ଜଳ ଯନ୍ତ୍ରଣା ସାଂଘାତିକ: ସୁବର୍ଣ୍ଣରେଖା ପାଣିରେ ଉବୁଟୁବୁ ବାଲେଶ୍ୱରର ୧୫୧ ଗାଁ

ବାଲେଶ୍ବର : ଉପରମୁଣ୍ଡରେ ବର୍ଷା ପ୍ରକୋପ ଥମିବା ପରେ ସୁବର୍ଣ୍ଣରେଖା‌ରେ ବଡ଼ଧରଣର ବନ୍ୟା ବିପତ୍ତି ଟଳିଯାଇଥିଲେ ମଧ୍ୟ ବାଲେଶ୍ବର ଜିଲ୍ଲାର ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ବର ବ୍ଳକରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ୪ଟି ବ୍ଳକ୍‌ ସହିତ ବାଲେଶ୍ବର ସଦର ଓ ରେମୁଣା ବ୍ଳକର ମୋଟ୍‌ ୧୫୧ ଗାଁ ପାଣିଘେରରେ ରହିଥିବା ସରକାରୀ ଭାବେ ଦର୍ଶାଯାଇଛି। ତେବେ ଏହାଠାରୁ ଅଧିକ ଗାଁ କ୍ଷତିଗ୍ରସ୍ତ ହୋଇଥିବା ବେସରକାରୀ ଭାବେ ଆକଳନ କରାଯାଇଛି।

ସୋମବାର ମଧ୍ୟାହ୍ନ ୧୨ଟା ବେଳକୁ ସୁବର୍ଣ୍ଣରେଖା ନଦୀରେ ସର୍ବାଧିକ ବନ୍ୟାଜଳ (ପିକ୍ ଫ୍ଲଡ୍‌) ଅତିକ୍ରମ କରିଥିଲା। ଏହାପରଠୁ ଜଳସ୍ତର ଧୀରେ ଧୀରେ କମିବାକୁ ଲାଗିଥିଲା। ଝାଡ଼ଖଣ୍ଡରେ ବର୍ଷା କମୁଥିବାରୁ ଗାଲୁଡ଼ିହି ଡ୍ୟାମ୍‌ର ୧୬ଟି ଗେଟ୍‌ ବନ୍ଦ କରିଦିଆଯାଇଛି। ସୁବର୍ଣ୍ଣରେଖାର ଉଦ୍‌ବୃତ୍ତ ଜଳରାଶି ଯୋଗୁଁ ତଳିଆ ଓ ନଦୀ ତଟବର୍ତ୍ତୀ ଅଞ୍ଚଳରେ ଆସନ୍ତା ୨ରୁ ୩ ଦିନ ଯାଏ ବନ୍ୟା ସ୍ଥିତି ଲାଗିରହିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଜଳକା ବନ୍ୟାପାଣିରେ ଭାସିଯାଇ ବସ୍ତା ଥାନା ପଳାସିଆ ଗ୍ରାମର ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବାବେଳେ ବାଲିଆପାଳ ବ୍ଲକ ବଡ଼ତାଳପଦା ଗାଁର ଜଣେ ମହିଳା ପ୍ରଖର ଜଳସ୍ରୋତରେ ଭାସିଯାଇଛନ୍ତି। ଏଥିସହିତ ବନ୍ୟାଜଳରେ ବହୁ ଘରଦ୍ବାର ଭାଙ୍ଗିଯିବା ସହ ଆସବାବପତ୍ର ଭାସିଯାଇଛି। ୪୦ ହଜାର ୧୨୪ ଜଣ ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇଛି। ଖାଦ୍ୟ ଓ ପିଇବା ପାଣି ଅଭାବରୁ ବନ୍ୟାଦୁର୍ଗତଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି।

ବନ୍ୟାଜଳରେ ଭାସିଗଲେ ନାବାଳକ ଓ ମହିଳା
୪ ବ୍ଲକ୍‌ରେ ବ୍ୟାପକ କ୍ଷତି, ୪୦ ହଜାର ଲୋକ ଉଦ୍ଧାର
ଖାଦ୍ୟ ଓ ପିଇବା ପାଣି ପାଇଁ ଲୋକେ ଡହଳବିକଳ

ରାଜଘାଟଠାରେ ସୁବର୍ଣ୍ଣରେଖାର ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ସୋମବାର ସନ୍ଧ୍ୟା ୭ଟା ସୁଦ୍ଧା ଏଠାରେ ଜଳସ୍ତର ୧୧.୩୦ ମିଟର ଉପରେ ପ୍ରବାହିତ ହେଉଥିଲା। ଏବେବି ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ତେବେ ୧୨ ମିଟର ଊର୍ଦ୍ଧ୍ବରେ ବନ୍ୟାଜଳ ପ୍ରବାହିତ ହେବ ବୋଲି ପୂର୍ବରୁ ଯାହା ଆକଳନ କରାଯାଉଥିଲା, ସେଥିରେ ବିରାମ୍ ଲାଗିଛି। ଫଳରେ ବଡ଼ଧରଣର ବନ୍ୟା ଆଶଙ୍କା ଟଳିଯାଇଛି। ବନ୍ୟାପ୍ରବଣ ଭୋଗରାଇ ବ୍ଲକରୁ ୮୩୧୨, ଜଳେଶ୍ବର ବ୍ଲକରୁ ୧୦୦୫୮, ବସ୍ତା ବ୍ଲକରୁ ୧୯୮୯, ବାଲିଆପାଳ ବ୍ଲକରୁ ୧୮୮୪୩, ବାଲେଶ୍ବର ସଦର ବ୍ଲକରୁ ୫୧୨ ଓ ରେମୁଣା ବ୍ଲକରୁ ୪୧୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ‌ଉଦ୍ଧାର ହୋଇଥିବା ଲୋକମାନଙ୍କୁ ଆଶ୍ରୟସ୍ଥଳୀ, ଉପରମହଲାରେ ଥିବା ସ୍କୁଲ ଘର ଓ ସରକାରୀ କୋଠା ଉପରକୁ ନିଆଯାଇଛି। ୪ଟି ବ୍ଲକ‌ର ମୋଟ୍‌ ୮୦ଟି ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ରଖାଯାଇଥିବା ବେଳେ ସେଠାରେ ଶୁଖିଲା ଓ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି। ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ପ୍ରତି ବ୍ଲକରେ ଜଣେ ଲେଖା ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ୩୦୭ଟି ରିଲିଫ୍‌ କ୍ୟାମ୍ପ କରାଯାଇଥିବା ବେଳେ ୧୧ଟି ଡାକ୍ତରୀ ଟିମ୍‌ ଓ ରାସ୍ତାଘାଟରୁ ଅବରୋଧ ହଟାଇବା ପା‌ଇଁ ୮୦ଟି ଟିମ୍‌ ଗଠନ କରାଯାଇଛି। ନଦୀବନ୍ଧ ସୁରକ୍ଷା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ରାତ୍ରିକାଳୀନ ପାଟ୍ରୋଲିଂ ଜାରି ରହିବା ସହ ପର୍ଯ୍ୟାପ୍ତ ପରିମାଣରେ ବାଲିବସ୍ତା ଓ ବହ୍ଲା ମହଜୁଦ୍ ରଖାଯାଇଛି। ଆଜି ପୂର୍ବାହ୍ନରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଦଳେଇ ବନ୍ୟାଞ୍ଚଳ ଗସ୍ତ କରି କ୍ଷୟକ୍ଷତି ଓ ମୁକା‌ବିଲା ଉପରେ ସମୀକ୍ଷା କରିଛନ୍ତି।

ବନ୍ୟାଞ୍ଚଳରେ ସରକାରୀ ଅଧିକାରୀମାନଙ୍କୁ ସହଯୋଗ କରିବା ଲାଗି ଆଜି ବିଭିନ୍ନ ରାଜନୈତିକ ଦଳ ଆଗେଇ ଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମିସନ୍‌ ଜିରୋ କାଜୁଆଲିଟିକୁ ସଫଳ କରିବା ଲାଗି ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଏକ ବୈଠକ ଡକାଯାଇ ବିପନ୍ନ ଲୋକଙ୍କ ନିକଟରେ ରିଲିଫ୍‌ ସାମଗ୍ରୀ ପହଞ୍ଚାଇବାକୁ ନିଷ୍ପତ୍ତି ହୋଇଛି। ଗତକାଲି ରାତିରେ ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବାଲେଶ୍ବରରେ ପହଞ୍ଚି ବନ୍ୟା ସମସ୍ୟା ଓ ରିଲିଫ୍‌ ବଣ୍ଟନ କାର୍ଯ୍ୟ ତଦାରଖ କରିଥିଲେ। ଆଜି ସକାଳେ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ, ଜିଲ୍ଲା ସହ ପର୍ଯ୍ୟବେକ୍ଷକ ସାରଦା ପ୍ରସାଦ ଜେନା, ରଞ୍ଜିତ ମହାପାତ୍ର, ଯୁବ ବିଜେଡି ରାଜ୍ୟ କାର୍ଯ୍ୟକ‌ାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ ପ୍ରମୁଖ ବସ୍ତା, ବାଲିଆପାଳ, ଭୋଗରାଇ, ଜଳେଶ୍ବର ବ୍ଲକ ପରିଦର୍ଶନ କରି କ୍ଷୟକ୍ଷତି ପରଖିଥିଲେ।

ସେହିପରି କଂଗ୍ରେସ ପକ୍ଷରୁ ଦଳର ଲୋକସଭା ନିର୍ବାଚନମଣ୍ଡଳୀ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତିନିଟି ଗାଡ଼ିରେ ପର୍ଯ୍ୟାପ୍ତ ପରିମାଣରେ ଶୁଖିଲା ଖାଦ୍ୟ, ମହମବତୀ, ଔଷଧ, ବିସ୍କୁଟ ଓ ପାନୀୟଜଳ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି। ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ବନ୍ୟା ପ୍ରଭାବିତ ୪ଟି ବ୍ଲକ ଗସ୍ତ କରିବା ସହ ଆଜି ବାଲିଆପାଳଠାରେ ଜିଲ୍ଲାପାଳ ଓ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଦଳେଇଙ୍କୁ ଭେଟି ଲୋକଙ୍କ ଦୁର୍ଦ୍ଦଶା ଓ ଚାଷ କ୍ଷୟକ୍ଷତି ସଂପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର