ବୈତରଣୀରେ ଭୟଙ୍କର ବନ୍ୟା : ବିପଦ ସଙ୍କେତଠାରୁ ବହୁ ଉପରେ ପ୍ରବାହିତ ହେବ

କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ାକୁ ସତର୍କ କଲେ, ଶନିବାର, ରବିବାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌

ଭୁବନେଶ୍ୱର : ବୈତରଣୀ ନଦୀ ଏମିତି ବି ବିପଦ ସଙ୍କେତ ପାଖାପାଖି ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ନଦୀର ଉପରମୁଣ୍ଡ ଓ ଅବବାହିକାରେ ହୋଇଥିବା ଲଘୁଚାପ ଜନିତ ବର୍ଷା କାରଣରୁ ବୈତରଣୀ ନଦୀ ଫୁଲିବାରେ ଲାଗିଛି। ପରିଣାମ ହେଲା, ଆଜି ବିଳମ୍ବିତ ରାତିରେ ନଦୀରେ ଏକ ବଡ଼ ଧରଣର ବନ୍ୟା ଆସୁଥିବା ସୂଚନା ମିଳିଛି।

ଜଳସଂପଦ ବିଭାଗ ଏ ନେଇ ସୂଚାଇବା ପରେ ୪ଟି ଜିଲ୍ଲାକୁ ଆଲର୍ଟ ଜାରି କରିଛନ୍ତି। କେନ୍ଦୁଝର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି। ଏହି ସବୁ ଜିଲ୍ଲାର ୧୪ଟି ବ୍ଲକ ଉପରେ ବନ୍ୟାର ଗଭୀର ପ୍ରଭାବ ପଡ଼ିପାରେ। ଏଣୁ ଏସବୁ ବ୍ଲକରେ ଆସନ୍ତାକାଲି ଓ ପରଦିନ ଅର୍ଥାତ୍‌ ୮ ଓ ୯ ତାରିଖ ସବୁ କର୍ମଚାରୀଙ୍କ ଛୁଟି ବାତିଲ୍‌ କରିବାକୁ ନିର୍ଦେଶ ଦିଆଯାଇଥିବା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବୈତରଣୀ ନଦୀର ଆନନ୍ଦପୁର ଠାରେ ବିପଦ ସଙ୍କେତ ୩୮.୩୬ ମିଟର ରହିଛି। ରାତି ୯ଟା ବେଳକୁ ଏଠାରେ ୩୮.୩୬ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ସେହିଭଳି ଆଖୁଆ ପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ଏଠାରେ ଜଳସ୍ତର୧୮.୩୦ ମିଟର ପହଞ୍ଚିଲାଣି। ସ୍ୱତନ୍ତ୍ର ରିଲିଫ୍‌ କମିସନର ବିଷ୍ଣୁପଦ ସେଠୀ କହିଛନ୍ତି, ଆନନ୍ଦପୁରରେ ଜଳସ୍ତର ଆଜି ରାତିରେ ୩୮.୭୫ମିଟରକୁ ଛୁଇଁପାରେ। ସେହିଭଳି ଆଖୁଆପଦାରେ ଆସନ୍ତାକାଲି ବିପଦ ସଙ୍କେତ ଠାରୁ ପାଖାପାଖି ଦେଢ ମିଟର ଅର୍ଥାତ୍‌ ୧୯.୨ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେବ। ଏହାର ପ୍ରଭାବରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ଘସିପୁରା, ହାଟଡିହି ବ୍ଲକ, ଯାଜପୁରର କୋରେଇ, ଯାଜପୁର ସଦର, ବିଞ୍ଝାରପୁର ଓ ଦଶରଥପୁର ବ୍ଲକର ଲୋକେ ପ୍ରଭାବିତ ହେବେ। ସେହିଭଳି ବନ୍ୟା କାରଣରୁ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ତିହିଡି, ବାସୁଦେବପୁର, ଚାନ୍ଦବାଲି ବ୍ଲକ ଓ କେନ୍ଦ୍ରାପଡା ଜିଲ୍ଲାର ଆଳି ଓ ରାଜକନିକାରେ ବି ପାଣି ପଶିପାରେ।

ଏସବୁ ଅଞ୍ଚଳର କ୍ଷେତ୍ର କର୍ମଚାରୀଙ୍କୁ ଯେ କୌଣସି ପରିସ୍ଥିତିକୁ ମୁକାବିଲା କରିବା ଲାଗି ସଜାଗ ରହିବାକୁ ଏସ୍‌ଆର୍‌ସି ନିର୍ଦେଶ ଦେଇଛନ୍ତି। ବିଶେଷକରି ନଦୀବନ୍ଧର ଦୁର୍ବଳ ତଥା ସମ୍ବେଦନଶୀଳ ଅଞ୍ଚଳ, କେନାଲ ବନ୍ଧ ଉପରେ ସେମାନେ ସତର୍କ ଦୃଷ୍ଟି ରଖିବା ଲାଗି କୁହାଯାଇଛି। ଶ୍ରୀ ସେଠୀ କହିଛନ୍ତି, ଯଦି କେଉଁଠାରେ ପାଣି ପଶେ, ତେବେ ସେଠାରୁ ଲୋକଙ୍କୁ ତୁରନ୍ତ ଉଦ୍ଧାର କରାଯିବା ଦରକାର। ସବୁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ କରି ରଖିବା ଲାଗି କୁହାଯାଇଛି। ସେଥିପାଇଁ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ମୁତୟନ କରିବାକୁ ନିର୍ଦେଶ ଦିଆଯାଇଛି। ଏହାଭିନ୍ନ ପାଓ୍ଵାର ବୋଟ୍‌ ଓ ଦେଶୀ ଡଙ୍ଗା ରଖିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର