ଯାଜପୁରରେ ବନ୍ୟା କ୍ଷୟକ୍ଷତି ୧୧ କୋଟି ୨୩ ଲକ୍ଷ

ଯାଜପରସଦର : ଯାଜପୁର ଜିଲ୍ଲାରେ ଗତ ଅଗଷ୍ଟରେ ଲଗାଣ ବର୍ଷା ଓ ବନ୍ୟାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ଆସିଛି। ଘାଇ ହେବାରୁ ଦଶରଥପୁର ବ୍ଲକ୍ ବିଶେଷ ଭାବେ ପ୍ରଭାବିତ ହୋଇଥିଲା। ଲଗାଣ ବର୍ଷାରେ ବହୁ କଚ୍ଚା ଘର ମଧ୍ୟ ଭାଙ୍ଗିଥିଲା। ଏଥିରେ ଧାନ ଫସଲ ଓ ପନିପରିବା ଚାଷ ନଷ୍ଟ ହୋଇଛି। ଜିଲ୍ଲାର ସମସ୍ତ ବିଭାଗର ଆକଳନ ପରେ କ୍ଷୟକ୍ଷତି ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି।

ଅଗଷ୍ଟ ମାସରେ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ସହ କେନ୍ଦୁଝରରେ ବର୍ଷା ହେବାରୁ ସପ୍ତାହ ମଧ୍ୟରେ ବୈତରଣୀରେ ଦୁଇଦୁଇ ଥର ବିପଦ ସଂକେତ ଅତିକ୍ରମ କରି ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା। ଫଳରେ ବୈତରଣୀର ଶାଖା କାଣୀର ବ୍ରହ୍ମଚାରୀପାଟଣାରେ ଘାଇ ହେବାରୁ ଅନେକ ଗାଁ ଚାଷଜମି ଜଳମଗ୍ନ ହୋଇଥିଲା। ଏଥିରେ ୭ ବ୍ଲକ ଅଧୀନ ୭୩ ପଞ୍ଚାୟତର ୩୨୬ ଟି ଗାଁର ୧ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ୧୭ ହଜାର ୭୨୩ ହେକ୍ଟର ଚାଷଜମି ପ୍ରଭାବିତ ହୋଇଥିବାବେଳେ ୧୧ କୋଟି ୧୯ ଲକ୍ଷର ଫସଲ ଓ ପନିପରିବା ଚାଷ କ୍ଷତି ହୋଇଥିବା ଆକଳନ କରାଯାଇଛି। ସେହିପରି ୪୫ଟି କଚ୍ଚା ଘର ମାଟିରେ ମିଶି ଯାଇଥିବା ବେଳେ ୩୪ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଘର ଓ ଚାଷକୁ ମିଶାଇ ମୋଟ ୧୧କୋଟି ୨୩ ଲକ୍ଷ ୭୩ ହଜାର ୯୦୦ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଦୁଇଦିନ ପାଇଁ ରିଲିଫ ସେଣ୍ଟରରେ ୬ ହଜାର ଲୋକଙ୍କ ପାଇଁ ଖାଦ୍ୟ ବାବଦକୁ ୭ଲକ୍ଷ ୨୦ ହଜାର ଟଙ୍କା ବ୍ୟୟ ହୋଇଛି। ବନ୍ୟା ଯୋଗୁ ମାଛଚାଷ ପ୍ରଭାବିତ ହୋଇଛି। ୨୧ ହେକ୍ଟର ପରିମିତ ୧୫୮ଟି ମାଛ ପୋଖରୀ ନଷ୍ଟ ହୋଇଥିବାରୁ ସେ ବାବଦରେ ମଧ୍ୟ ଲକ୍ଷାଧିକ ଟଙ୍କାର ଆର୍ଥିକ ସହାୟତା ଦାବି କରାଯାଇଛି। ବନ୍ୟାରେ ୩୨ ହଜାର ୨୫୮ ଗୃହପାଳିତ ପଶୁ ପ୍ରଭାବିତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର