କୁଜଙ୍ଗ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକରେ ଏବେ ରିଲିଫ ଯୋଗାଣକୁ ନେଇ ଅଭାବନୀୟ ପରିସ୍ଥିତ ସୃଷ୍ଟି ହୋଇଛି। ଆବଶ୍ୟକ ପରିମାଣର ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଉଛି ବୋଲି ପ୍ରଶାସନ ପକ୍ଷରୁ ଦାବି କରାଯାଉଛି। ବାସ୍ତବ ସ୍ଥିତି ହେଉଛି, ଡଙ୍ଗା ନଥିବାରୁ ଏହି ରିଲିଫ ସାମଗ୍ରୀ ଲୋକମାନଙ୍କ ନିକଟରେ ପହଞ୍ଚି ପାରୁ ନାହିଁ। ଏଭଳି ସମସ୍ୟା ଯୋଗୁଁ ଅନେକ ସ୍ଥାନରେ ଲୋକେ ୫ ଫୁଟ ପାଣିରେ ପଶି ରିଲିଫ ନେଉଥିବାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ସମସ୍ୟାକୁ ପ୍ରଶାସନ ସ୍ବୀକାର କରିଛି। ଘରୋଇ ଲୋକମାନଙ୍କର ଡଙ୍ଗା ଉପରେ ନିର୍ଭର କରାଯାଉଥିବା ବେଳେ ଏଭଳି ସମସ୍ୟା ହେଉଛି ବୋଲି ଅଧିକାରୀ କହୁଛନ୍ତି। କିନ୍ତୁ, ଏଥିରେ ପ୍ରଶାସନର ବନ୍ୟା ମୁକାବିଲା ପ୍ରସ୍ତୁତିର ଦୁର୍ବଳ ଦିଗ ଧରା ପଡ଼ିଯାଇଛି। ପୂର୍ବରୁ ବନ୍ୟା ସମୟରେ ପ୍ରଶାସନ ଘରୋଇ ଡଙ୍ଗା ଭଡାରେ ନେଇ ଡଙ୍ଗା ମାଲିକ ଏବଂ ଚାଳକ ମାନଙ୍କୁ ସେମାନଙ୍କର ପ୍ରାପ୍ୟ ଠିକ୍ଭାବେ ଦେଇ ନଥିବାରୁ ସେମାନେ ଏବେ ସହଯୋଗ କରୁ ନଥିବା ଜଣାପଡ଼ିଛି।
କୁଜଙ୍ଗ ବ୍ଳକ୍ର ୯ଟି ପଂଚାୟତର ୨୪ଟି ଗ୍ରାମ ଏହି ବନ୍ୟାରେ ପ୍ରଭାବିତ ହୋଇଛି। ବିଶେଷଭାବେ ଜିଲ୍ଲାନାସୀ ପଂଚାୟତର ଜିଲ୍ଲାନାସୀ, ଜୟଶଙ୍ଖପୁର, ତେନ୍ତୁଲିଆ ଖମାର, ସାହାରାଡିଆ, କୁଜଙ୍ଗ ପଂଚାୟତର ଭଣ୍ତୁଆ, ବଡ଼ବାଲିକଣୀ ସାଇଲୋ ପଂଚାୟତର ହରିପୁର, ତେରମାଣପୁର, କୋଂସାହୀ, ହଂସୁରା ପଂଚାୟତର ହଂସୁରା, ଅନଳିପାଟଣା, ଖୋସାଲପୁର, କାଠକୋଟ ପଂଚାୟତର କାଠକୋଟା ଗୋବର୍ଦ୍ଧନପୁର, ବାଣେସରା, ବହବାଲିକଣୀ ପଂଚାୟତର ବଡବାଲିକଣୀ, ସାନବାଲିକଣୀ, ସରଳୀ, ଚୌଧୁରୀକୁଦ, କାଳିକୁଦ ଆଦି ଗ୍ରାମ ସମ୍ପୂର୍ଣ୍ଣଭାବେ ପ୍ରଭାବିତ ହୋଇଛି। ସମସ୍ତ ପ୍ରଭାବିତ ଗ୍ରାମର ପ୍ରାୟ ୨୫ ହଜାରରୁ ଉର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଛନ୍ତି। କିନ୍ତୁ, ରିଲିଫ ସାମଗ୍ରୀ ବଣ୍ଟନ ପାଇଁ ଆଜି ସନ୍ଧ୍ୟା ସୁଦ୍ଧା କାଠକୋଟ ପଂଚାୟତକୁ ଡଙ୍ଗା ପ୍ରଦାନ କରାଯାଇ ନଥିବାବେଳେ ଅଞ୍ଚଳର ଦୁର୍ଦ୍ଦଶା ବର୍ଣ୍ଣନା କରି ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ଉପଜିଲ୍ଲାପାଳ ଧର୍ମାନନ୍ଦ ମଲିକ, ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ରଙ୍କ ନିକଟରେ ସ୍ଥାନୀୟ ସରପଂଚ ଭୋଭୋ ହୋଇ କାନ୍ଦିବା ଘଟଣା ଉଦବେଗ୍ ସୃଷ୍ଟି କରିଛି। ଏଯାଏ ଗୋ ଖାଦ୍ୟ ବ୍ୟବସ୍ଥା ବି ହୋଇପାରିନାହିଁ। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ସବୁ ସମସ୍ୟାର ସମାଧାନ ହୋଇ ଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଥିବା ବେଳେ ଅଞ୍ଚଳରେ କିନ୍ତୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/kujanga-1.jpg)