ମହାନଦୀର ମହାରୂପ : ତଥାପି ଉପକୂଳରେ ବିପଦ ଟଳିନି

ମୁଣ୍ଡୁଳି ଦେଇ ଯାଉଛି ୧୦.୨୬ଲକ୍ଷ ଘନଫୁଟ
ଆଜି ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ରାଜ୍ୟରେ ହାରାହାରି ୭.୫% ଅଧିକ ବର୍ଷା

ଭୁବନେଶ୍ୱର : ୨୦ଟି ଜିଲ୍ଲାର ୧୧୦ ବ୍ଲକ୍‌, ୩୯୯୦ଟି ଗାଁ ଏବଂ ୨୧ଟି ପୌରାଞ୍ଚଳ କ୍ଷତିଗ୍ରସ୍ତ ହୋଇସାରିଲେଣି ଲଘୁଚାପ ଜନିତ ବର୍ଷା ଓ ବନ୍ୟାରେ। ହୀରାକୁଦର ଗେଟ୍‌କୁ ଚାପି ଧରି ସରକାର ବନ୍ୟାକୁ କାବୁ କରିବାକୁ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି। ନଦୀରେ ଜଳସ୍ତର ଗତକାଲି ଠାରୁ ବିଶେଷ ବଢିନାହିଁ, କମିନି ମଧ୍ୟ। ଆଜି ମୁଣ୍ଡୁଳି ଦେଇ ୧୦ଲକ୍ଷ ୨୬ ହଜାର ୨୧୮ ଘନଫୁଟ ପାଣି ସେକେଣ୍ଡ ପ୍ରତି ପ୍ରବାହିତ ହେଉଛି। ସେପଟେ ବନ୍ୟା ଗର୍ଭରେ ଥିବା ହଜାର ହଜାର ଜଳବସତିରେ ପାଣି ଗମ୍ଭୀର ସ୍ଥିତିରେ ରହିଛି। କେତେକ ନିର୍ଦିଷ୍ଟ ଅଞ୍ଚଳକୁ ଛାଡ଼ି ଦେଲେ ବନ୍ୟାଞ୍ଚଳରେ ବଢ଼ିଛି ପାଣି। ଆଗକୁ ପୂର୍ଣ୍ଣିମା କାରଣରୁ ସମୁଦ୍ର ଏବେ ଧୀରେ ଧୀରେ ପାଣି ଟାଣିବା କମାଇସାରିଲେଣି। ଏଣୁ ସମସ୍ତେ ଅପେକ୍ଷା କରିଛନ୍ତି ୨ ତାରିଖ ପୂର୍ଣ୍ଣିମାକୁ।

ଆଜି ନରାଜଠାରେ ବିପଦ ସଙ୍କେତଠାରୁ ଉପରେ ବନ୍ୟାଜଳ ରହିଛି। ସେଠାରେ ବିପଦ ସଙ୍କେତ ୨୬.୪୧ ମିଟର ଥିବାବେଳେ ରିପୋର୍ଟ ଲେଖା ହେବା ବେଳକୁ ଏହା ୨୬.୯୬ ମିଟର ରହିଛି। ସେହିଭଳି ଦେବୀ ନଦୀ ଆଳିପିଙ୍ଗଳ ଠାରେ ବିପଦ ସଙ୍କେତ ଠାରୁ ସାମାନ୍ୟ ତଳେ ପ୍ରବାହିତ ହେଉଛି, କୁଶଭଦ୍ରା ବି। ରାଜ୍ୟରେ ବନ୍ୟା ଆସିଥିବା ଅନ୍ୟ ସମସ୍ତ ନଦୀରେ ଜଳସ୍ତର ବିପଦ ସଙ୍କେତ ତଳକୁ ଖସିଗଲାଣି, ଯଦିଓ ତଳମୁଣ୍ଡରେ ପାଣି ଗାଁ ଗଣ୍ଡାରେ ଜମି ରହିଛି। ହୀରାକୁଦରେ ଏବେ ୩୨ଟି ଗେଟ୍ ଖୋଲାଥିବା ବେଳେ ଖଇରମାଳ ଠାରେ ସେକେଣ୍ଡ ପ୍ରତି ୯ଲକ୍ଷ ୯୦ ହଜାର ଘନଫୁଟ ଓ ବରମୂଳ ଠାରେ ୮ଲକ୍ଷ ୬୨ ହଜାର ୫୦୦ ଘନଫୁଟ ରହିଛି। ଆଜି ସକାଳେ ୪୦ଟି ଗେଟ୍ ଖୋଲାଥିଲା। ୧୨ ଘଣ୍ଟା ମଧ୍ୟରେ ହୀରାକୁଦ କର୍ତ୍ତୃପକ୍ଷ ୮ଟି ଗେଟ୍ ବନ୍ଦ କରିଛନ୍ତି।

Onmanorama

ସେପଟେ ଆସନ୍ତାକାଲି ରାଜ୍ୟର ୮ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏନେଇ ପା‌ଣିପାଗ ବିଭାଗ ସୂଚନା ଦେଇଥିବା ବେଳେ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେ‌ତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ସତର୍କ ରହିବାରୁ ୧ରୁ ୩ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଆସନ୍ତାକାଲି ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ ମାଲକାନାଗିରିର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏଥିସହ ଉପକୂଳ ଓଡ଼ିଶା ସମେତ ବଲାଙ୍ଗୀର, ସୋନପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜର ‌କେତେକ ସ୍ଥାନରେ ମଧ୍ୟ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨ ତାରିଖ ଦିନ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷିବାର ସମ୍ଭାବନା ରହିଥିବା ବେଳେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ସୁନ୍ଦରଗଡ଼, ଦେଓଗଡ଼, ସମ୍ବଲପୁର ଓ ବଲାଙ୍ଗୀରରେ ପ୍ରବଳ ବର୍ଷା ହେବ। ୩ ତାରିଖ ଦିନ ମଧ୍ୟ ବରଗଡ଼, ନୂଆପଡ଼ା, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଣୁ ଏହି ଦୁଇ ଦିନ ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ସୋନପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ଆସନ୍ତାକାଲି ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ଏହା ୨ ତାରିଖ ଦିନ ଉତ୍ତର ଓଡ଼ିଶା-ଝାଡ଼ଖଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି କରିବ। ଏହାର ପ୍ରଭାବରେ ଆଜି ସଂଧ୍ୟାରୁ ରାଜ୍ୟରେ ପାଗ ପରିବର୍ତ୍ତନ ହୋଇଯିବ। ବୁଧବାର ଓ ଗୁରୁବାର ଦକ୍ଷିଣ ଉପକୂଳ ଜିଲ୍ଲା, ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ସ୍ବଳ୍ପ ବର୍ଷା ହୋଇପାରେ।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଅଗଷ୍ଟ ମାସରେ ରାଜ୍ୟରେ ହାରାହାରି ବୃଷ୍ଟିପାତର ପରିମାଣ ୫୨୨.୯ ମିମି ହୋଇଥିବା ବେଳେ ଏହା ସ୍ବାଭାବିକ ବୃଷ୍ଟିପାତ (୩୫୬ମିମି) ଠାରୁ ୪୬.୯ ପ୍ରତିଶତ ଅଧିକ। ଏହି ମାସରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୧୦୭.୨% ଅଧିକ ଓ ଗଞ୍ଜାମରେ ସର୍ବନିମ୍ନ ୨୬% ବର୍ଷା ରେକର୍ଡ କରାଯାଇଛି।
ଏଥିସହିତ ଜୁନ୍ ୧ ତାରିଖ ଠାରୁ ଏବେ ସୁଦ୍ଧା ରାଜ୍ୟର ସାମଗ୍ରିକ ବୃଷ୍ଟିପାତ ୭.୫% ଅଧିକ ହୋଇଛି।

ସମ୍ବନ୍ଧିତ ଖବର