ବୁଡ଼ିଲା ଟିକରପଡ଼ା, ଆଠମଲ୍ଲିକ‌େର ୨୧ଗାଁ ଜଳାର୍ଣ୍ଣବ

ବନ୍ତଳା/ପାଇକସାହି/ଆଠମଲ୍ଲିକ/ମ‌ାଧପୁର : ଦୀର୍ଘ ଆଠବର୍ଷ ପରେ ଆଜି ଅନୁଗୁଳ ବ୍ଲକ୍‌ ଟିକରପଡ଼ା ଅଞ୍ଚଳ ଦେଖିଛି ବଡ଼ ବନ୍ୟା। ମଙ୍ଗଳବାର ରାତିରୁ ସାଙ୍ଘାତିକ ଫୁଲିଛି ମହାନଦୀ। ଆଜି ହୀରାକୁଦ ଗେଟ୍‌ ଖୋଲିବା ପୂର୍ବରୁ ତଳମୁଣ୍ଡର ପାଣି ଅନୁଗୁଳ ବ୍ଲକ୍‌ ଟିକରପଡ଼ା ପଞ୍ଚାୟତରେ ଭୟଙ୍କର ବନ୍ୟା ପରିସ୍ଥିତି ଠିଆ କରିଛି। ମହାନଦୀ ପାଣିରେ ଅନୁଗୁଳ ବ୍ଲକ୍‌ ଟିକରପଡ଼ା ପଞ୍ଚାୟତର ଗଇଁଦି ବେହେରା ସାହି, ମଝିପଡ଼ା ପ୍ରମୁଖ ତିନି ଗାଁକୁ ଜଳବନ୍ଦୀ କରିବା ସହିତ ଶତାଧିକ ମାଟି, ଚାଳ ଛପର ଏବଂ କୋଠାଘର ସବୁ ପାଣି ଭିତରେ ବଡ଼ାଇ ରଖିଛି। ଆଠମଲ୍ଲିକ ଉପଖଣ୍ଡ ସ୍ଥିତି ମଧ୍ୟ ସଙ୍ଗୀନ ହୋଇଛି। ମହାନଦୀ ପାଣି ଯଦିଓ ଘର ବୁଡ଼ାଇ ନାହିଁ, ତଥାପି ଟାଇଁସର, ରାସୋସିଙ୍ଗା, ତେଣ୍ଟେଇପାଲି, ପୁରୁଣାମାଣତ୍ରୀ, ଖଡ଼ରାପଡ଼ା, ନୀଳକଣ୍ଠପଡ଼ା, ଲୁଣହାଣ୍ଡି, ଦେଉଳି, ଧୂଳିଆନାଳି, ତେଲିନାଳି, ଡେବରାପାଲି, ବେଲପୁଞ୍ଜି, ବରଡ଼ାକଟା, ଭୋଇପଡ଼ା, ଘୋଡ଼ାଗାଡ଼ି, କାଦପଡ଼ା, କିଆକଟା, ବୁରଘାଟି, ନୂଆପଡ଼ା, ବାଙ୍କପାଳ, ମୁଣ୍ଡାପଡ଼ା ପ୍ରମୁଖ ଗାଁ ଚାଷ ଜମି ସବୁ ଜଳାର୍ଣ୍ଣବ ହୋଇଛି। ଟିକରପଡ଼ାର ତିନି ଶହ ଏବଂ ଆଠମଲ୍ଲିକର ଚାରି ଶହ ଲୋକଙ୍କୁ ଚୁଡ଼ା, ଗୁଡ଼ ବଣ୍ଟା ଯାଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର