ବାଲେଶ୍ବର : ଜଳସ୍ତର କମିଛି, ବିପଦ ଟଳିନି

ବାଲେଶ୍ବର : ସୁବର୍ଣ୍ଣରେଖାରେ ଜଳସ୍ତର କମୁଥିଲେ ମଧ୍ୟ ବିପଦସଂକେତ ଉପରେ ପ୍ରବାହିତ ହେଉଛି। ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବାଲିଆପାଳ, ଭୋଗରାଇ ଓ ଜଳେଶ୍ବର ବ୍ଲକର ବିଭିନ୍ନ ତଳିଆ ଗାଁଗୁଡ଼ିକରେ ବନ୍ୟାଜଳ ପ୍ରବେଶ କରିଛି। ଫଳରେ, ତଳିଆ ଅଞ୍ଚଳ ଲୋକମାନଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି।

ଆଜି ସକାଳ ୮ଟାରେ ବନ୍ୟାଜଳ ବିପଦସଂକେତ ଟପି ୧୦.୯୬ ମିଟର ଉପରେ ପ୍ରବାହିତ ହେଉଥିଲା। ତେବେ, ଅପରାହ୍ନ ୫ଟା ପରେ ଧୀରେ ଧୀରେ ଖସିବାରେ ଲାଗିଛି। ଗାଲୁଡିହି ବ୍ୟାରେଜର ସମସ୍ତ ୧୭ଟି ଗେଟ୍ ଖୋଲାଯାଇଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ୮ହଜାର କ୍ୟୁମସେକ ପାଣି ସୁବର୍ଣ୍ଣରେଖାକୁ ଡ୍ୟାମରୁ ନିଷ୍କାସିତ ହେଉଥିବା ବେଳେ ଆଜି ତାହା ୩ହଜାର କ୍ୟୁମସେକକୁ ଖସିଛି। ତେଣୁ ଜଳପତ୍ତନ ଧୀରେଧୀରେ କମୁଛି। କିନ୍ତୁ ବିଭିନ୍ନ ନାଳ ଓ ଜୋର ଦେଇ ପାଣି ଗାଁରେ ପଶିଛି। ବାଲିଆପାଳ ବ୍ଲକର ୪୦ରୁ ଅଧିକ ଗାଁରେ ବନ୍ୟାଜଳ ପ୍ରବାହିତ ହେଉଛି। ୨୦ ହଜାରରୁ ଅଧିକ ଲୋକ ଜଳବନ୍ଦି ହୋଇଛନ୍ତି। ବିଭିନ୍ନ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଭୋଗରାଇ ବ୍ଲକର ୧୭ଟି ପଞ୍ଚାୟତର ୧୨୦ରୁ ଅଧିକ ଗାଁରେ ବନ୍ୟାଜଳ ପ୍ରବେଶ କରିଛି। ୧୦ରୁ ଅଧିକ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଉଦ୍ଧାର କାର୍ଯ୍ୟ ପାଇଁ ୬ ଟି ସ୍ପିଡ଼ ବୋଟ ସହ ୧୧ଟି ଦେଶୀ ଡଙ୍ଗା ମୁତୟନ କରାଯାଇଛି। ଜଳେଶ୍ବର ଅଞ୍ଚଳର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ବନ୍ୟାରେ ଜଳେଶ୍ୱର ବ୍ଲକ୍‌ର ୧୫ଟି ପଞ୍ଚାୟତର ୧୧୪ଟି ଗାଁ ବିଶେଷ ଭାବେ ପ୍ରଭାବିତ ହୋଇଛି। ସେପଟେ ପଶ୍ଚିମବଙ୍ଗର ଉଦବୃତ୍ତ ବର୍ଷାଜଳ ମଧ୍ୟ ଜଳେଶ୍ବର ବ୍ଲକରେ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି। ପ୍ରାୟ ସପ୍ତାହେ ହେବ ଶହଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇରହିଛି। ତେବେ ବୁଢ଼ାବଳଙ୍ଗ ସ୍ଥିତି ସୁଧୁରିଛି। ଯେଉଁ ଯେଉଁ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଥିଲା, ଆଜି ଛାଡ଼ିଯାଇଥିବା ଖବର ମିଳିଛି। ଜଳକା ଏବେ ବି ବିପଦସଂକେତ ଉପରେ ପ୍ରବାହିତ ହେଉଛି। କିନ୍ତୁ ସ୍ଥିତିରେ ସୁଧାର ଆସିଛି। ବିଭିନ୍ନ ଗାଁଗଣ୍ଡାରୁ ପାଣି ଛାଡ଼ିଛି। ତଥାପି ଶହଶହ ହେକ୍ଟର ଚାଷଜମି ପାଣିରେ ବୁଡ଼ି ରହିଛି।

ଭାସିଗଲେ ୩ ଯୁବକ, ଜଣେ ନିଖୋଜ
ସୋର/ବାଲିଆପାଳ/ଭଣ୍ଡାରିପୋଖରୀ : ବାଲେଶ୍ବରରେ ବନ୍ୟାରେ ଭାସିଯାଇ ୩ଜଣ ଯୁବକଙ୍କ ଜୀବନ ଯାଇଛି। ଆଉ ଜ‌ଣେ ନିଖୋଜ ଅଛନ୍ତି।

ମିଳିଥିବା ସୂଚନା ଅନୁସାରେ, ସୋର ବ୍ଲକ ମଧୁସୂଦନପୁର ପଞ୍ଚାୟତ ନହରପଦା ଆଦିବାସୀ ସାହିର ସ୍ବର୍ଗତ ମାଧ ସିଂଙ୍କ ପୁଅ କାହ୍ନୁ(୩୦) ଗତକାଲି ସକାଳେ ନଈକୁ ଶୌଚ ହେବାକୁ ଯାଇ ଆଉ ଫେରିନଥିଲେ। ଆଜି ତାଙ୍କ ମୃତଦେହକୁ ବାଇନଣ୍ଡା ହାଇସ୍କୁଲ ନିକଟସ୍ଥ ନଈରୁ ଉଦ୍ଧାର କରାଯାଇଛି। ସେହିପରି ବାଲିଆପାଳ ବ୍ଲକ୍‌ ଅନ୍ତର୍ଗତ କୁଣ୍ତୁଳୀ ପଞ୍ଚାୟତ ନିମପଦା ଗ୍ରାମର ବିଜୟ ମଲ୍ଲିକ(୪୭) ମଧ୍ୟ ବନ୍ୟାରେ ଭାସିଯାଇ ପ୍ରାଣ ହରାଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ବିଜୟ ଗତକାଲି ରାତ୍ରିରେ ସ୍ଥାନୀୟ ଦାଣ୍ତିପଦା ଚଟାଣ ନିକଟକୁ ମାଛ ଧରିବାକୁ ଯାଇଥିବାବେଳେ ପାଣିସୁଅରେ ଭାସି ଯାଇଥିଲେ। ଆଜି ଅପରାହ୍ନରେ ଅଗ୍ନିଶମ ବାହିନୀ ବୁଡ଼ିଥିବା ସ୍ଥାନଠାରୁ କିଛିଦୂରରୁ ମୃତଦେହ ଉଦ୍ଧାର କରିଛନ୍ତି। ଭଣ୍ତାରିପୋଖରୀ ବ୍ଲକ ରହଣିଆ ଗ୍ରାମର ହରିହର ସାମଲ(୫୧) ରାସନ ସାମଗ୍ରୀ ପାଇଁ ଦୋକାନକୁ ଯାଇଥିବା ସମୟରେ ବନ୍ୟା ପାଣିରେ ଭାସିଯାଇଥିଲେ। ଭଣ୍ତାରିପୋଖରୀ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି କରିବା ପରେ ହରିହରଙ୍କ ମୃତଦେହ କିଛିଦୂରରୁ ଉଦ୍ଧାର କରିଥିଲେ। ସେହିଭଳି ଷୋଳମପୁର ପଞ୍ଚାୟତ ବରାହନୂଆପଡା(କୂଳସାହି) ଗ୍ରାମର ୧୮ବର୍ଷୀୟ ଯୁବକ ସନ୍ଦୀପ ବନ୍ୟାପାଣିରେ ନିଖୋଜ ହୋଇଯାଇଛନ୍ତି। ଅଗ୍ନିଶମବାହିନୀ ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ଖବର ମିଳିପାରିନାହିଁ।

ସମ୍ବନ୍ଧିତ ଖବର