କେନ୍ଦ୍ରାପଡ଼ାର ୧୦ ପଞ୍ଚାୟତ ଜଳବନ୍ଦୀ

ମାର୍ଶାଘାଇରେ ସର୍ବାଧିକ ବର୍ଷା; ଖରସ୍ରୋତା, କାଣୀ ନଦୀରେ ବନ୍ୟା
କଟକ-ସମ୍ବଲପୁର ପୁରୁଣା ରାସ୍ତାର ଘଣ୍ଟିଖାଲ ନିକଟରେ ଦୁଇ ଫୁଟ ପାଣି

କଟକ : କଟକର ବାଙ୍କୀ, ବଡ଼ମ୍ବା ସମେତ ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, କେନ୍ଦ୍ରାପଡା ଓ ଜଗତସିଂହପୁରରୁ ଅଧିକାଂଶ ଅଞ୍ଚଳରେ ଲଗାଣ ବର୍ଷା ବନ୍ୟା ସ୍ଥିତି ସୃଷ୍ଟି କରିଛି। କଟକ, କେନ୍ଦ୍ରାପଡା, ଜଗତସିଂହପୁର ଅଞ୍ଚଳରେ ମହାନଦୀ ଓ ତାହାର ଶାଖା ନଦୀରେ ଆସୁଥିବା ବନ୍ୟା ଜଳ କ୍ଷୟକ୍ଷତି କରୁଥିଲେ ବି ଏଯାଏ ସେଭଳି ପରିସ୍ଥିତି ସୃଷ୍ଟି ହୋଇନି। କିନ୍ତୁ ଲଗାଣ ବର୍ଷା ଯୋଗୁଁ ତିନିଟିଯାକ ଜିଲ୍ଲାର ତଳିଆ ଅଞ୍ଚଳର ଜଳମଗ୍ନ ହେବା ସହିତ ହଜାର ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡି ରହିଛି। ଧାନ ଓ ପନିପରିବା ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି।

କଟକରେ ବୁଧବାର ସକାଳ ସାଢେ ୮ଟା ସୁଦ୍ଧା ଗଲା ୨୪ ଘଣ୍ଟା ମଧ୍ୟରେ ହାରାହାରି ୧୦୧.୯ ମିଲିମିଟର ଭାବେ ମୋଟ ୧୩୨୫.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସବୁଠୁ ଅଧିକ ବର୍ଷା ନିଶ୍ଚିନ୍ତକୋଇଲି, ନିଆଳି, କଣ୍ଟାପଡା, ବାଙ୍କୀ-ଡମପଡା ଓ ସାଲେପୁର ଅଞ୍ଚଳରେ ରେକର୍ଡ କରାଯାଇଛି। ସେହିଭଳି ଜଗତସିଂହପୁର ଜିଲ୍ଲାରେ ଏହି ସମୟ ମଧ୍ୟରେ ୧୪୬.୫ ମିମି ହାରରେ ମୋଟ ୧୧୭୨.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାରେ କୁଜଙ୍ଗରେ ସର୍ବାଧିକ ୧୯୮ ମିମି ଓ ରଘୁନାଥପୁରରେ ୧୯୭ ମିମି ବର୍ଷା ରେକର୍ଡ କରାଯାଇଛି। ବାଲିକୁଦା, ‌ତିର୍ତ୍ତୋଲ, ଜଗତସିଂହପୁର ସଦରରେ ବି ଅଧିକ ବର୍ଷା ରେକର୍ଡ କରାଯାଇଛି। କେନ୍ଦ୍ରାପଡା ଜିଲ୍ଲାରେ ୧୬୮.୩ ମିମି ହାରରେ ମୋଟ ୧୫୧୫.୦ ମିମି ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାରେ ସବୁଠୁ ଅଧିକ ପରିମାଣର ୨୩୪ ମିମି ବର୍ଷା ମାର୍ଶାଘାଇରେ ରେକର୍ଡ କରାଯାଇଛି।

ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ୍ କଟରା ପଂଚାୟତ ଇଟାଙ୍ଗ କେନାଲ ବନ୍ଧରେ ଘାଇ ଯୋଗୁଁ ଗ୍ରାମବାସୀ ଜଳବନ୍ଦୀ ସ୍ଥିତିରେ ରହିଛନ୍ତି। ବନ୍ଦର ନଗରୀ ପାରାଦୀପରେ ତଳିଆ ଅଂଚଳରେ ରହୁଥିବା ଷଣ୍ଢକୁଦ, ବିଜୟଚନ୍ଦ୍ରପୁର, ଲକ୍‌ପଡ଼ା ଆଦି ବସ୍ତିରେ ଲୋକଙ୍କ ଘରେ ପାଣି ପଶିଛି। କେନ୍ଦ୍ରାପଡା ଜିଲ୍ଲାରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଡେରାବିଶ ବ୍ଳକ ରତାଦିଆ ଖଣ୍ତସାହି ପଂଚାୟତ ଅନ୍ତର୍ଗତ ଇଷାଣଦିଆ ଗ୍ରାମର ଜଣେ ବୃଦ୍ଧଙ୍କ ଉପରେ କାନ୍ଥ ପଡ଼ିବା ଫଳରେ ସେ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ହସପିଟାଲ୍ରେ ଭର୍ତ୍ତି ହୋଇଛନ୍ତି।

କେନ୍ଦ୍ରାପଡା ଜିଲ୍ଲାରେ ଖରସ୍ରୋତା, କାଣୀନଦୀର ବନ୍ୟା ସାଙ୍ଗକୁ ଚଳିତ ସପ୍ତାହର ଲଗାତର ଲଗାଣ ବର୍ଷା ଆଳି ବ୍ଲକରେ ବ୍ୟାପକ କ୍ଷତି କରିଛି। ବନ୍ୟା ଯୋଗୁଁ ଧୋୟାଞ୍ଚଳ ୧୦ ପଞ୍ଚାୟତର ଅନ୍ୟୁନ ୭୦ ହଜାର ଅଧିବାସୀ ଗତ ଏକ ସପ୍ତାହ ହେଲା ଜଳବନ୍ଦୀ ହୋଇ ରହିଛନ୍ତି। ଧୋୟାଞ୍ଚଳର ମୁଖ୍ୟ ଯୋଗାଯୋଗ ପଥ ମନପୁର-ଗୋବିନ୍ଦପୁର ରାସ୍ତାର ଡିମିରିପାଳ ମଠ ନିକଟ ରାସ୍ତା ଉପରେ ୫ ଫୁଟର ପାଣିସୁଅ ଚାଲିଛି। କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଗୌଡପାଟଣା ଗ୍ରାମ୍ୟରାସ୍ତାରେ ୪ ଫୁଟର ବର୍ଷାପାଣି ଜମି ରହିଛି। ଆଳିଭେଡା ସମେତ ଧୋୟାଞ୍ଚଳର ସବୁ ଚାଷଜମି ଉପରେ ୫ ଫୁଟର ବର୍ଷାପାଣି ୮ ଦିନ ହେଲା ବୁଡିରହିଛି।

କଟକ ଜିଲ୍ଲାର ଭଟ୍ଟାରିକା ମନ୍ଦିର ପାଦ ଦେଶକୁ ମହାନଦୀ ବନ୍ୟା ପାଣି ଛୁଇଁ ଥିବା ବେଳେ ଆଠଗଡ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଭାଇରଙ୍ଗ ଗଡା ଘଣ୍ଟିଖାଲରେ ୨ ଫୁଟ ପାଣି ଚାଲୁଛି। ଡମପଡା ବ୍ଲକ ବିଲିପଡା-ତାଳବସ୍ତ ରାସ୍ତାରେ ୨ ଫୁଟ ପାଣି ଚାଲିଥିବା ବେଳେ ତିଗିରିଆ ସୋମପଡା ବଡବିନ୍ଧାଣି ରାସ୍ତାରେ ବି ପାଣି ଚାଲିଛି। ନିଶ୍ଚିନ୍ତକୋଇଲି, ମାହାଙ୍ଗା, ସାଲେପୁର, ନିଆଳି ଅଞ୍ଚଳରେ ଚାଷ ଜମି ବୁଡି ରହିଛି।

ସମ୍ବନ୍ଧିତ ଖବର