୪ବର୍ଷ ପରେ ମହାନଦୀରେ ବନ୍ୟା : ଭଟ୍ଟାରିକା ପୀଠ ବୁଡ଼ିଲା, ରୋଷ ଘରେ ପୂଜା ପାଇଲେ ଠାକୁରାଣୀ, ମୁଣ୍ଡଳିରେ ମଧ୍ୟାହ୍ନ ତୁଳନାରେ ରାତିରେ ଜଳସ୍ତର ହ୍ରାସ

କଟକ : ଦୀର୍ଘ ୪ବର୍ଷ ପରେ ମହାନଦୀରେ ଆସିଛି ବନ୍ୟାଜଳ। ଆଜି ମଧ୍ୟାହ୍ନରେ ଜଳସ୍ତର ବୃଦ୍ଧି ପାଇଥିବା ବେଳେ ରାତି ୯ଟା ବେଳକୁ ଜଳସ୍ତର କିଛି ପରିମାଣରେ ହ୍ରାସ ପାଇଛି। ମୁଣ୍ଡଳୀ ନିକଟରେ ମହାନଦୀର ବିପଦ ସଙ୍କେତ ୯୭.୨୫ ଫୁଟ୍‌ ରହିଛି। ସେଠାରେ ଆଜି ଦିନ ୧୨ଟା ବେଳକୁ ୯୧.୩୦ ଫୁଟ ଜଳସ୍ତର ରହିଥିବା ବେଳେ ରାତି ୯ଟା ବେଳକୁ ଏହା ୯୦.୯୦ ଫୁଟକୁ ହ୍ରାସ ପାଇଛି। ମଧ୍ୟାହ୍ନରେ ମୁଣ୍ଡଳୀରେ ୭ ଲକ୍ଷ ୩୦ ହଜାର ୮୭୭ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିବା ବେଳେ ରାତି ୯ଟା ବେଳକୁ ଏହା ୬ ଲକ୍ଷ ୯୦ ହଜାର କ୍ୟୁସେକକୁ ହ୍ରାସ ପାଇଛି।

ଏଭଳି ସ୍ଥିତିରେ କିନ୍ତୁ ହୀରାକୁଦ୍‌ ଗେଟ୍‌ ଖୋଲିବା ପୂର୍ବରୁ ବଡମ୍ବାର ପ୍ରସିଦ୍ଧ ଶକ୍ତିପୀଠ ଭଟ୍ଟାରିକା ମନ୍ଦିର ପାଣିରେ ବୁଡ଼ିଛି। ମା’ଙ୍କ ଚଳନ୍ତି ପ୍ରତିମାକୁ ମନ୍ଦିର ସନ୍ନିକଟ ରୋଷ ଘର ପାଖ ସର ଘରକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ବାଙ୍କିର ଦୁଇଟି ସ୍ଥାନରେ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ୯ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ବେଳକୁ ଭଟ୍ଟାରିକା ପୀଠ ଗର୍ଭଗୃହରେ ୩ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ଭଟ୍ଟାରିକା ମନ୍ଦିର ସମ୍ମୁଖ ଦେଇ ପ୍ରାୟ ୬୦ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିଲା। ବାଙ୍କୀ ଉପଖଣ୍ଡର ୭ଟି ପଞ୍ଚାୟତର ୯ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଶିମିଳିପୁର-ବିିଲିପଡା ଆରଡି ରାସ୍ତା, ବିଲିପଡା-ଓସ୍ତିଆ, ହୁଳୁହୁଳା ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହୋଇ ବାଉଁଶପୁଟ, ବନ୍ଦାଳ, ରତାଗଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।

ବାଙ୍କୀ ନିକଟରେ ମହାନଦୀର ବିପଦ ସଙ୍କେତ ୭.୮ମି. ଥିବାବେଳେ ଆଜି ସଂଧ୍ୟା ସୁଦ୍ଧା ଜଳସ୍ତର ୭ମି. ରହିଥିଲା। ହୀରାକୁଦ ଗେଟ୍‌ ଖୋଲିବା ପରେ ସ୍ଥିତି କ’ଣ ରହିବ ତାହାକୁ ନେଇ ସାଧାରଣରେ ଆତଙ୍କ ଏବଂ ଆକଳନ ଜାରି ରହିଛି। ବାଙ୍କି ଅଞ୍ଚଳର ଏକର ଏକର ଚାଷଜମି କିନ୍ତୁ ବନ୍ୟା ପାଣିରେ ଉବୁଟୁବୁ ହେଉଛି। ବାଙ୍କୀ-କଟକ ମୁଖ୍ୟ ରାସ୍ତାର କୁସପଙ୍ଗୀ ପଂଚାୟତକୁ ସଂଯୋଗ କରୁଥିବା ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହୋଇଛି। ଶିମିଳିପୁର ପଞ୍ଚାୟତଠାରୁ ତାଳବସ୍ତ ଗାଁକୁ ଯାଇଥିବା ରାସ୍ତା କଇଁଆନାଳ କଲଭର୍ଭ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବାଙ୍କୀର ଓସ୍ତିଆ ପଂଚାୟତ ହୁଳୁହୁଳା ପୋଲ ଓ ଆନନ୍ଦପୁର ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି।

ଅନ୍ୟପଟେ ମହାନଦୀର ଶାଖାନଦୀ ରଣନଦୀରେ ବନ୍ୟା ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସକାଳ ଅପେକ୍ଷା ସଂଧ୍ୟାରେ ପାଣି କିଛିଟା କମିଥିବାବେଳେ ହୀରାକୁଦ ଗେଟ୍‌ ଖୋଲିଲେ ବନ୍ୟାଆଶଙ୍କା ଥିବାରୁ ନଦୀକୂଳ ୩/୪ଟି ଗାଁ ଉପରେ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଥିବା ବାଙ୍କୀ ଉପଜିଲ୍ଲାପାଳ ଅରୁଣ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି। ସେହିପରି ଓସ୍ତିଆ, ଫୁଲବାଡି, ଘୋଡ଼ାବର, ବିଲିପଡା, ଶିମିଳିପୁର, ରତାଗଡ, ସାହାଙ୍ଗଗୋପାଳପୁର, ବାଉଁଶପୁଟ, ବନ୍ଦାଳ ଆଦି ଗାଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି।

ତିଗିରିଆ, ବଡମ୍ବା, ନରସିଂହପୁର ଅଂଚଳରେ ମଧ୍ୟରେ ମହାନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିଲେ ମଧ୍ୟ ଅନେକ ଚାଷ ଜମି ବୁଡିଯାଇଛି। ମହାବାତ୍ୟା ସମୟରେ ଗୋରାଡିଆ ନାଳରେ ଘାଇ ହୋଇଥିବାବେଳେ ସେହି ସ୍ଥାନକୁ ଗତକାଲିଠାରୁ ମରାମତି କରାଯାଉଛି। ଡିମିରିଆ, ଗୋବର୍ଦ୍ଧନପୁର ତଥା ବିଭିନ୍ନ ଅଂଚଳରେ ନଦୀ ବିଭିନ୍ନ ସ୍ଥାନରେ ବନ୍ଧ ପାଖାପାଖି ପାଣି ପ୍ରବାହିତ ହୋଇଥିବା ଦେଖିବାକୁ ମିଳିଛି। ବଡମ୍ବା ବ୍ଲକ୍‌ର ବାଙ୍ଗିରିସିଂହା ଗ୍ରାମକୁ ପାଣି ପଶିନଥିଲେ ମଧ୍ୟ ଗାଁ ଚାରିପାଖ ପାଣି ଘେରରେ ରହିଛି। ମହାନଦୀର ବନ୍ୟାଜଳ ନରସିଂହପୁର ବ୍ଲକ୍‌ର ନୂଆପାଟଣା, ରେଗଡା, ରାଣୀଭୂଇଁ , କମଳାଡିହ, ବାଲିପୁଟ ଆଦି ୨୧ ପଂଚାୟତର ୬୮ଗାଁରେ ପଶିଛି। ନୂଆପାଟଣା ପାଖ କଲଭର୍ଟ ଭାଙ୍ଗିଯାଇଥିବାବେଳେ ରାଣୀଭୁଇଁ ପାଖ ରାସ୍ତା ଧୋଇହୋଇଯାଇଥିବା ନରସିଂହପୁର ବିଡିଓ ପ୍ରଶାନ୍ତ କୁମାର ତରାଇ ସୂଚନା ଦେଇଛନ୍ତି। ପ୍ରଶାସନ ପକ୍ଷରୁ ସତର୍କତାର ସହ ପରିସ୍ଥିତି ଉପରେ ନିୟନ୍ତ୍ରଣ ରଖାଯାଇଥିବା ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର ସୂଚନା ଦେଇଛନ୍ତି। ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ବାଙ୍କୀ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ବାଙ୍କୀର ପୂର୍ବତନ ବିଧାୟକ ଡକ୍ଟର ଦେବାଶିଷ ପଟ୍ଟନାଏକ ପ୍ରମୁଖ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥିତିର ସମୀକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର