ବନ୍ୟା ଯୋଗୁଁ କଟକ ଜିଲ୍ଲାରେ ୪୬,୧୮୧ ଲୋକ ପ୍ରଭାବିତ

ଗଲାଣି ୨ଜୀବନ, ଆଠଗଡ଼ରେ ମାଛ ଧରିବାକୁ ଯାଇ ଯୁବକ ନିଖୋଜ
୧୦୨୧ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଥଇଥାନ

କଟକ : ନରାଜଠାରେ ୧୦ଲକ୍ଷ କ୍ୟୁସେକ୍‌ ଉପରେ ବନ୍ୟାଜଳ ପ୍ରବାହିତ ହେବା ପରେ ଜିଲ୍ଲାର ୮ଟି ବ୍ଲକ୍‌ରେ ସ୍ଥିତି ଗମ୍ଭୀର ହୋଇଛି। ବିଶେଷକରି, ବାଙ୍କୀ, ଡ଼ମପଡା, ତିଗିରିଆ, ନିଶ୍ଚିନ୍ତକୋଇଲି, ମାହାଙ୍ଗା, ନରସିଂହପୁର ଓ କଟକ ସଦର ବ୍ଲକ୍‌ର ପାଖାପାଖି ୬୯ରୁ ଅଧିକ ଗାଁ ଓ ୪୬,୧୮୧ଜଣ ଜନସାଧା‌ରଣ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ୧୦୨୧ଲୋକଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ଅଣାଯିବା ସହ ଥଇଥାନ କରାଯାଇ ରିଲିଫ୍‌ ବଣ୍ଟନ କରାଯାଉଛି।

ମଧୁରଜଳ ଦ୍ରଦ ଅଂଶୁପାରେ ବନ୍ୟାଜଳ ପଶି ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ବାଙ୍କୀ ଏନ୍‌ଏସିର ୧୫, ୧୬ ଓ ୧୭ ନମ୍ବର ୱାର୍ଡ ସମେତ ଡାଙ୍ଗିପିଟା, ମନ୍ତ୍ରୀସାହିରେ ପାଣି ପଶିଥିବାରୁ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ସେହିପରି ଜିଲ୍ଲାର ୧୧ଟି ଗ୍ରାମ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବାଙ୍କୀ, ଡମପଡା ବ୍ଲକ୍‌ର ୨୧ଟି ଗାଁ ପ୍ରଭାବିତ ହୋଇଛି। ନରସିଂହପୁର ବ୍ଲକ୍‌ର ଜଳକେଳି ନିକଟରେ ରାସ୍ତା ଉପରେ ୩ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ନରସିଂହପୁର ଓ ନୟାଗଡ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ତାସହିତ ହୁଳୁହୁଳା ପୋଲ ଉପରେ ଋପୁଟର ବନ୍ୟାଜଳ ପ୍ରଭାବିତ ହେଉଥିବାବେଳେ ରତାଗଡ଼, ବାଉଁଶପୁଟ ଓ ବନ୍ଦାଳ ପ୍ରମୁଖ ତିନୋଟି ପଂଚାୟତ ପାଣି ଘେରରେ ରହିଛି। ଆନନ୍ଦପୁର ପୋଲ ଉପରେ ୩ଫୁଟର ବନ୍ୟାଜଳ ପ୍ରବାହିତ ହେବା ଦ୍ବାରା ୨ଟି ପଂଚାୟତ ପ୍ରଭାବିତ ହୋଇଛି। ଅନ୍ୟପଟେ ବନ୍ୟାସୁଅରେ ମହାଙ୍ଗା ବ୍ଲକ୍‌ରେ ଏରକଣା ଓ ସାହାପୁରରେ ୨ଜଣଙ୍କ ଜୀବନ ଯାଇଥିବାବେଳେ ଆଠଗଡ଼ରେ ମାଛ ଧରିବାକୁ ଯାଇ ବନ୍ୟାପାଣିରେ ଜଣେ ଭାସିଯାଇ ଯୁବକ ନିଖୋଜ ହୋଇଥିବା ଜଣାପଡିଛି। ସେହିଭଳି, ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅନ୍ତର୍ଗତ ମହମ୍ମଦପୁର ବିଲସାହି ଗ୍ରାମର ତାପସ କୁମାର ସାହୁ (୪୮) ଭାସିଯାଇ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ଶେଷ ଖବର ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନାହିଁ।

ଜଳଳମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଣ୍ଡଳୀରେ ପହଞ୍ଚି ଜଳ ନଷ୍କାସନ ସଂପର୍କରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅନ୍ୟପଟେ ଜଳସଂପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ମୁଣ୍ଡଳୀ, ନରାଜ ଓ ବିରୂପା, ଯୋବ୍ରାରେ ପହଞ୍ଚି ବରିଷ୍ଠ ଇଂଜିନିୟର, ବ୍ୟାରେଜ୍‌ ଡିଭିଜନ ଅଧିକାରୀଙ୍କ ସହିତ ସ୍ଥିତି ସଂପର୍କରେ ଅନୁଧ୍ୟାନ କରିଛନ୍ତି। ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ବାଙ୍କୀ, ଡମପଡା ବ୍ଲକ୍‌ ଗସ୍ତ କରି ବନ୍ୟାକ୍ଷତିଗସ୍ତ ‌ଅଂଚଳ ପରିଦର୍ଶନ କରିଛନ୍ତି। ସେହିପରି ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ନିଜ ନିର୍ବାଚନମଣ୍ଡଳୀର ପ୍ରଭାବିତ ଅଂଚଳ ଗସ୍ତ କରିଛନ୍ତି।

ସେହିପରି ପୁରୁଣା କଟକ-ସମ୍ବଲପୁର ରାସ୍ତାର ନିଧିପୁର ନଇଁମୁହଁଠାରେ ଆଜି ସକାଳୁ ରାସ୍ତାଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଉକ୍ତ ରାସ୍ତାଦେଇ ଆଠଗଡ଼, ଢେଙ୍କାନାଳ ଓ ଅନୁଗୁଳକୁ ଯାତାୟତ ବ୍ୟାହତ ହୋଇଛି। କଖଡ଼ି-ମୁଣ୍ଡଳୀ ରାସ୍ତାର ସର୍ପେଶ୍ବରଠାରେ ସାପୁଆ ସେତୁ ଉପରେ ୪ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଏହି ରାସ୍ତାରେ କଖଡ଼ି ପାର୍ଶ୍ୱରୁ ଆଠଗଡ଼, କଟକ ଓ ଭୁବନେଶ୍ୱରକୁ ଯାତାୟତ ବନ୍ଦ ରହିଛି। ସରକାରୀ ତଥ୍ୟ ଅନୁସାରେ ଜିଲ୍ଲାର ୮ଟି ବ୍ଲକ୍‌ ଅନ୍ତର୍ଗତ ୩୯ ପଞ୍ଚାୟତର ୬୯ଟି ଗାଁ ଓ ସିଏମ୍‌ସିର ୫୫ ଓ ୫୯ ନମ୍ବର ୱାର୍ଡ ପ୍ରଭାବିତ ହୋଇଥିବା ପ୍ରଶାସନର ତଥ୍ୟ କହୁଛି। ଜିଲ୍ଲାର ୪୬,୧୮୧ଜଣ ଜନସାଧାରଣ ବନ୍ୟାଦ୍ବାରା ପ୍ରଭାବିତ ହୋଇଥିବାବେଳେ ଜଳବନ୍ଦୀ ହୋଇ ରହିଛି ୧୧ଟି ଗାଁ। ସେହିପରି ବିଭିନ୍ନ ବ୍ଲକ୍‌ରୁ ୯୯୮ଜଣ ଓ ସିଏମ୍‌ସିରୁ ୨୩ଜଣଙ୍କୁ ସ୍ଥାନାନ୍ତରିତ କରାଯାଇ ବିଭିନ୍ନ ସ୍ଥାନରେ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ପ୍ରଭାବିତ ଅଂଚଳରେ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌, ଅଗ୍ନିଶମ ବିଭାଗ ସହ ୧୨ଟି ବୋଟ୍‌ ଯାତାୟତ ଓ ସ୍ଥାନାନ୍ତରଣ ପାଇଁ ଦିଆଯାଇଛି। ଏହାଦ୍ବାରା ୨୮୫୩ ଗାଈଗୋରୁ ପ୍ରଭାବିତ ହୋଇଥିବାବେଳେ ଜିଲ୍ଲାର ୭୦ ପ୍ରତିଶତ ଚା‌ଷ ଜମି ବନ୍ୟାପାଣିରେ ଉବୁଟୁବୁ ହେଉଛି।

ସମ୍ବନ୍ଧିତ ଖବର