ବନ୍ୟାରେ ଯାଜପୁର ଜିଲ୍ଲାର ୨୫ ଗାଁର ୨୦ ହଜାର ଲୋକ ପ୍ରଭାବିତ

ଦଶରଥପୁର :  ବୈତରଣୀର ଶାଖା କାଣୀ ନଦୀର ବ୍ରହ୍ମଚାରୀପାଟଣାଠାରେ ହୋଇଥିବା ଘାଇ ୧୫୦ ଫୁଟ ପର୍ଯ୍ୟନ୍ତ ଲମ୍ବିଗଲାଣି। ଏହି ଘାଇ ଦେଇ ବନ୍ୟାଜଳ ମାଡ଼ିଚାଲିଥିବାରୁ ଯାଜପୁର ଜିଲ୍ଲାର ୨୦ ହଜାରରୁ ଅଧିକ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି।

ଜିଲ୍ଲାର ଦଶରଥପୁର ବ୍ଲକ୍‌ ଅନ୍ତର୍ଗତ କଷପା ପଞ୍ଚାୟତର ବ୍ରହ୍ମଚାରୀପାଟଣା ଗାଁ ମୁଣ୍ଡରେ ସୋମବାର ଦିନ ପ୍ରାୟ ୩ଟା ସମୟରେ ୪୦ ଫୁଟର ଘାଇ ସୃଷ୍ଟି ହୋଇଥିଲା। ଗତକାଲି ଏହା ୧୦୦ ଫୁଟରେ ପହଞ୍ଚିଥିବାବେଳେ ଆଜି ଏହି ଘାଇର ଲମ୍ବ ବଢ଼ି ୧୫୦ ଫୁଟରେ ପହଞ୍ଚିଛି। ଏହି ଘାଇ ପାଇଁ ବ୍ଲକ୍‌ର ୧୧ଟି ପଞ୍ଚାୟତର ୨୫ଟି ଗାଁ ଜଳମଗ୍ନ ହୋଇ ରହିଛି। ବ୍ଲକ୍‌ର ମଲ୍ଲିକାପୁର, କଷପା, ଦୁଦୁରାଅନ୍ତା, କୟାଁ, କମାରଡିହି, ଖାନନଗର, ଶୁଶୁଆ, ଜୟନ୍ତରା, କଟିକଟା, ଦତ୍ତପୁର, ନିଜାମପୁର ଆଦି ଅଞ୍ଚଳରେ ବନ୍ୟାଜଳ ମାଡିଯାଇ ପ୍ରାୟ ୨୦ ହଜାରରୁ ଅଧିକ ଲୋକ ଜଳବନ୍ଦି ଅବସ୍ଥାରେ ରହିଛନ୍ତି । ଏହାଛଡା ମଙ୍ଗଳପୁର, ଥାଲକୁଡି, ବିରିପଟା, ପାଲଟପୁର, ଜାଫରପୁର ଆଦି ପଞ୍ଚାୟତର ଚାଷ ଜମିସବୁ ପାଣିରେ ବୁଡ଼ିଥିବାରୁ ଫସଲ ନଷ୍ଟ ହୋଇଛି। ଉପରମୁଣ୍ଡରେ ବର୍ଷା ନଥିବାରୁ ବୈତରଣୀ ଜଳସ୍ତର ହ୍ରାସ ପାଇଛି। ତଥାପି ପାଣି କମିବା ପାଇଁ ଚାରିରୁ ପାଞ୍ଚଦିନ ଲାଗିପାରେ ବୋଲି ଅନୁମାନ କରାଯାଉଛି।

ଏବେ ବି କଷପା ପଞ୍ଚାୟତ ଅନ୍ତର୍ଗତ ବ୍ରହ୍ମଚାରୀପାଟଣା, ନୂଆଶାସନ, କମାଳପୁର, ପଲ୍ଲାସାହି, ପଞ୍ଚପଡ଼ା ଆଦି ଗାଁ ମଝିରେ ୨ ଫୁଟ ଉଚ୍ଚରେ ବନ୍ୟା ପାଣି ପ୍ରବାହିତ ହେଉଛି। ଅଧିକାଂଶ ଲୋକଙ୍କ ଘରେ ପାଣି ପଶିଯାଇ ଥିବାରୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଲ୍ଲିକାପୁର-ପଲ୍ଲାସାହି ଆର୍‌ଡି ରାସ୍ତାର କାଣୀ ନଦୀ ପୋଲ ଉପରେ ଆଜି ବି ୨ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ସେହିପରି ଅହିୟାସ- କମାଳପୁର ଆରଡି ରାସ୍ତା, ବୈଷପାନ- ଅର୍ଦ୍ଧାଉଳିଆ ଆରଏଣ୍ଡବି ରାସ୍ତା, ମଲ୍ଲିକାପୁର-ଆଖୁଆସାହି ଆରଡି ରାସ୍ତା ଉପରେ ୩ଫୁଟ ରୁ ୪ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। କୟାଁ ପଞ୍ଚାୟତ ଅନ୍ତର୍ଗତ ଧରମପୁର, ଲକ୍ଷ୍ମୀପୁର, ମାଧପୁର, ଗୁଣ୍ଠୁଣିପଡ଼ା, ବଳରାମପୁର, ଇଚ୍ଛାପୁର ଆଦି ଗାଁରେ ପାଣି ପଶିଯାଇଛି।

ସମ୍ବନ୍ଧିତ ଖବର