ଜଳେଶ୍ୱର / ବାଲିଆପାଳ / ଭୋଗରାଇ /ଧାମନଗର / ଭଣ୍ଡାରିପୋଖରୀ: ସୁବର୍ଣ୍ଣରେଖା ବନ୍ୟାରେ ବାଲେଶ୍ବର ଜିଲ୍ଲାର ଜଳେଶ୍ବର, ଭୋଗରାଇ ଓ ବାଲିଆପାଳ ବ୍ଲକ୍‌ ଅଧୀନ ୨୭ ପଞ୍ଚାୟତର ‌୧୦୪ରୁ ଅଧିକ ଗାଁ ପ୍ରଭାବିତ ହୋଇଛି। ସେହିପରି ବୈତରଣୀରେ ବନ୍ୟା ଯୋଗୁ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକ୍‌ ଅଧୀନ ୯ ପଞ୍ଚାୟତର ୭୨ରୁ ଅଧିକ ଗାଁ ପ୍ରଭାବିତ ହେବା ସହ ବାହ୍ୟଜଗତରୁ ବିଚ୍ଛିନ୍ନ ରହିଛି। ଆଜି ଉଭୟ ନଦୀର ଜଳସ୍ତର କମିଥିଲେ ବି ଲୋକମାନେ ନାନା ଦୁର୍ଦ୍ଦଶା ମଧ୍ୟରେ ରହିଛନ୍ତି।

Advertisment

ଉପରମୁଣ୍ଡରେ ପ୍ରବଳ ବର୍ଷା ଏବଂ ଗାଲୁଡିହି ବ୍ୟାରେଜ୍‌ରୁ ଜଳ ନିଷ୍କାସନ‌ ଫଳରେ ଗତକାଲି ସକାଳଠାରୁ ସୁବର୍ଣ୍ଣରେଖାର ଜଳସ୍ତର ବୃଦ୍ଧି ପାଇଥିଲା। ତେ‌ବେ ମଧ୍ୟରାତିରୁ ନଦୀର ଜଳସ୍ତର କମିବାରେ ଲାଗିଥିଲା। ରାଜଘାଟଠାରେ ସୁବର୍ଣ୍ଣରେଖାର ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଆଜି ଏଠାରେ ଜଳସ୍ତର ୧୦.୫୫ ମିଟରରେ ରହିଛି। ଏଠାରେ ଜଳସ୍ତର ଏବେବି ବିପଦସଂକେତ ଉପରେ ରହିଛି। ବନ୍ୟା ଯୋଗୁ ଜଳେଶ୍ବର ବ୍ଲକ୍‌ର ୭ ପଞ୍ଚାୟତର ୨୨ଟି ଗାଁ ଜଳବନ୍ଦୀ ଅବସ୍ଥାରେ ଅଛି। ବିଶେଷ କରି ବାଇଗଣବାଡ଼ିଆ, ପଶ୍ଚିମବାଡ଼, ଝାଡ଼ପିପଳ ଓ ଗଡ଼ସାହି ବାଲିଆପାଳ ପଞ୍ଚାୟତ ଅଧିକ ପ୍ରଭାବିତ ହୋଇଛି। ସେହିପରି ବାଲିଆପାଳ ବ୍ଲକ୍‌ର ୯ ପଞ୍ଚାୟତର ୩୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ରହିଛି। ପ୍ରଶାସନ ପକ୍ଷରୁ ୧୦ଟି ଯନ୍ତ୍ରଚାଳିତ ଡଙ୍ଗା, ୫ଟି ଦେଶୀ ଡଙ୍ଗା ନିୟୋଜନ କରାଯାଇଛି। ୨ ପଞ୍ଚାୟତର ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଥିବା ବେଳେ ୧୨ ଶହ ଲୋକ ସ୍ଥାନାନ୍ତର ହୋଇଛନ୍ତି। ସେହିପରି ଭୋଗରାଇ ବ୍ଲକ୍‌ର ୧୧ ପଞ୍ଚାୟତର ୫୨ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇରହିଛି। ଲୋକେ ଦେଶୀ ଡଙ୍ଗା ଉପରେ ଭରସା କରିଛନ୍ତି। ୯ ପଞ୍ଚାୟତରେ ଶୁଖିଲା ଖାଦ୍ୟ ଦିଆଯାଇଥିବା ବେଳେ ୩ ପଞ୍ଚାୟତରେ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି।

ଅନ୍ୟପଟେ ଗତକାଲି ସକାଳଠାରୁ ବୈତରଣୀର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ରାତିଠାରୁ କ୍ରମଶଃ କମିଛି। ଆଖୁଆପଦାଠାରେ ନଦୀର ବିପଦ ସଙ୍କେତ ୧୮.୩୩ ମିଟର ଥିବାବେଳେ ଆଜି ସଂଧ୍ୟାରେ ଏହା କମି ୧୮.୨୮ ମିଟରରେ ପହଞ୍ଚିଛି। ବନ୍ୟା ଯୋଗୁ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକ୍‌ ପ୍ରଭାବିତ ହୋଇଛି। ଭଣ୍ଡାରିପୋଖରୀ ବ୍ଲକ୍‌ର ୫ ପଞ୍ଚାୟତର ୩୨ ଗାଁରେ ପାଣି ପଶିଥିବା ବେଳେ ୩୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏହା ସହିତ ୬ ହଜାର ହେକ୍ଟର ଚାଷଜମି ପାଣିରେ ବୁଡ଼ିରହିଛି। ସେହିପରି ଧାମନଗର ବ୍ଲକ୍‌ର ୪ ପଞ୍ଚାୟତର ୪୫ ଗାଁ‌ରେ ପାଣି ପଶିଥିବା ବେଳେ ୪୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏଠାରେ ୭ ହଜାର ହେକ୍ଟର ଚାଷଜମି ପାଣିରେ ବୁଡ଼ି ରହିଥିବା ସୂଚନା ମିଳିଛି।