ବଢୁଛି ହୀରାକୁଦ ଜଳସ୍ତର, ଫୁଲୁଛି ମହାନଦୀ; ବଡ଼ ବନ୍ୟା ଆଶଙ୍କା

ହୀରାକୁଦ ଡ୍ୟାମ୍‌ରୁ ୨୬ଟି ଗେଟ୍‌ ଦେଇ ଜଳ ନିଷ୍କାସିତ, ଜଳସ୍ତର ବୃଦ୍ଧି ପାଉଥିବାରୁ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ ଜାରି

ସମ୍ବଲପୁର/ଭୁବନେଶ୍ବର: ୩ଦିନର ଲଘୁଚାପ ବର୍ଷା ଯୋଗୁ ମହାନଦୀରେ ବନ୍ୟା ଜଳ ଆସିଛି। ମହାନଦୀର ଶାଖା ନଦୀଗୁଡ଼ିକ ବି ଫୁଲିଛି। କେନ୍ଦ୍ରାପଡାରୁ ସମ୍ବଲପୁର ଜିଲ୍ଲା ପର୍ଯ୍ୟନ୍ତ ବିଭିନ୍ନ ନଦୀରେ ବନ୍ୟାଜଳ ଆସିବା ଫଳରେ ସ୍ଥିତି ସାଂଘାତିକ ହୋଇପଡ଼ିଛି। କେଉଁଠି ଗାଁ ଭିତରେ ପାଣି ପଶିଯାଇଛି ତ କେଉଁଠି ପାଣି ପୋଲ ଭସାଇ ନେଇଛି। ଆଉ କେଉଁଠି ପାଣି କମିନଥିବାରୁ ଲୋକେ ଦୁର୍ଦ୍ଦଶାଗ୍ରସ୍ତ ହୋଇପଡିଛନ୍ତି। ତେବେ ସୋମବାର ବର୍ଷା କମିଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ ପୂର୍ବାପେକ୍ଷା ଧୀରେ ଧୀରେ କମୁଛି। ହୀରାକୁଦ ଜଳଭଣ୍ଡାରର କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ସୋମବାର ରାତିରେ ମିଳିଥିବା ସୂଚନା ଅନୁସାରେ ଏବେ ୨୬ଟି ସ୍ଲୁଇସ୍‌ ଗେଟ ମାଧ୍ୟମରେ ଜଳ ନିଷ୍କାସନ ଜାରି ରହିଛି। ଅପରାହ୍ନ ୪ଟାରେ ଅସ୍ଥାୟୀ ଭାବେ ୮ଟି ଗେଟ୍‌କୁ ବନ୍ଦ କରି ଦିଆଯାଇଥିଲା। ଏହା ପୂର୍ବରୁ ଜଳଭଣ୍ଡାରରୁ ୩୪ଟି ଗେଟ୍‌ ମାଧ୍ୟମମରେ ଜଳ ନିଷ୍କାସିତ ହେଉଥିଲା। ତେବେ ମହାନଦୀର ତଳିଆ ଅଞ୍ଚଳବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। କିନ୍ତୁ ସଂକଟ ଟଳିନାହିଁ। ସୂଚନା ଅନୁସାରେ ଡ୍ୟାମର ବାମ ପାର୍ଶ୍ବରୁ ୧୮ଟି ଓ ଦକ୍ଷିଣ ପାର୍ଶ୍ବରୁ ୮ଟି ଗେଟ୍‌ ମାଧ୍ୟମରେ ଜଳ ନିଷ୍କାସନ ଜାରି ରହିଛି।

ଲୋକଙ୍କ ସହିତ କଥା ହେଉଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ

ମହାନଦୀରେ ବନ୍ୟାଜଳ ଆସିବା ଦ୍ବାରା ତଳିଆ ଅଞ୍ଚଳର ଲୋକଙ୍କ ପାଇଁ ଦୁର୍ଦ୍ଦଶା ବଢ଼ିଛି। ସମ୍ବଲପୁରରୁ ଏହି ଦୁର୍ଦ୍ଦଶା ଆରମ୍ଭ ହୋଇଛି। ହୀରାକୁଦ ଜଳଭଣ୍ଡାର ଜଳପୂର୍ଣ୍ଣ ହେବା ଯୋଗୁ ସମୁଦ୍ର ଭଳି ଦେଖାଯାଉଛି। ହୀରାକୁଦ ‌କଲୋନି ବ୍ୟତୀତ ବିନାଖଣ୍ଡି, ଧୋବିଯୋର, ଚାରଭାଟି, କୁଲିଥକାନି, ଗୋବିନ୍ଦତୋଲା, କମିସନର କଲୋନି, ଦଳେଇପଡ଼ା, ବଡ଼ବଜାର, ଚନ୍ଦନନଗର, ହାଉସିଂ ବୋର୍ଡ କଲୋନି, ଗୋପାଳମାଳ, ଦାନିପାଲି, ଏସ୍‌ଆରଆଇଟି କଲୋନି, ବାହାଲପଡ଼ା, ଭଦ୍ରା, ଖଣ୍ଡୁଆଳର ବିଭିନ୍ନ ତଳି ଅଞ୍ଚଳରେ ବନ୍ୟା ପାଣି ଲହଡ଼ି ଭାଙ୍ଗୁଛି। ଜିଲ୍ଲାପାଳ ଅନନ୍ୟା ଦାସ ବର୍ଷା ଓ ବନ୍ୟା ଜଳ ଭର୍ତ୍ତି ଥିବା ସ୍ଥାନକୁ ଯାଇ ଲୋକଙ୍କ ସହିତ କଥା ହୋଇଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖାଦେଇଛି। ସୋନପୁର-ସମ୍ବଲପୁର ରାସ୍ତାର ମାଳତିଯୋର ସେତୁ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ମହାନଦୀ ଫୁଲିଥିବାରୁ ବିଜେପୁର ସେତୁ ଉପରେ ୬ ଫୁଟ ଉଚ୍ଚରେ ବନ୍ୟାଜଳ ସୁଅ କାଟୁଥିବାରୁ ବୀରମହାରାଜପୁରରୁ ବିଜେପୁର ଦେଇ ସୋନପୁରକୁ ମଧ୍ୟ ଯେଗାଯୋଗ ବିଛିନ୍ନ ହୋଇଯାଇଛି। ବୀରମହାରାଜପୁର-ରେଢାଖୋଲ ରାସ୍ତାର ସୁବଳୟା ନୂଆଁପଡା, ଦୁରଦୁରା ଏବଂ ବଉରୀଯୋର ଆଗରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ବୀରମହାରାଜପୁରରୁ ରେଢାଖୋଲ, ଆଠମଲ୍ଲିକ ଏବଂ ବୌଦ୍ଧକୁ ଯୋଗାଯୋଗ ବିଛିନ୍ନ ରହିଛି। ସେପଟେ ଉଲୁଣ୍ଡା ଏସପତ୍ରାପାଲି ନିକଟରେ ଥିବା ସାଲେସିଂ ଯୋରର ବନ୍ୟାପାଣି ମହାନଦୀକୁ ଯାଇନପାରି ଲମତୁଲା ଗାଁକୁ ଜଳବନ୍ଦି କରିରଖିଛି। ଉଲୁଣ୍ଡା ବ୍ଲକର କେଉଟିପାଲି, ନିମ୍ନା, ଦଶରାଜପୁର, ତେଲେଣ୍ଡା, ମୁଣ୍ଡଘାଟ ଏବଂ ଆପଟନୂଆଁଗଡ ଗାଁ ମୁଣ୍ଡକୁ ପାଣି ଘେରିଲାଣି। ବୀରମହାରାଜପୁର ବ୍ଲକର ଖମ୍ବେଶ୍ବରୀପାଲି, ନୂଆଁପାଲି, ଦେଉଳୀ, କୁମୁରସିଂହା, ଫୁଲଚରା ଓ ନୂଆଁଗଡ ଜଳମଗ୍ନ ହୋଇଛି। 

ବୌଦ୍ଧରେ ମହାନଦୀର ବିପଦ ସଂକେତ ୮୭.୮୦ ମିଟର ରହିଛି। ଏଠାରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜଳସ୍ତର ୮୮.୭୯ ମିଟର ଥିଲା। ନବନିଯୁକ୍ତ ଜିଲ୍ଲାପାଳ ସତ୍ୟ ପ୍ରକାଶ ସାହୁ ବନ୍ୟା ପ୍ରଭାବିତ ଅଞ୍ଚଳକୁ ବୋଟରେ ଯାଇ ଲୋକଙ୍କ ସହିତ କଥା ହୋଇଛନ୍ତି। ଲୋକଙ୍କୁ ସତର୍କ କରାଇଛନ୍ତି। ଏଥି ସହିତ ତାଙ୍କ ନେତୃତ୍ବରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରଭାବିତ ଅଞ୍ଚଳରୁ କୋଡାସିଙ୍ଗାର ୧୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଜିଲ୍ଲା ମଧ୍ୟରେ ପ୍ରବାହିତ ମହାନଦୀ, ତେଲନଦୀ, ବାଘନଦୀ ଓ ସାଲୁଙ୍କି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ବୌଦ୍ଧ ସହରଠାରୁ ତଳକୁ ଥିବା ହରଭଙ୍ଗା ବ୍ଲକର ଅନେକ ପଞ୍ଚାୟତର ସ୍ଥିତି ଗମ୍ଭୀର ରହିଛି। ବୌଦ୍ଧ ଏନଏସିର ୧ ନଂ ଓ୍ବାର୍ଡ ଫେରିଘାଟ ଦେଇ ପାଣି ଆସି ଗାଈଗୋଠସାହି ଅଞ୍ଚଳକୁ ମାଡ଼ି ଯାଇଛି।  ବୌଦ୍ଧ ତହସିଲ ଅନ୍ତର୍ଗତ ଦହ୍ୟା, ଖୁଣ୍ଟବନ୍ଧ, ମୁର୍ଷୁଣ୍ଡି ଆଦି ପଞ୍ଚାୟତ ଅଞ୍ଚଳର କିଛି ଗ୍ରାମ ସହ ହରଭଙ୍ଗା ତହସିଲର ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ରହିଛି। ହରଭଙ୍ଗା ବ୍ଲକର ଖଣ୍ଡିଧଳପୁର, କୁସାସିଙ୍ଗା, କୁଡ଼ାସିଙ୍ଗା, ମାରଡ଼ା, ରାଉତପଡ଼ା, ପାଣିଘରା, ତେନ୍ତୁଳିପଦର, ସଦଲଗଣ୍ଡା, ଅତଲସରା ଓ ଝରାସାହି ଆଦି ଗ୍ରାମ ସଂପୂର୍ଣ୍ଣ ଭାବରେ ପାଣି ଘେରରେ ରହିଛି।

ନୟାଗଡ଼ ଜିଲ୍ଲା ଭାପୁରର କାଳିଗିରି ବ୍ରିଜ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହୋଇଛି। ଭାପୁର-କଳାପଥର ରାସ୍ତାର କାଳିଗିରି ବ୍ରିଜ ଉପରେ ବନ୍ୟାଜଳ ଯାଉଛି। ମହାନଦୀରେ ଜଳସ୍ତର ବଢିବାରୁ କାଳିଗିରି ବ୍ରିଜ ବୁଡ଼ିଛି। ଭାପୁରରୁ କଳାପଥର ଓ ବାଙ୍କୀର ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ବିପଦ ସଂକେତ ଉପରେ ମହାନଦୀର ଜଳ ପ୍ରବାହିତ ହେଉଛି। ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ୧୨ଟି ଗାଁର ଲୋକେ  ଜଳବନ୍ଦି ହୋଇଯାଇଛନ୍ତି। ବାଙ୍କୀ, ବେଦେଡେଶ୍ୱର, କଇଁମୁଣ୍ଡିକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି । କଇଁମୁଣ୍ଡିରେ ରାସ୍ତା ଉପରେ ୮ଫୁଟ ପାଣି ପ୍ରବାହିତ ହେଉଛି। କଟକ ଜିଲ୍ଲା ସଂଖାମେରୀ ପଟେଣି ସାହିରେ ୨୦ଫୁଟର ଘାଇ ହୋଇଥିବା ସୂଚନା ମିଳିଛି। ସେହିପରି ବଡମ୍ବାର ଐତିହାସିକ ଭଟ୍ଟାରିକା ମନ୍ଦିରର ଅଧିକାଂଶ ଅଂଚଳ ବୁଡ଼ି ଯାଇଛି। ରବିବାରଠାରୁ ମା’ଙ୍କୁ ଅସ୍ଥାୟୀ ସ୍ଥାନକୁ ସ୍ଥାନାନ୍ତରିତ କରି ପୂଜାର୍ଚ୍ଚନା କରାଯାଉଛି। ସେହିପରି ମହାନଦୀରେ ବନ୍ୟା ଜଳ ଆସିଥିବାରୁ କେନ୍ଦ୍ରାପଡାବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି।

ସୂଚନା ଅନୁସାରେ ଏବେ ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପିଛା ୮,୭୩,୩୨୬ କ୍ୟୁସେକ ଜଳ ପ୍ରବେଶ କରୁଛି। ଅପରପକ୍ଷେ ୪,୧୨,୯୩୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ସ୍ପିଲୱେରେ ୪,୧୨,୯୩୨ କ୍ୟୁସେକ, ପାୱାର ଚେନାଲ ମାଧ୍ୟମରେ ୩୭,୯୫୬, ଚାଷ ପାଇଁ ୨୪୨୧ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ବିଏମସି ପାଇଁ ୨୨୦୦ କ୍ୟୁସେକ, ଏସଏମସି ପାଇଁ ୨୦୦ କ୍ୟୁସେକ, ଏସ୍‌ବିପି ପାଇଁ ୨୧ ଓ ଶିଳ୍ପ ପାଇଁ ୨୫୨କ୍ୟୁସେକ ଜଳ ନିଷ୍କାସନ ଜାରି ରହିଛି।   

ହୀରାକୁଦ ଜଳ ଭଣ୍ଡାରର ଶନିବାର ପର୍ଯ୍ୟନ୍ତ ୩୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେବା ପରେ ବି ମହାନଦୀର ଜଳସ୍ତର ବଢୁଛି। ରାତି ସାଢ଼େ ୯ଟା ସୁଦ୍ଧା ଖଇରମାଳ ଦେଇ ୧୨ ଲକ୍ଷ ୬ ହଜାର କ୍ୟୁସେକ ଜଳ ନିଷ୍କାସିତ ହୋଇଥିବା ବେଳେ ପର୍ଥଲା ଦେଇ ୪ ଲକ୍ଷ ୨୯ ହଜାର ୩୨୭କ୍ୟୁସେକ ଜଳ ପ୍ରବାହିତ ହେଉଛି। ସେହିପରି କଟକ ମୁଣ୍ଡଳି ଦେଇ ମହାନଦୀରେ ୧୦ ଲକ୍ଷ ୭୩ ହଜାର ୨୯୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁରରେ ପାଇକା ନଦୀରେ ଘଳିଆ ପଡିଛି। ମହାନଦୀ ଚିତ୍ରୋତ୍ପଳା କେନାଲ ନଦୀ ବନ୍ଧରେ ପଶିଛି ପାଣି। ସ୍ଥାନୀୟ ଗ୍ରାମବାସୀ, ସରପଞ୍ଚ, ସମିତିସଭ୍ୟ ମିଶି ଘଳିଆ ମରାମତି କରୁଛନ୍ତି। ସେହିପରି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ଆରମ୍ଭ ହୋଇଛି। ମହାନଦୀରେ ଜଳସ୍ତର ବୃଦ୍ଧି କାରଣରୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ତିର୍ତ୍ତୋଲ ବ୍ଲକର ତଳିଆ ଅଞ୍ଚଳରୁ ପ୍ରାୟ ୪୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଲୋକଙ୍କୁ ୪ଟି ସ୍କୁଲରେ ରଖାଯାଇଥିବା ତିର୍ତ୍ତୋଲ ବିଡିଓ ସୂଚନା ଦେଇଛନ୍ତି। 

ସମ୍ବନ୍ଧିତ ଖବର