୫ ଦିନ ପରେ ବି ବାଙ୍କୀର ୩୯ ଗାଁ ଜଳବନ୍ଦି: ପାନୀୟ ଜଳ ସମସ୍ୟା ଉତ୍କଟ, ମାଡ଼ି ଆସୁଛି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା

ସହଙ୍ଗାଗୋପାଳପୁର ଗ୍ରାମବାସୀ ପିଉଛନ୍ତି ମହାନଦୀ ପାଣି

କଟକ : କଟକ ଜିଲ୍ଲାର ବାଙ୍କୀ ଓ ଡମପଡା ବ୍ଲକ୍‌ର ୩୯ଟି ଗାଁ ୫ଦିନ ହେଲା ଜଳବନ୍ଦି। ଶୁଖୁଆଖଳା, ବିଲିପଡା, କଇଁମୁଣ୍ଡି, ଚାରିଘରିଆ, କରବର, ଓସ୍ତପୁର, ତେନ୍ତୁଳିଆ, ବିଲିପଦନପୁର, ବରଗାଁ ଭଳି ଅନେକ ଗାଁ ଏବଂ ବାଙ୍କୀ ଏନ୍‌ଏସିର ୪ଟି ୱାର୍ଡର ବାସିନ୍ଦା ଏବେ ପାଣିଘେରରେ। ଏବେ ବି ଗାଁ ଗୁଡିକରେ ୨ରୁ ୫ଫୁଟ ପାଣି ଲହଡି ଭାଙ୍ଗୁଛି। ଯେ ପର୍ଯ୍ୟନ୍ତ ମହାନଦୀର ମୁଣ୍ଡଳୀରେ ଜଳ ପ୍ରବାହ ୭ଲକ୍ଷ କ୍ୟୁସେକ୍‌କୁ ନ ଆସିଛି ସେ ପର୍ଯ୍ୟନ୍ତ ବାଙ୍କୀ ଓ ଡମପଡା ବ୍ଲକ୍‌ ତଳିଆ ଗାଁ ଓ ଚାଷ ଜମିରୁ ପାଣି ଖସିବା କଷ୍ଟ। ତିଗିରିଆର ଚଷାଆଁରା, କଣ୍ଠିପୁର, ରଘୁରାମପୁର, କଳିବିରିର ମୁଣ୍ଡିଆସାହି ଓ ବିଷ୍ଣୁପୁର ଗାଁରେ ବି ଅନୁରୂପ ସ୍ଥିତି। ୫ ଦିନ ହେଲା ପାଣି ନ ଛାଡ଼ିବା ଏବଂ ଏବେ ଗଲା ରାତିରୁ ତୁହାକୁ ତୁହା ବର୍ଷା ସମସ୍ୟାକୁ ବଢାଇ ଦେଇଛି। ବାଙ୍କୀରେ ଏବେ ବି ୬ଟି ଗାଁକୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ରହିଛି। ଭଟ୍ଟାରିକା ମନ୍ଦିର ଗର୍ଭ ଗୃହରେ ଏବେ ୨ଫୁଟର ପାଣି ରହିଛି। ୬ଦିନ ହେଲା ଠାକୁରାଣୀଙ୍କ ଚଳନ୍ତି ପ୍ରତିମା ଅସ୍ଥାୟୀ ପୂଜାସ୍ଥଳରେ ରହିଛନ୍ତି। ଏଭଳି ସ୍ଥିତିରେ ଏବେ ସବୁଠୁ ବଡ଼ ସମସ୍ୟା ପିଇବା ପାଣି ହୋଇଥିବା ବେଳେ ଅଞ୍ଚଳରେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାକୁ ଯାଉଛି।

କରବର ଗାଁର ସୌଦାମିନୀ ନନ୍ଦଙ୍କ କହିବା ଅନୁଯାୟୀ ସେମାନେ ୫ଦିନ ହେଲା ଅର୍ଥାତ୍‌ ସୋମବାର ରାତି ୧୦ଟାରୁ ପାଣି ଘେରରେ ଅଛନ୍ତି। ଏବେ ବି ଘରର ଝରକା ପର୍ଯ୍ୟନ୍ତ ପାଣି ରହିଛି। ଘରର ଛାତ ଉପରେ ସେମାନେ ଆଶ୍ରୟ ନେଇଛନ୍ତି। ହେଲେ ଗତରାତିରୁ ତୁହାକୁ ତୁହା ବର୍ଷା ସେମାନଙ୍କ ସମସ୍ୟା ବଢାଇ ଦେଇଛି। ଗାଈ, ଗୋରୁଙ୍କୁ ଗାଁର ସବୁ ଲୋକ ଖୋଲା ଛାଡି ଦେଇଛନ୍ତି। ସେମାନଙ୍କୁ ଖାଦ୍ୟ ମିଳୁନି।

ଅନ୍ୟପଟେ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଦିଆଯାଉଛି। ହାଲୋଜେନ ବଟିକା ଓ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଦିଆଯାଉଛି ବୋଲି କୁହାଯାଉଥିଲେ ବି ଅନେକ ଗାଁରେ ତାହା ପହଞ୍ଚିପାରୁନି। ବାଙ୍କୀର ରତାଗଡ ପଂଚାୟତ ସହଙ୍ଗାଗୋପାଳପୁର ଗ୍ରାମବାସୀ ମହାନଦୀର ଉଛୁଳା ପାଣିକୁ ସଂଗ୍ରହ କରି ତାକୁ ଫୁଟାଇ ପିଉଛନ୍ତି। ଆଜି କଟକ ସାଂସଦ ଭର୍ତ୍ତୃହରି ମହତାବ, ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ, ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି ଆଠଗଡ଼ରେ ସ୍ଥିତି ସମୀକ୍ଷା କରିଛନ୍ତି। କିନ୍ତୁ ଆଗକୁ ଆହୁରି ଦିନେ ଦୁଇ ଦିନ ଯାଏ ପାଣି ଛାଡ଼ିବା ଆଶା କ୍ଷୀଣ ‌ଥିବାରୁ ସମସ୍ୟା ବଢିବାରେ ଲାଗିଛି।

ସମ୍ବନ୍ଧିତ ଖବର