ବାଲେଶ୍ବର: ଲଗାତର ବର୍ଷା ଓ ବନ୍ୟା ଯୋଗୁଁ ବାଲେଶ୍ବର ଜିଲ୍ଲାରେ ଚଳିତବର୍ଷର ଧାନ ଏବଂ ପନପରିବା ଚାଷ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବାର ଆଶଙ୍କା ଦେଖାଦେଇଛି। ବିଳମ୍ବିତ ବର୍ଷା ପାଇଁ ଜିଲ୍ଲାରେ ୬୫ ପ୍ରତିଶତ ଚାଷ ସରିଥିଲା। ହେଲେ ଲଗାଣ ବର୍ଷା ଓ ଗୋଟିଏ ପରେ ଗୋଟିଏ ବନ୍ୟା ଚାଷୀକୁଳକୁ ସର୍ବସ୍ବାନ୍ତ କରିଥିବା ଅଭିଯୋଗ ହୋଇଛି। ଜିଲ୍ଲା କୃଷି ବିଭାଗ ତଥ୍ୟ ଅନୁଯାୟୀ, ଚଳିତବର୍ଷ ୧ ଲକ୍ଷ ୯୭ ହଜାର ୫୦୦ ହେକ୍ଟର ଜମିରେ ଧାନ ଏବଂ ପାଖାପାଖି ୧୫ ହଜାର ହେକ୍ଟର ଜମିରେ ଅଣଧାନ ଚାଷ କରାଯିବାକୁ ଲକ୍ଷ ରଖାଯାଇଥିଲା। ସେହିକ୍ରମରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୩୫ ହଜାର ଜମିରେ ଧାନ ଓ ଅଣଧାନ ଚାଷ ହୋଇଥିଲା।
କିନ୍ତୁ ଏଇ ଗୋଟିଏ ମାସ ମଧ୍ୟରେ ତିନି ତିନିଥର ଲଗାଣବର୍ଷା ହୋଇଥିବାରୁ ଚାଷକ୍ଷେତ ଏକ ପ୍ରକାର ଉଜୁଡ଼ିଯାଇଛି। ରେମୁଣା, ବସ୍ତା ଓ ସଦର ବ୍ଲକର ଅନେକ ପଞ୍ଚାୟତର ଚାଷୀମାନେ ପନିପରିବା ଚାଷ ଉପରେ ନିର୍ଭରଶୀଳ ଥିବାରୁ ସେମାନେ ମଧ୍ୟ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ରେମୁଣା ବଡ଼ପାଳ ପଞ୍ଚାୟତ ମୟୂରଗ୍ରାମର ଚାଷୀ ପରମାନନ୍ଦ ବାରିକଙ୍କୁ ଭେଟିବାରୁ ସେ କହିଥିଲେ ଯେ ରେମୁଣା ବ୍ଲକର ବଡ଼ପାଳ, ମନ୍ଦାରପୁର, ଦୁର୍ଗାଦେବୀ, କଲ୍ୟାଣପୁର, ଗଣ୍ଡରଦା ଆଦି ଅଞ୍ଚଳରେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭରଶୀଳ। କିନ୍ତୁ ବାରମ୍ବାର ବର୍ଷା, ଗଙ୍ଗାହାର ଓ ସୋନନଦୀର ବନ୍ୟା ଏବଂ ଏହି ଅଞ୍ଚଳେର ଜଳ ନିଷ୍କାସନ ସମସ୍ୟା ପାଇଁ ଚାଷୀ କ୍ଷତି ସହି ସହି ଚାଷ ପ୍ରତି ବିମୁଖ ହେଲେଣି।
ତାଙ୍କ ନିଜ କ୍ଷେତରେ ପରିବା ଚାଷ ସଂପୂର୍ଣ୍ଣ ଉଜୁଡ଼ିଯାଇଛି। ପରିବା ପଟାଳିରେ ପାଣି ଭର୍ତ୍ତି ହୋଇଥିବାରୁ ପୋଟଳ, କଲରା, କାକୁଡି, ଭେଣ୍ଡି, ଝୁଡ଼ଙ୍ଗ ଆଦି ଭାସୁଛି। କ୍ଷେତରେ ଏବେ ଅଣ୍ଟାଏ ଉଚ୍ଚର ପାଣି ଠିଆ ହୋଇଥିବା ବେଳେ ଗଛ ପଚିଗଲାଣି। ସେହିପରି ବସ୍ତା ବ୍ଲକର ବ୍ଲକେର ପରିବା ଓ ଧାନ ଚାଷ ଲଗାଣ ବର୍ଷା ଏବଂ ସୁବର୍ଣ୍ଣରେଖା ବନ୍ୟାରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ରଘୁନାଥପୁର ଗ୍ରାମର ଚାଷୀ ରଘୁନାଥ ସାହୁ ପ୍ରତିବର୍ଷ ପରିବା ଓ ଧାନ ଚାଷରୁ ଲକ୍ଷାଧିକ ଟଙ୍କା ରୋଜଗାର କରିଆସୁଥିବା ବେଳେ ଏଥର କିନ୍ତୁ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବନ୍ୟାରେ ପରିବା ଚାଷ ଉଜୁଡ଼ିଥିବା କାରଣରୁ ଏବେ ବଜାରଦର ମଧ୍ୟ ହୁ ହୁ ହୋଇ ବଢ଼ୁଛି। ସ୍ଥାନୀୟ ଚାଷୀ ବନ୍ୟା ଯୋଗୁଁ ହଜାର ହଜାର ଟଙ୍କା କ୍ଷତି ସହିଥିବା ବେଳେ ଏବେ ମାର୍କେଟ୍ରେ ଛତିଶଗଡ଼, କୋଲକାତା ଓ ଝାଡ଼ଖଣ୍ଡରୁ ପରିବା ଆଣି ବ୍ୟବସାୟୀମାନେ ଆକାଶଛୁଆଁ ଦରରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି।