ଅନୁଗୁଳ : ଉଚ୍ଛୁଳୁଛି ମହାନଦୀ। ଆଠମଲ୍ଲିକ ଓ ଟିକରପଡ଼ାରେ ଜଳସ୍ତର ବିପଦ ସଙ୍କେତ ଟପିଯାଇଛି। ଆଉ ଏହା ପ୍ରଭାବରେ ଏବେ ହଜାର ହଜାର ଲୋକ ଜଳବନ୍ଦି। ଅନୁଗୁଳ ବ୍ଲକ୍‌ ଟିକରପଡ଼ା ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିଲାବେଳେ ଆଠମଲ୍ଲିକ ବ୍ଲକ୍‌ର କୁଦଗାଁ ପାଣି ଘେରରେ ରହିଛି। ଶତାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଟିକରପଡ଼ା ପର୍ଯ୍ୟଟନ କେନ୍ଦ୍ର ଓ ବିନିକେୟୀ ପୀଠ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି। ଏପଟେ ମହାନଦୀରେ ପାଣି ବଢ଼ୁଥିବାରୁ ଆଗକୁ ସ୍ଥିତି ଅଧିକ ବିଗିଡ଼ିବାର ଆଶଙ୍କା ରହିଛି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।

Advertisment

ସପ୍ତାହେ ହେଲା ଲଗାଣ ବର୍ଷା ସାଙ୍ଗକୁ ହୀରାକୁଦ ଡ୍ୟାମ୍‌ରୁ ୩୪ଟି ଫାଟକ ଦେଇ ବନ୍ୟା ଜଳ ନିଷ୍କାସନ ପରେ ମହାନଦୀରେ ବନ୍ୟା ଆସିଛି। ଏହି ବନ୍ୟାରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍‌ର ବହୁ ଗାଁ ଓ ଅନୁଗୁଳ ବ୍ଲକ୍‌ର ଟିକରପଡ଼ା ଅଞ୍ଚଳ ପ୍ରଭାବିତ ହୋଇଛି। ଟିକରପଡ଼ା ପଞ୍ଚାୟତ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ଅନୁଗୁଳ-ଟିକରପଡ଼ା ମୁଖ୍ୟ ରାସ୍ତାରେ ୩ ଫୁଟ ପାଣି ଚାଲୁଛି। ଟିକରପଡ଼ାର ପର୍ଯ୍ୟଟନ କେନ୍ଦ୍ର ପାଣି ଘେରରେ ରହିଛି। ଏପଟେ ଏହି ପଞ୍ଚାୟତର ମଝିପଡ଼ା, ଗଇଁଦି ଓ ବେହେରାସାହିକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହି ୩ ଗାଁକୁ ଥିବା ମୁଖ୍ୟ ରାସ୍ତାରେ ପାଖାପାଖି ୫ ଫୁଟ ପାଣି ଚାଲୁଛି। ତେଣୁ ଏଠାକୁ ଯିବାଆସିବା ଠପ୍‌ ହୋଇଯାଇଛି। ତଳିଆ ଅଞ୍ଚଳରେ ଥିବା ଶତାଧିକ ପରିବାରକୁ ସ୍ଥାନାନ୍ତର କରି ସୁରକ୍ଷିତ ସ୍ଥାନରେ ରଖାଯାଇଛି। ଆଜି ଡଙ୍ଗାରେ ଆଠମଲ୍ଲିକ ବିଧାୟକ ରମେଶ ସାଏ ଓ ଅନୁଗୁଳ ଉପଜିଲ୍ଲାପାଳ ବଇତୁରା ଦୀପ ଟିକରପଡ଼ା ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଲୋକଙ୍କ ପାଖରେ ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାକୁ ଗୁରୁତ୍ବ ଦିଆଯାଉଛି। ଏପଟେ ପାଣି ବଢ଼ିଲେ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ଯୋଜନା କରାଯାଇଛି। ଟିକରପଡ଼ାର ଘାଟସାହି ବୁଡ଼ିବା ଅବସ୍ଥାରେ ରହିଛି।

ମହାନଦୀର ବନ୍ୟାଜଳ ବଢ଼ୁଥିବାବେଳେ ଆଜି(ସୋମବାର) ଅଧିକ ପାଣି ଆସିବ ବୋଲି ଅନୁମାନ କରାଯାଉଛି। ଏପଟେ ବର୍ଷା ହେଉଥିବାରୁ ସ୍ଥିତି ଅଧିକ ବିଗିଡ଼ିପାରେ। ଏଥିନେଇ ଅନୁଗୁଳ ଉପଜିଲ୍ଲାପାଳ ବଇତୁରା ଦୀପ କହିଛନ୍ତି ଯେ, ପାଣି ବଢ଼ୁଥିବାରୁ ଟିକରପଡ଼ା ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପ୍ରଶାସନ ପକ୍ଷରୁ ରବିବାର ଦିନ ବୋଟ୍‌ରେ ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରାଯାଇଛି। ଶହେ ପରିବାରକୁ ସ୍ଥାନାନ୍ତର କରାଯାଇଥିଲାବେଳେ ପ୍ରଭାବିତ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ଉପରେ ଗୁରୁତ୍ବ ଦିଆଯାଉଥିବା ସେ କହିଛନ୍ତି।

ସେହିଭଳି, ଆଠମଲ୍ଲିକ ବ୍ଲକ୍‌ର ପୁରୁଣା କୁଦଗାଁ ୩ ଦିନ ହେଲା ବନ୍ୟାଘେରରେ ରହିଛି। ଗତକାଲି ରାତିରୁ ବନ୍ୟା ପରିସ୍ଥିତି ଆହୁରି ଭୟଙ୍କର ହୋଇ ଗାଁ ମଧ୍ୟକୁ ବନ୍ୟା ଜଳ ପ୍ରବେଶ କରିଛି। ଏ ଭିତରେ ଗାଁରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଉଛି। ଆଜି ଆଠମଲ୍ଲିକ ଉପଜିଲ୍ଲାପାଳ ତରଣୀ ସୁନାଙ୍କ ନେତୃତ୍ବରେ ଉଦ୍ଧାର କାର୍ଯ୍ୟ ଚାଲିଛି।