ବୈତରଣୀରେ ଆସୁଛି ବଡ଼ବନ୍ୟା

ଜାତୀୟ ରାଜପଥ ଉପରେ ୩ ଫୁଟ ଉଚ୍ଚ ପାଣି

ତଳିଆ ଅଞ୍ଚଳ ସ୍ଥିତି ସଙ୍ଗିନ
ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ

କେନ୍ଦୁଝର : ଲଘୁଚାପ ପ୍ରଭାବରେ କେନ୍ଦୁଝର ଜିଲ୍ଲାରେ ଗତକାଲି ଅପରାହ୍ଣରୁ ବାଦଲ ଫଟା ବର୍ଷା ଲାଗି ରହିଛି। ରାତିସାରା ବର୍ଷା ଲାଗି ରହିବା ପରେ ସକାଳ ୮ଟାରୁ କିଛି ମାତ୍ରାରେ କମି ଥିଲେ ବି ମଝିରେ ମଝିରେ ବର୍ଷା ଲାଗି ରହିଛି। ମୁମ୍ବାଇ-କୋଲକାତା ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗାଠାରେ ବୈତରଣୀ ସେତୁ ଉପରେ ପାଣି ସୁଅ ଛୁଟିଛି। ଜାତୀୟ ରାଜପଥ ଉପରେ ୩ ଫୁଟ ଉଚ୍ଚରେ ପାଣି ଚାଲିଥିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାର ଚମ୍ପୁଆ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଚମ୍ପୁଆ ବ୍ଲକରେ ଆଜି ପୂର୍ବାହ୍ଣ ସୁଦ୍ଧା ୧୮୫ .୪ ମିମି ବର୍ଷା ହୋଇଥିବା ବେଳେ ହାଟଡିହିରେ ସର୍ବନିମ୍ନ ୬୭.୨ ମିମ ବର୍ଷା ହୋଇଛି। କେନ୍ଦୁଝର ସଦର ବ୍ଲକରେ ୧୩୪.୪ ମିମି, ବାଂଶପାଳ ବ୍ଲକରେ ୧୨୫.୧ ମିମି, ତେଲକୋଇରେ ୧୨୭.୮ ମିମି, ପାଟଣାରେ ୧୮୫.୪ ମିମି, ଘଟଗାଁରେ ୧୨୧.୮ ମିମି, ହରିଚନ୍ଦନପୁରରେ ୧୦୨.୮ ମିମି, ଆନନ୍ଦପୁରରେ ୯୯.୮ମିମି, ଘଷିପୁରାରେ ୧୨୦.୧ ମିମି ବର୍ଷା ହୋଇଛି। ଯୋଡାରେ ୧୦୫.୮ ମିମି ବର୍ଷା ହୋଇଥିବା ବେଳେ ଝୁମ୍ପୁରା ବ୍ଲକରେ ୧୪୨.୪ ମିମି ବର୍ଷା ରେକର୍ଡ କରାଯାଇଛି।

ବାଦଲ ଫଟା ବର୍ଷା କାରଣରୁ ଗତକାଲି ରାତିରୁ ବୈତରଣୀର ଜଳସ୍ତର ଧୀରେ ଧୀରେ ବଢ଼ିବା‌ରେ ଲାଗିଥିଲା। ଆଜି ସକାଳ ୯ଟା ସୁଦ୍ଧା ଆନନ୍ଦପୁରଠାରେ ବୈତରଣୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଥିଲା। ଏଠାରେ ବିପଦ ସଙ୍କେତ ୩୮.୩୬ ମିଟର ଥିବା ବେ‌ଳେ ସକାଳ ୯ଟା ସୁଦ୍ଧା ଏଠାରେ ଜଳସ୍ତର ଥିଲା ୩୮.୮୪ ମିଟର। ଅପରାହ୍ଣ ସାଢ଼େ ଗୋଟାଏ ସୁଦ୍ଧା ଏହା ୩୯.୬୪ମିଟର ଛୁଇଁ ଥିବା ବେଳେ ଅପରାହ୍ଣ ୭ଟା ବେଳକୁ ଏହା ସାଢ଼େ ୪୦.୨୭ ମିଟରରେ ପହଞ୍ଚିଥିଲା। ଅପରାହ୍ଣ ୫ଟାରେ ଏହା ବଢ଼ି ୪୦.୧୬ ମିଟରରେ ପହଞ୍ଚିଛି। ଆନନ୍ଦପୁର ଏବଂ ହାଟଡିହିର ନଈକୂଳିଆ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି। ବୈତରଣୀର ବନ୍ୟା ଜଳ ପାଇଁ ଆମ୍ବୋ, ହାବଳେଶ୍ବର, ସମଣା, ଆୟତିପୁର ଅଞ୍ଚଳର ହଜାର ହଜାର ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି।

ସେହିପରି ବୈତରଣୀର ବିଭିନ୍ନ ଶାଖା ନଦୀଗୁଡିକରେ ଜଳସ୍ତର ବଢ଼ିବା ଯୋଗୁ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଯୋଗଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ଆଜି କେନ୍ଦୁଝର ସଦର ବ୍ଲକର ହାତୀକୁଚା ନାଳରେ ପାଣି ବଢ଼ିବା ଦ୍ବାରା ମଦରଙ୍ଗାଯୋଡିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିବା ବେଳେ ଜଗମୋହନପୁରର ହନୁମନ୍ତିଆ ପୋଲ ଉପରେ ପାଣି ଚାଲିଛି। ମୁକୁନା-ବାଉରିପଦା ପୋଲ ଉପରେ ୪ ଫୁଟର ପାଣି ଚାଲୁଛି। କବିତ୍ରା ଅରଡେଇ ନଦୀ ପୋଲ ଉପରେ ୧୦ ଫୁଟର ପାଣି ଚାଲିବା ଯୋଗୁଁ ୧୦ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ତେଲକୋଇ ବ୍ଲକର ଘୁରୁଡିଆ ପୋଲ, ମଧ୍ୟପୁର ପୋଲ, ନୂଆଗଡ ପୋଲ ଉପରେ ପାଣି ଚାଲୁଥିବା ବେଳେ ପାଟଣା ବ୍ଳକର ଭୀମାପଡା, କେତାଙ୍ଗ, ପୁରୁଣିଆ ପୋଲ ଉପରେ ପାଣି ଚାଲୁଥିବା ଖବର ମିଳିଛି। ଚମ୍ପୁଆ ବ୍ଲକର ମଙ୍ଗଳପୁର ପୋଲ, ମେମେର୍ଦା ପୋଲ ଉପ‌ରେ ପାଣି ଚାଲୁଛି। ହରିଚନ୍ଦନପୁର ବ୍ଲକର ଯାଉଁରିଆ, ରେମାଳ ପୋଲ ଉପରେ ପାଣି ପ୍ରବାହିତ ହୋଇ ସ୍ଥାନୀୟ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ କରି ଦେଇଛି। ବର୍ଷା ଲାଗି ରହିଥିବାରୁ ବିଚ୍ଛିନ୍ନାଞ୍ଚଳ ଏବଂ ତଳିଆ ଅଞ୍ଚଳରେ ଭୟଙ୍କର ପରିସ୍ଥିତି ସୃ‌ଷ୍ଟି ହୋଇଛି। କେତେକ ସ୍ଥାନରେ ଘର ଭୁଶୁଡ଼ି ପଡ଼ିଥିବା ବେଳେ ଅନେକଙ୍କୁ ବେଘର ହେବାକୁ ପଡ଼ିଛି।

ସମ୍ବନ୍ଧିତ ଖବର