ବଲାଙ୍ଗୀର ଛାରଖାର : ଶହଶହ ଲୋକ ବାସହରା

୫୧ଟି ରିଲିଫ୍‌ କେନ୍ଦ୍ରରେ ୧୮ ହଜାର ଲୋକଙ୍କୁ ଦିଆଯାଉଛି ରନ୍ଧାଖାଦ୍ୟ, ବଲାଙ୍ଗୀର ସହର ଓ ତୁଷୁରା ଏନ୍‌ଏସି ସମେତ ୫ ବ୍ଲକର ଲୋକ ପ୍ରଭାବିତ

ବଲାଙ୍ଗୀର : ବର୍ଷା ଛାଡ଼ିଯାଇଛି। ବଲାଙ୍ଗୀରରେ ପାଣି ବି କମିଯାଇଛି। କିନ୍ତୁ ଚାରିଆଡ଼େ ଛାରଖାର ଅବସ୍ଥା। କେଉଁଠି ପୋଲ ଭାଙ୍ଗିଯାଇଛି ତ ଆଉ କେଉଁଠି ଧୋଇଯାଇଛି ରାସ୍ତା। ହଜାର ହଜାର ପରିବାର ବେସାହାରା ହୋଇ ଯାଇଛନ୍ତି। ରିଲିଫ କେନ୍ଦ୍ରରେ ଦୁଇମୁଠା ଖାଇ ଜୀବନ ଜିଇଁବାକୁ ସଂଘର୍ଷ କରୁଛନ୍ତି। ଲଗାଣ ବର୍ଷାର ବନ୍ୟା ପରେ ଛାରଖାର ହୋଇଯାଇଛି ବଲାଙ୍ଗୀର ସହର। ଏବେ ବି ବିଭିନ୍ନ ପଡ଼ାର କିଛି ସ୍ଥାନରେ ପାଣି ଜମି ରହିଛି।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ସାରା ଲଗାଣ ବର୍ଷା ହୋଇଥିଲେ ହେଁ ମଙ୍ଗଳବାର ଗୋଟିଏ ଦିନରେ ବଲାଙ୍ଗୀର ସହରରେ ୫୫୫ ଏମଏମ ବର୍ଷା ହୋଇଥିଲା। ଏଥିରେ ବଲାଙ୍ଗୀର ପୌରାଞ୍ଚଳ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ବଲାଙ୍ଗୀର ସହରର ବନ୍ୟାରେ ବାସହରା ହୋଇ ପଡ଼ିଥିବା ୧୪ହଜାର ୭୩୦ ଲୋକଙ୍କୁ ପ୍ରଶାସନ ରିଲିଫ କେନ୍ଦ୍ରରେ ରଖିଛି। ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ତତ୍ୱାବଧାନରେ ରିଲିଫ କେନ୍ଦ୍ରଗୁଡ଼ିକରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି।

ଅନ୍ୟପଟେ ଜିଲ୍ଲାର ୫ଟି ବ୍ଲକ ଯଥା- ଗୁଡ଼ଭେଲା, ପୁଇଁନ୍ତଲା, ବଲାଙ୍ଗୀର, ଦେଓଗାଁ, ଲୋଇସିଂହାର ଲକ୍ଷାଧିକ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ବଲାଙ୍ଗୀର ପୌରାଞ୍ଚଳକୁ ମିଶାଇ ସମୁଦାୟ ୧୮ହଜାର ଲୋକଙ୍କୁ ଏବେ ଉଦ୍ଧାର କରାଯାଇ ରିଲିଫ କେନ୍ଦ୍ରଗୁଡ଼ିକରେ ରଖାଯାଇଛି। ବହୁ ଲୋକଙ୍କ ପାଖକୁ ଏବେ ବି ପ୍ରଶାସନ ପହଞ୍ଚି ପାରି ନାହିଁ।

ପ୍ରବଳ ବର୍ଷାରେ ବନ୍ୟା ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି। କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଜିଲ୍ଲାର ଜାତୀୟ ରାଜପଥ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ପୌରପାଳିକାର ରାସ୍ତାମାନ ପାଣିର ସ୍ରୋତରେ ଭାଙ୍ଗିଯାଇଛି। ମୁଖ୍ୟତଃ ବଲାଙ୍ଗୀର ସହର ଓ ଗୁଭେଲା ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। କେବଳ ଗୁଡ଼ଭେଲା ବ୍ଲକରେ ୨୩ଟି ଗାଁ ବନ୍ୟା ପାଣିରେ ଜଳମଗ୍ନ ହୋଇ କ୍ଷୟକ୍ଷତି ହୋଇଥିବା ରିପୋର୍ଟ ଆସିଛି। ମଙ୍ଗଳବାର ବଲାଙ୍ଗୀର ସହର ଓ ଆଖାପାଖରେ ସର୍ବାଧିକ ରେକର୍ଡ ପରିମାଣର ୫୫୫ମିମି ବର୍ଷା ହୋଇଥିଲା। ଫଳରେ ବନ୍ୟାଜଳ ନିଷ୍କାସିତ ହୋଇ ନପାରି ସହରରେ ବନ୍ୟା ହୋଇଥିଲା। ସହରର ୨୧ଟି ୱାର୍ଡରେ ଘରମାନଙ୍କୁ ପାଣି ପଶିଥିଲା। ରାଜରାସ୍ତାରେ ଡଙ୍ଗା ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା। ଲକ୍ଷ୍ମୀଯୋର ନାଳର ବନ୍ୟାରେ ବଲାଙ୍ଗୀର ସହରର ବେଶି କ୍ଷୟକ୍ଷତି ହୋଇଛି।

ସେହିଭଳି, ଜାତୀୟ ରାଜପଥ ୨୬ ଉପରେ ବନ୍ୟାପାଣି ଚାଲିବାରୁ ରାସ୍ତାର ୧ଶହ ମିଟର ରାସ୍ତା ଧୋଇ ହୋଇଯାଇଛି। ବଲାଙ୍ଗୀର ବ୍ଲକର ଶିବତଳାଠାରୁ ଦେଓଗାଁ ବ୍ଲକର ରାମଚନ୍ଦ୍ରପୁରକୁ ଯାଇଥିବା ରାସ୍ତା ମଧ୍ୟ ଧୋଇ ହୋଇଯାଇଛି। ଏହି ସବୁ ରାସ୍ତାରେ କୌଣସି ଯାତାୟାତ କରି ହେଉନି। ସବୁ ରାସ୍ତାକୁ ପ୍ରାଥମିକତା ଭିତ୍ତିରେ ଡମ୍ପରରେ ମାଟି ପକାଯାଇ ସ୍ୱାଭାବିକ ଅବସ୍ଥାକୁ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଛି। ସେହିପରି ଅନେକ ସ୍ଥାନରେ ବିଦ୍ୟୁତ ପୋଲ ସବୁ ତଳେ ପଡ଼ିଯାଇଛି। ବିଦ୍ୟୁତ ବିଭାଗ କିଛି ୱାର୍ଡକୁ ଆଜି ବିଦ୍ୟୁତ ସଂଯୋଗ କରିଛି। ଆଉ କିଛି ୱାର୍ଡରେ ବିଦ୍ୟୁତ ପୋଲ ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର