କଟକ : କଟକ ଜିଲ୍ଲାବାସୀ ପନିପରିବା ପାଇଁ ନିର୍ଭର କରନ୍ତି ବାଙ୍କୀ ଉପଖଣ୍ଡ ଉପରେ। କିନ୍ତୁ ଚଳିତ ମହାନଦୀ ବନ୍ୟା ଉଜାଡି ଦେଇଛି ବାଙ୍କୀ ପରିବା ଚାଷକୁ। ଗଲା ୧୦ ଦିନ ହେଲା ବୁଡି ରହିଛି କୋଟିଏ ଟଙ୍କାର ପନିପରିବା ଚାଷ। ପରିବା ପଚିସଢି ଦୁର୍ଗନ୍ଧରେ ଅଞ୍ଚଳ ଫାଟୁଛି। ବାଙ୍କୀର ପନିପରିବା କଟକ, ଭୁବନେଶ୍ବର, ଖୋର୍ଦ୍ଧା, ନୟାଗଡ଼, ଅନୁଗୁଳର ଚାହିଦା ମେଣ୍ଟାଉଥିବାବେଳେ ଏବେ ପରିବା ପାଇଁ ଏହି ଅଞ୍ଚଳରେ ସୃଷ୍ଟି ହୋଇଛି ଗୁରୁତର ସମସ୍ୟା। ଏବେ ବି ହଜାର ହଜାର ହେକ୍ଟର ଚାଷ ଜମି ପାଣି ଭିତରେ ବୁଡି ରହିଛି । ସରକାରୀ ଅକଳନ କହୁଛି ବାଙ୍କୀ ଉପଖଣ୍ଡରେ ପାଖାପାଖି ୧୩୯୮ ହେକ୍ଟର ପନିପରିବା ଚାଷ ଉଜୁଡିଯାଇଛି ।
ବର୍ଷା ଆରମ୍ଭରୁ ଅଭାବୀ ବର୍ଷା ଚାଷୀଙ୍କ ମେରୁଦଣ୍ଡକୁ ଦୋହୋଲାଇ ଦେଇଥିବାବେଳେ ଏବେ ବନ୍ୟା ଜଳ ଯାହା କିଛି ଥିଲା ତାହା ବି ଉଜାଡି ଦେଲା। କରୋନା କାଳରେ ଲକଡାଉନ, ସଟଡାଉନ ପାଇଁ ଚାଷୀଙ୍କୁ ପନିପରିବା ବିକ୍ରି କରୁଥିଲେ ମଧ୍ୟ ଉପଯୁକ୍ତ ପ୍ରାପ୍ୟ ମିଳୁନଥିଲା । ଏପରିକି ବେପାରୀ ଆସୁନଥିବାରୁ ବିଲରେ ହିଁ ପଚିସଢି ଯାଉଥିଲା ଅନେକ ପରିବା।
ଏବେ ବନ୍ୟା ଯୋଗୁ ଏକର ଏକର ଭେଣ୍ଡି, କଖାରୁ, ଜହ୍ନି, ବାଇଗଣ, ପୋଟଳ, ଝୁଡଙ୍ଗ, କଲରା ତଥା ବିଭିନ୍ନ ପନିପରିବା ପାଣି ଭିତରେ ବୁଡି ଯାଇଥିବାରୁ ଏଭଳି ବିପତ୍ତିର ଚାଷୀ କିପରି ସାମ୍ନା କରିବ ସେଥିପାଇଁ ମୁଣ୍ଡରେ ହାତ ଦେଇ ବସିଛି ।
ସରକାରୀ ତଥ୍ୟ ଅନୁସାରେ, କଟକ ଜିଲ୍ଲାରେ ୨୬୦୦ରୁ ଅଧିକ ହେକ୍ଟର ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଥିବାବେଳେ ସେଥିମଧ୍ୟରୁ ବାଙ୍କୀ ଉପଖଣ୍ଡର ୧୩୯୮ ହେକ୍ଟର ଚାଷ ଉଜୁଡିଯିବା ସହ ପାଖାପାଖି ୧କୋଟି ଟଙ୍କାର ପନିପରିବା ନଷ୍ଟ ହୋଇଛି ।
ବନ୍ୟା ପ୍ରଭାବିତ ଶୁଖୁଆଖଳାର ଚାଷୀ ଗୋବିନ୍ଦ ପିରୋଇ, କାଶୀନାଥ ପିରୋଇଙ୍କ କହିବା କଥା ହେଲା ସେମାନେ ଭାଗ ଚାଷ କରି ବର୍ଷ ବର୍ଷ ହେଲା ପନିପରିବା ଓ ଧାନ ଚାଷ କରି ପରିବାର ଚଳନ୍ତି। ଏବେ ସେମାନେ କରିଥିବା ପୋଟଳ, ଭେଣ୍ଡି, କଦଳୀ ଭଳି ଅନେକ ପରିବା ଚାଷ କରିଥିଲେ। ସବୁ ଉଜୁଡିଗଲା, କେମିତି ଚଳାଇବେ ପରିବାର? ଏପଟେ ଭାଗ ଚାଷୀଙ୍କ ପାଇଁ କିଛି ନାହିଁ। କଣ କରିବେ, କଣ ଖାଇବେ ସେହି ଚିନ୍ତାରେ ପଡିଛନ୍ତି ଗୋବିନ୍ଦ, କାଶୀନାଥଙ୍କ ଭଳି ହଜାର ହଜାର ଚାଷୀ।