ଖତଖିଆ ବୋଟ୍‌ରେ ବନ୍ୟା ମୁକାବିଲା!

ଆନନ୍ଦପୁର : ବନ୍ୟା ପ୍ରଭାବିତ ଆନନ୍ଦପୁର ଅଞ୍ଚଳକୁ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ତିନିଟି ରିଲିଫ ବୋଟ୍‌ ପ୍ରଦାନ କରାଯାଇଥିଲା। ବନ୍ୟା ଆସିଲେ ପାଣିଘେରରେ ଥିବା ଲୋକଙ୍କ ପାଖରେ ଏହି ବୋଟ୍‌ ସାହାଯ୍ୟରେ ରିଲିଫ ସାମଗ୍ରୀ ପହଞ୍ଚାଇବା ମୂଳ ଉଦ୍ଦେଶ୍ୟ ଥିଲା। ଆନନ୍ଦପୁରରେ ଦୀର୍ଘ ୧୫ବର୍ଷ ହେଲା ସରକାରଙ୍କ ପକ୍ଷରୁ ବନ୍ୟା ମୁକାବିଲା ପାଇଁ ଦିଆଯାଇଥିବା ଦୁଇଟି ବୋଟ୍ ଅଚଳ ହୋଇ ପଡ଼ିଥିବାବେଳେ ଅନ୍ୟ ଏକ ବୋଟ୍‌ର ଚିହ୍ନବର୍ଣ୍ଣ ହଜିଗଲାଣି। ଏହାର ଦାୟିତ୍ବରେ ଥିବା କର୍ମଚାରୀମାନେ ହାତବାନ୍ଧି ବସିଛନ୍ତି। ଘରେ ରହି ଦରମା ନେଉଥିବା ଅଭିଯୋଗ ହେଉଛି।

ଉପରମୁଣ୍ଡରେ ବର୍ଷା ହେଲେ ବୈତରଣୀରେ ବନ୍ୟା ଆସିଥାଏ। ପ୍ରତିବର୍ଷ ଏକାଧିକ ଥର ବୈତରଣୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ। ଫଳରେ ଆନନ୍ଦପୁର ଉପଖଣ୍ଡର ଆନନ୍ଦପୁର, ହାଟଡିହି, ଘସିପୁରା ବ୍ଲକ୍‌ର ଅନେକ ନଦୀକୂଳିଆ ଗ୍ରାମରେ ପାଣି ପଶିବା ସହ ପରିସ୍ଥିତି ଅଣାୟତ୍ତ ହୋଇଥାଏ। ପାଣିଘେରରେ ଦିନଦିନ ରହୁଥିବା ଲୋକେ ଖାଦ୍ୟ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ଆନନ୍ଦପୁରରେ ବନ୍ୟା ମୁକାବିଲା ପାଇଁ ତିନିଟି ରିଲିଫ ବୋଟ୍ ପ୍ରଦାନ କରାଯାଇଥିଲା। ଏହି ବୋଟ୍‌ ସାହାଯ୍ୟରେ ସରକାରୀ ଅଧିକାରୀମାନେ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସମୀକ୍ଷା କରିବା ସହ ବିପନ୍ନଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚାଇଥାନ୍ତି। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏହି ବୋଟ୍ ଗୁଡ଼ିକ ଏବେ ନଦୀକୂଳରେ ଅଚଳ ହୋଇ ପଡ଼ିରହିଛି। ଏହା କୌଣସି କାମରେ ଆସୁନି।

ଗୋଟିଏ ବୋଟ୍‌ର ଚିହ୍ନବର୍ଣ୍ଣ ନ ଥିବାବେଳେ ଦୁଇଟି ବୋଟ୍ ଘସିପୁରା ଡଙ୍ଗାଘାଟରେ ପଡ଼ିପଡ଼ି ନଷ୍ଟ ହେଉଥିବା ଦେଖିବାକୁ ମିଳିଛି। ରକ୍ଷଣାବେକ୍ଷଣ ଅଭାବରୁ ବୋଟ୍‌ରେ ଗଛଲତା ମାଡ଼ିଗଲାଣି। ଯନ୍ତ୍ରାଂଶ ସବୁ ନଷ୍ଟ ହୋଇ ଖତ ଖାଇବାକୁ ବସିଲାଣି। ଅନ୍ୟପକ୍ଷରେ ଏହି ବୋଟ୍ ଗୁଡ଼ିକର ଦାୟିତ୍ବରେ ଥିବା ବୋଟ୍‌ ଚାଳକ ସୁଦର୍ଶନ ନାୟକ, ସହଯୋଗୀ କୁଳମଣି ସାହୁ, ଖଲାସି କ୍ଷୀରସିନ୍ଧୁ ମହାନ୍ତ, ପିଅନ ଶଙ୍କର୍ଷଣ ନାୟକ ପ୍ରମୁଖ କେବଳ ବସିବସି ଦରମା ନେଉଥିବା ଅଭିଯୋଗ ହେଉଛି। ଏହି କର୍ମଚାରୀମାନେ ରାଜସ୍ବ ବିଭାଗ ପକ୍ଷରୁ କ୍ବାର୍ଟର୍ସ ମଧ୍ୟ ପାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଆନନ୍ଦପୁର ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତଙ୍କୁ ପଚାରିବାରୁ, ବୋଟ୍‌ ଗୁଡ଼ିକ ଅଚଳ ହୋଇଯାଇଥିବା ନେଇ ଏସ୍‌ଆର୍‌ସିଙ୍କୁ ରିପୋର୍ଟ ଦିଆଯାଇଛି। ପୂର୍ବରୁ ଏହି ବୋଟ୍‌ ଗୁଡ଼ିକ ନିୟମିତ ଭାବେ କାମରେ ଲାଗୁଥିଲା। ପୋଲ ନିର୍ମାଣ ପରେ ଏହାର ଆବଶ୍ୟକତା କମିଯାଇଥିବା ଶ୍ରୀ ଦତ୍ତ କହିଛନ୍ତି।

ସମ୍ବନ୍ଧିତ ଖବର