ପୁରୀ/ଗୋପ : ଦୟା, ମକରା, କୁଶଭଦ୍ରା, ଧନୁଆର ବନ୍ୟାଜଳ ପୁରୀ ଜିଲ୍ଲାକୁ ବୁଡ଼ାଇବା ପରେ ଗାଁ ଗଣ୍ଡାରେ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ‌କଣାସ, ଗୋପ, ନିମାପଡ଼ା, ପିପିଲି, ଡେଲାଙ୍ଗ ଆଦି ବ୍ଲକ୍‌ର ୪ଶହରୁ ଅଧିକ ଗାଁ ଏବେ ବନ୍ୟାଜଳ ଭିତରେ। ନା ସେମାନଙ୍କ ପାଖରେ ରନ୍ଧା ଖାଦ୍ୟ ପହଞ୍ଚୁଛି, ନା ଅନ୍ୟ କୌଣସି ମୌଳିକ ସୁବିଧା। ୫ ଦିନ ହେଲାଣି ଘରେ ସଞ୍ଚିତ ଶୁଖିଲା ଖାଦ୍ୟ ଭୋକର ଜ୍ବାଳା ମେଣ୍ଟାଉଛି। ଭୋକଠାରୁ ଶୋଷର ଜ୍ବାଳା ଦ୍ବିଗୁଣିତ ହୋଇଯାଇଛି। ଗାଁ ଗଣ୍ଡା, କୂଅ, ଟ୍ୟୁବୱେଲ ସବୁକିଛି ଜଳମଗ୍ନ ଥିବାରୁ ଲୋକେ ପିଇବା ପାଣି ମୁନ୍ଦିଏ ପାଇଁ ଧନ୍ଦି ହେଉଛନ୍ତି। ସେପଟେ ଯେଉଁ କାଁ ଭାଁ ଗାଁରେ ଶୁଖିଲା ଖାଦ୍ୟ ବନ୍ୟା ପ୍ରପୀଡ଼ିତଙ୍କ ପାଖରେ ପହଞ୍ଚୁଛି, ତାହା ସମୁଦ୍ରକୁ ଶଙ୍ଖେ ଭଳି। ବିଦ୍ୟୁତ ବି ଠିକ୍‌ରେ ରହୁନଥିବାରୁ ଅନ୍ଧାରରେ ରାତି କାଟୁଛନ୍ତି।

Advertisment

publive-image

ଶନିବାର ଦିନ ‘ସମ୍ବାଦ’ ଟିମ ଗୋପ ଅଞ୍ଚଳର ବନ୍ୟାସ୍ଥିତି ପରଖିବା ବେଳେ ଦୁଃଖ ବଖାଣିଛନ୍ତି ବନ୍ୟା ପ୍ରପୀଡ଼ିତ। ଗୋପ ବ୍ଲକ୍‌ର ଅଣ୍ଢରା ଇଚ୍ଛାପୁର ଗୋଟିଏ ଉଦାହରଣ ମାତ୍ର। ଅଣ୍ଢରା ଇଚ୍ଛାପୁର ପଞ୍ଚାୟତ ସାନମଠ ଗାଁର ପୁଷ୍ପଲତା ବେହେରା କହିଛନ୍ତି, କୁଶଭଦ୍ରା ନଦୀରେ ଘାଇ ପରେ ୫ ଦିନ ହେଲାଣି ବନ୍ୟାପାଣିରେ ବୁଡ଼ି ରହିଛୁ। ସମସ୍ତଙ୍କ ଘରେ ପାଣି ପଶିଛି। କିନ୍ତୁ ନା ବିଧାୟକ ନା ସରପଞ୍ଚ, କୌଣସି ରାଜନେତା ବା ପ୍ରଶାସନିକ ଅଧିକାରୀଙ୍କ ଦେଖାଦର୍ଶନ ନାହିଁ। କିଛି ସ୍ବେଚ୍ଛାସେବୀ ଆସି ଚୁଡ଼ା ଗଣ୍ଡେ ଗଣ୍ଡେ ଦେଇଥିଲେ, ସେଥିରେ କ’ଣ ଭୋକ ମେଣ୍ଟିବ? ଘରେ ଚୁଲିରେ ପାଣି ପଶିଥିବାରୁ ରୋଷେଇ ବନ୍ଦ ହୋଇଯାଇଛି। ୫ ଦିନ ହେଲାଣି ରନ୍ଧା ଖାଦ୍ୟ ପାଟିକୁ ଯାଇନି। ପିଇବା ପାଣି ମିଳିବା ସ୍ବପ୍ନ। ପାଣି ପାଇଁ କଲବଲ ହେଉଛୁ। ଆମ ଗାଁରେ ପ୍ରାୟ ଦେଢ଼ଶହ ଲୋକେ ରହୁଛନ୍ତି। ସମସ୍ତଙ୍କ ସମାନ ଅବସ୍ଥା।

publive-image

ମାଧବଗାଡ଼ିଆ ଗାଁର ଯୋଗେନ୍ଦ୍ର କାଣ୍ଡିଙ୍କ ମାଟି ଘର ଏବେ ସମ୍ପୂର୍ଣ୍ଣ ବନ୍ୟା ପାଣିରେ ବୁଡ଼ି ରହିଛି। ପୂରା ପରିବାର ରାସ୍ତା ଉପରେ ଆଶ୍ରୟ ନେଇଛନ୍ତି। ଯୋଗେନ୍ଦ୍ର କହିଛନ୍ତି, ଘାଇ ଭାଙ୍ଗିବା ଫଳରେ ଘ‌ରଦ୍ବାରରେ ପାଣି ପଶିଛି। ଏଣୁ କେବଳ ମଣିଷ ନୁହଁନ୍ତି, ଗାଈଗୋରୁ ସମସ୍ତେ ଭୋକଉପାସରେ ପଡ଼ିଛନ୍ତି। ଯାହା ରିଲିଫ ଆକାରରେ ଦେଉଛନ୍ତି, ତାହା ପୂରା ପରିବାରକୁ ଅଣ୍ଟୁନି। ଗୋଟେ ପୁଡ଼ିଆରେ କେଜିଏ ଦେଢ଼କେଜି ଚୁଡ଼ା ରହୁଛି, ୫ ଟଙ୍କିଆ ବିସ୍କୁଟ ରହୁଛି। ଆମ ପରିବାର ସଂଖ୍ୟା ୧୫। ଏତିକିରେ କେମିତି ପୂରା ପରିବାରର ପେଟ ପୂରିବ? ଲାଇନ୍‌ ବାରମ୍ବାର କାଟୁଛନ୍ତି। ରାସ୍ତା ଉପରେ ସାପ ଆଦି ଭୟରେ ଅନ୍ଧାର ଭିତରେ ରାତି କାଟୁଛୁ। ବର୍ଷା ହେଲେ ଦୁର୍ଦ୍ଦଶା ବଢ଼ିଯାଉଛି। ପାଲ ‌ଖଣ୍ଡେ ମିଳିନି। ପିଲାଛୁଆଙ୍କୁ ବନ୍ଧୁ ଘରକୁ ପଠାଇ ଦେଇଛୁ। ପାଣି ଟୋପେ ପାଇଁ ଆଉଟୁପାଉଟୁ ହେଉଛୁ।ଟ୍ୟୁବୱେଲ ଥିଲା, ପାଣିରେ ବୁଡ଼ିଗଲା। ବନ୍ୟା ଜଳର ଗୋଳିଆ ପାଣି ଫୁଟାଇ ପିଉଛୁ। ନଚେତ୍‌ ଶୋଷରେ ଶୋଉଛୁ। ମାଧବଗାଡ଼ିଆରେ ଦେଢ଼ଶହ ଲୋକ। କାହା ଘରେ ରୋଷେଇବାସ ହେଉନି। ସମସ୍ତଙ୍କ ଘରେ ପାଣି ପଶିଛି ବୋଲି ଯୋଗେନ୍ଦ୍ର କହିଛନ୍ତି। ସେହିଭଳି ନିମାପଡ଼ା, ଡେଲାଙ୍ଗ, ପିପିଲି ବ୍ଲକ୍‌ର ବିଭିନ୍ନ ଅଞ୍ଚଳ ବୁଡ଼ିବା ପରେ ସମାନ ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ।