୧୭ ତାରିଖ ସୁଦ୍ଧା ବନ୍ୟା କ୍ଷୟକ୍ଷତି ରିପୋର୍ଟ

୯ ଜିଲ୍ଲାର କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍ଆର୍‌ସି, ଖୁବଶୀଘ୍ର ମରାମତି ହେବ ସ୍କୁଲ, ସ୍ବାସ୍ଥ୍ୟକେନ୍ଦ୍ର, ପଞ୍ଚାୟତ କାର୍ଯ୍ୟାଳୟ

ଭୁବନେଶ୍ବର : ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ୯ଟି ଜିଲ୍ଲାରେ ବନ୍ୟା ହେବା ସହ ଧନଜୀବନ ଓ ଫସଲ ହାନି ଘଟିଛି। ଆସନ୍ତା ୧୭ ତାରିଖ ସୁଦ୍ଧା କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ସ୍ବତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ସେସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ଏହାସହିତ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ନଷ୍ଟ ହୋଇଥିବା ଫସଲ ସମ୍ପର୍କରେ ଜିଲ୍ଲାପାଳମାନେ ରିପୋର୍ଟ ପ୍ରଦାନ କରିବେ। ଭାଙ୍ଗିଯାଇଥିବା ସ୍କୁଲ ଘର, ସ୍ବାସ୍ଥ୍ୟ କେନ୍ଦ୍ର, ପଞ୍ଚାୟତ କାର୍ଯ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ମରାମତି ଖୁବଶୀଘ୍ର କରାଯିବ। ରିଲିଫ କୋଡ଼ ଅନୁଯାୟୀ ଏସଡିଆର୍ଏଫ୍ ଓ ଏନଡିଆର୍ଏଫ ୍ପାଣ୍ଠିରୁ ଆବଶ୍ୟକ ଅର୍ଥ ପ୍ରଦାନ କରାଯିବ। ଏ ନେଇ ତ୍ବରିତ ପଦକ୍ଷେପ ନେବାକୁ ଏସ୍ଆରସି ବିଭାଗୀୟ ସଚିବଙ୍କୁ ଜଣାଇଛନ୍ତି।

ସ୍ବନ୍ତନ୍ତ୍ର ରିଲିଫ କମିସନର ଶ୍ରୀ ସେଠୀ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ଜୁଲାଇ ଶେଷ ସପ୍ତାହରୁ ଅଗଷ୍ଟ ପ୍ରଥମ ସପ୍ତାହ ଭିତରେ ଲଘୁଚାପଜନିତ ଭୀଷଣ ବର୍ଷା ଯୋଗୁଁ ବଲାଙ୍ଗୀର, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରେ ଆସିଥିବା ବନ୍ୟାରେ ବ୍ୟାପକଭାବେ ଫସଲହାନି ହେବା ସହ ଧନଜୀବନ ପ୍ରଭାବିତ ହୋଇଛି। ଏଥିପାଇଁ ରିଲିଫ କୋଡ଼୍ ଅନୁଯାୟୀ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି ଓ ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ କ୍ଷତିଭରଣା କରାଯିବ। ୯ଟି ଜିଲ୍ଲାରେ କେତେ ଜମିରେ ଫସଲ ନଷ୍ଟ ହେବା ସହ କେତେ ପରିମାଣର ଜମିରେ ବାଲିଚର ମାଡ଼ିଯାଇଛି ତାର ରିପୋର୍ଟ ଆସନ୍ତା ସପ୍ତାହକ ଭିତରେ ପ୍ରଦାନ କରିବାକୁ ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଘର, ପଶୁ ସମ୍ପଦ, ମାଛଧରା ବୋଟ୍ ଓ ଜାଲ, ପୋଖରୀ, ମାଛ ଯାଁଆଳ ଉତ୍ପାଦନ କେନ୍ଦ୍ରର କ୍ଷୟକ୍ଷତି ନେଇ ଖୁବଶୀଘ୍ର ଜିଲ୍ଲାପାଳମାନେ ରିପୋର୍ଟ ପ୍ରଦାନ କରିବେ।

ଜିଲ୍ଲାପାଳମାନଙ୍କୁ ତାଗିଦ କରି ଏସ୍‌ଆର୍‌ସି କହିଛନ୍ତି, କ୍ଷୟକ୍ଷତି ଆକଳନ ପାଇଁ ନିୟୋଜିତ ହୋଇଥିବା ଟିମ୍ ଯେପରି ନିର୍ଭୁଲ ଭାବେ କ୍ଷୟକ୍ଷତି ଆକଳନ କରିବେ ଓ ପ୍ରକୃତ କ୍ଷତିଗ୍ରସ୍ତ ଚିହ୍ନଟ କରିବାରେ ଯେପରି ତ୍ରୁଟି ନହେବ ସେଥିପାଇଁ ତଦାରଖ କରୁଥିବା ଅଧିକାରୀମାନେ ଯତ୍ନବାନ ହେବେ। ବନ୍ୟାରେ କ୍ଷତି ସହିଥିବା ଚାଷୀ ଓ କ୍ଷତିଗ୍ରସ୍ତଙ୍କ ଫଟୋ ଉତ୍ତୋଳନ କରିବା ସହ ନଷ୍ଟ ହୋଇଥିବା ଘର, ଫସଲର ଫଟୋ ଉତ୍ତୋଳନ କରାଯିବ। ଚିହ୍ନଟ ହୋଇଥିବା କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ସଂଗ୍ରହ କରାଯାଇ କ୍ଷତିଭରଣା ଅର୍ଥ ସେମାନଙ୍କ ଆକାଉଣ୍ଟକୁ ଡିବିଟି ଜରିଆରେ ପଠାଯିବ। ଏଥିପାଇଁ ସର୍ଭେ କଲାବେଳେ ସମ୍ପୃକ୍ତ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ପାସ୍‌ବୁକ୍‌ର ପ୍ରଥମ ପୃଷ୍ଠାର ନକଲ ସଂଗ୍ରହ କରିବାକୁ ଶ୍ରୀ ସେଠୀ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିର ପରିବାରବର୍ଗଙ୍କୁ ରିପୋର୍ଟ ହେବାର ୩ ଦିନ ଭିତରେ ରିଲିଫ କୋଡ଼ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ।

ସେହିପରି ବର୍ଷା ବିତ୍ପାତ ଯୋଗୁଁ ପ୍ରଭାବିତ ଅଞ୍ଚଳରେ ଅଧିକାଂଶ ଗାଁ ରାସ୍ତା ଓ ବ୍ରିଜ୍ ଧୋଇଯାଇଛି। ସ୍କୁଲ ଘର, ସ୍ବାସ୍ଥ୍ୟ କେନ୍ଦ୍ର, ବିଦ୍ୟୁତ ସଂଯୋଗ, ପଞ୍ଚାୟତ ଅଫିସ ଗୃହ, ଅଙ୍ଗନବାଡ଼ି କେନ୍ଦ୍ର ବ୍ୟାପକଭାବେ ନଷ୍ଟ ହୋଇଛି। ପିଇବା ପାଣିର ଉତ୍କଟ ସମସ୍ୟା ଉପୁଜିଛି। ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାକୁ ଏସ୍‌ଆର୍‌ସି ସମ୍ପର୍କିତ ବିଭାଗର ପ୍ରମୁଖ ଶାସନ ସଚିବ ଓ ସଚିବମାନଙ୍କୁ ଚିଠି ମଧ୍ୟ ଲେଖିଛନ୍ତି। ନଷ୍ଟ ହୋଇଥିବା ସର୍ବସାଧାରଣ ସମ୍ପତ୍ତିର ମରାମତି ପାଇଁ ରିଲିଫ କୋଡ଼୍ ଅନୁଯାୟୀ ଏସଡିଆର୍ଏଫ୍ ଓ ଏନଡିଆର୍ଏଫ୍ ପାଣ୍ଠିରୁ ଅର୍ଥ ପ୍ରଦାନ କରାଯିବ ବୋଲି ଶ୍ରୀ ସେଠୀ ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର