ତ୍ରଣ ଓ ପରିଚାଳନା ପାଇଁ ନୀତି ନିର୍ଦ୍ଧାରଣ, ୨. ମହାନଦୀ ରିଜୁଭେନେସନ୍ ଓ ରୁଲ୍‌ କର୍ଭର ସମୀକ୍ଷା, ୩. ଜଳ ସଂରକ୍ଷଣ ନୀତି ପ୍ରସ୍ତୁତ କରିବା, ୪. ଅନ୍ତଃ ନଦୀ ଜଳ ପଥର ଉନ୍ନତି କରଣ ଓ ସମୟାନୁକ୍ରମିକ ଜଳଭଣ୍ଡାରରୁ ପଟୁ ଉଦ୍ଧାର ଓ ଖନନ ଆଦି କାର୍ଯ୍ୟ ପାଇଁ ବୈଷୟିକ କମିଟି ଗଠନ କରାଯାଇ ୧୦୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ କହିଛନ୍ତି ଯେ ଚଳିତ ବର୍ଷା ଋତୁରେ ବନ୍ୟାକୁ ନେଇ ବିଭାଗ କେତେ ପ୍ରସ୍ତୁତ ଅଛି ସେ ନେଇ ଆଜି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। କେଉଁ କେଉଁ ନଦୀରେ ବିଶେଷ ବନ୍ୟା ହୋଇଥାଏ, ମହାନଦୀର ଜଳ ପରିଚାଳନା, ହୀରାକୁଦର କେବେ ଗେଟ୍ ଖୋଲାଯାଏ, ବିଭିନ୍ନ ଡ୍ୟାମ୍‌ର ସ୍ଥିତି, ବନ୍ୟା ଦୃଷ୍ଟିରୁ ‌ସମ୍ବେଦନଶୀଳ ଅଞ୍ଚଳ, ବନ୍ୟା ହେଲେ ଲୋକଙ୍କୁ ସ୍ଥାନାନ୍ତରଣ, ପଶୁସମ୍ପଦର ସୁରକ୍ଷା ଆଦି ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା।
ଏହି ବୈଠକରେ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।