ମହାରୂପରେ ମହାନଦୀ : ମାଡ଼ିଆସୁଛି ବନ୍ୟା

ଆଜି ପହଞ୍ଚିବ ୧୦.୫ ଲକ୍ଷ ଘନଫୁଟ୍‌ ବନ୍ୟାଜଳ

ହୀରାକୁଦ ଖୋଲିଲା ୪୬ ଗେଟ୍‍, ଜଳସ୍ତର ୬୨୭.୪୧
ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁରକୁ ବଡ଼ ବିପଦ
ବ୍ରାହ୍ମଣୀ ସ୍ଥିତି ବି ସଙ୍ଗିନ, ଆଉ ୨୪ ଘଣ୍ଟା ବିପଦ
୮ଲକ୍ଷ ଲୋକ ପ୍ରଭାବିତ ହେଲେଣି, ୧୬ ମୃତ

ଭୁବନେଶ୍ୱର : ମହାନଦୀ ଭୟାନକ ରୂପ ନେଇଛି। ପ୍ରଳୟ ସଦୃଶ ମାଡ଼ି ଆସୁଛି ବନ୍ୟା ଜଳ। ଆସନ୍ତାକାଲି ସକାଳ ଅର୍ଥାତ୍ ରବିବାର ପୂର୍ବାହ୍ନରେ ମୁଣ୍ଡୁଳିରେ ସର୍ବାଧିକ ବନ୍ୟା ଜଳ ପ୍ରବେଶ ପ୍ରକ୍ରିୟା ଆରମ୍ଭ ହେବ। ରାତି ସୁଦ୍ଧା ଏହି ଭୀଷଣ ବେଗରେ ମାଡ଼ି ଆସୁଥିବା ପାଣି କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଜିଲ୍ଲା ଭିତରେ ପଶିବ।

ମହାନଦୀର ସବୁ ଶାଖା ନଦୀ ଏବେ ଠାରୁ ଅସ୍ୱାଭାବିକ ଭାବେ ଫୁଲି ଉଠିଲେଣି। ୧୨ ରୁ ୧୮ ଘଣ୍ଟା ଭିତରେ ଏସବୁ ନଦୀ ଉଛୁଳି ତାଣ୍ଡବ ରଚାଇପାରନ୍ତି। ରାତି ୯ଟା ବେଳକୁ ମହାନଦୀ ନରାଜ ଠାରେ ବିପଦ ସଙ୍କେତ (୨୬.୪୧ମିଟର) ଉପରେ ଅର୍ଥାତ୍ ୨୬.୭୬ ମିଟରରେ ଜଳସ୍ତର ଥିବା ବେଳେ ଦେବୀ ଆଳିପିଙ୍ଗଳ ଠାରେ ବିପଦ ସଙ୍କେତ ଠାରୁ ଅଳ୍ପ ତଳେ ରହିଛି ଓ ବଢୁଛି। କୁଶଭଦ୍ରା ନିମାପ଼଼ଡାଠାରେ ବିପଦ ସଙ୍କେତ ତଳେ ଥିଲେ ମଧ୍ୟ ଦ୍ରୁତ ବଢିବାରେ ଲାଗିଛି। ଦୟା ଓ ଭାଗର୍ବୀ ମଧ୍ୟ ଟଳମଟଳ ହେଲେଣି।

ନଦୀର ଏଭଳି ଭୀଷଣ ରୂପ ଦେଖି ଉପକୂଳବର୍ତୀ ଅଞ୍ଚଳର ଲକ୍ଷ ଲକ୍ଷ ଲୋକ ଛାନିଆଁ ହୋଇ ଯାଇଛନ୍ତି। ଏବେ ଠାରୁ ମହାନଦୀ ସଂଲଗ୍ନ ଜିଲ୍ଲାମାନଙ୍କର ବିଭିନ୍ନ ଗ୍ରାମରେ ପାଣି ପଶି ସାରିଲାଣି। ରିପୋର୍ଟ ଲେଖା ହେବାବେଳକୁ ଦୟା ନଦୀ (ଦକ୍ଷିଣ ପାର୍ଶ୍ବ)ରେ କଣାସର ଗଡମାଟିଆପଡା ଠାରେ ଘାଇ ହୋଇସାରିଲାଣି। ହଜାର ହଜାର ଲୋକ ପାଣି ଘେରରେ ଅଛନ୍ତି।

ସେପେଟ ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ବୈତରଣୀ ଶାନ୍ତ ପଡିଛି। ବନ୍ୟା ଜଳ ବିପଦ ସଙ୍କେତ ତଳକୁ ଖସିଆସିଛି। ହେଲେ ବ୍ରାହ୍ମଣୀ, ବନ୍ୟା ସ୍ଥିତି ଏବେ ବି ସଙ୍ଗିନ୍ ରହିଛି।

ଆଉ ପାଖାପାଖି ୧୨ ଘଣ୍ଟା ଯାଜପୁର ଜିଲ୍ଲା ପ୍ରତି ଏହି ନଦୀର ବିପଦ ରହିବ। କେନ୍ଦ୍ରାପଡ଼ା ଜିଲ୍ଲା କ୍ଷେତ୍ରରେ ଏହି ସୀମା ୨୪ ଘଣ୍ଟା ବୋଲି ଆଜି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ କହିଛନ୍ତି।

ଜଳସମ୍ପଦ ବିଭାଗର ଆକଳନ ହେଲା, ଆସନ୍ତାକାଲି ସକାଳ ସୁଦ୍ଧା ମୁଣ୍ଡଳି ପାଖାପାଖି ୧୦ରୁ ସାଢ ଦଶ ଲକ୍ଷ ଘନଫୁଟ ପାଣି ପ୍ରତି ସେକେଣ୍ଡରେ ପ୍ରବାହିତ ହେବ।

ଶନିବାର ରାତି ୧୦ଟା ସୁଦ୍ଧା ଖଇରମାଳଠାରେ ମହାନଦୀରେ ପ୍ରତି ସେକେଣ୍ଡରେ ୧୦ ଲକ୍ଷ ୦୨ ହଜାର ଘନଫୁଟ୍‍ ପାଣି ହୁ ହୁ ହୋଇ ମାଡ଼ି ଚାଲିଥିଲା। ବରମୁଳଠାରେ ୮ଲକ୍ଷ ୯୭ହଜାର ୭୫୦ ଘନଫୁଟ୍‍ ପାଣି ପ୍ରବାହିତ ହେଉଥିଲା ବେଳେ ମୁଣ୍ଡଳି ବ୍ୟାରେଜ୍‍ ଦେଇ ୯ ଲକ୍ଷ ୫୬ ହଜାର ୬୦୮କ୍ୟୁସେକ୍‍ ଜଳ ଛୁଟିଥିଲା ଆଗକୁ। ତେଲ୍, ଅଙ୍ଗ୍ ସମେତ ବାଘ, ସାଲ୍‍କି, ମନଜୋର, ବୃତଙ୍ଗ ଆଦି ଛୋଟ ଛୋଟ ନଦୀରୁ ମଧ୍ୟ ବନ୍ୟା ଜଳ ମହାନଦୀ ରୂପକୁ ବିଶାଳକାୟ କରୁଛି। ଆସନ୍ତାକାଲି ସଂଧ୍ୟା ସୁଦ୍ଧା ମୁଣ୍ଡଳି ତଣ୍ଟିଯାଏ ବନ୍ୟା ଜଳ ଛୁଇଁବ।

ଅନ୍ୟପଟେ ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ପ୍ରଚଣ୍ଡ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାର ଭୟାନକ ଭାବେ ଫୁଲୁଛି। ଏମିତି ଡରାଉଛି ଯେମିତି ତୁରନ୍ତ ସ୍ଥିତି ନିୟନ୍ତ୍ରଣକୁ ନ ଆଣିଲେ, ନଦୀବନ୍ଧ ସର୍ବୋଚ୍ଚ ସୀମା ଟପିଯିବ। ଆଜି ରାତି ୧୦ଟା ସୁଦ୍ଧା ଜଳଭଣ୍ଡାରକୁ ସେକେଣ୍ଡ ପିଛା ୮ ଲକ୍ଷ ୭୭ହଜାର ୫୪୧ ଘନଫୁଟ ପାଣି ପଶୁଥିଲା। ବନ୍ୟା ଜଳ ଖଲାସ୍‍ କରିବାକୁ ୪୬ଟି ଗେଟ୍‍ ଖୋଲାଯାଇଥିଲା। ସେକେଣ୍ଡ ପିଛା ୭ ଲକ୍ଷ ୬୩ ହଜାର ୧୮୧ଘନଫୁଟ ପାଣି ନିଷ୍କାସନ ହେଉଥିଲା ମହାନଦୀକୁ। ଜଳସ୍ତର ସର୍ବୋଚ୍ଚ (୬୩୦ ଫୁଟ୍‍) ସ୍ତର ଠାରୁ ପାଖାପାଖି ଅଢେଇ ଫୁଟ୍‍ (୬୨୭.୪୭) ତଳେ ଥିଲା।

ଛତିଶଗଡ଼ରେ ବର୍ଷା ଓ ବ୍ୟାରେଜ ସ୍ଥିତି ଅସମ୍ଭାଳ ହେଉଥିବା ଲକ୍ଷ୍ୟ କରି ସଂପୃକ୍ତ ସରକାର ଅଧିକ ଗେଟ୍ ଖୋଲିବା ଲାଗି ଓଡ଼ିଶା ସରକାରଙ୍କ ଉପରେ ଗତକାଲି ମଧ୍ୟରାତ୍ରି ଠାରୁ ପ୍ରଚଣ୍ଡ ଚାପ ପକାଉଛନ୍ତି। ହେଲେ ତଳମୁଣ୍ଡରେ ସ୍ଥିତି ଆୟତ୍ତ ବାହାରକୁ ଚାଲିଯିବା ଆଶଙ୍କାରେ ଜଳସଂପଦ ବିଭାଗ ୪୬ ଗେଟ୍‌ ଭିତରେ ଏଯାଏ ସୀମିତ ରଖିଛନ୍ତି। ଅତି ଆବଶ୍ୟକ ହେଲେ ଆଉ ଦୁଇ ଚାରିଟି ଗେଟ୍ ଖୋଲାଯାଇପାରେ େବାଲି ହିସାବ କରାଯାଉଛି। ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧକାରୀଙ୍କ କହିବାନୁସାରେ, ଜଳସ୍ତର ସର୍ବାଧିକ ୬୨୮ ଫୁଟ୍‍ ପର୍ଯ୍ୟନ୍ତ ବଢ଼ିବାକୁ ଦିଆଯିବ, ଏହି ସ୍ତର ଡେଇଁଲେ ଅଧିକ ଗେଟ୍‍ ଖୋଲିବାକୁ ପଡ଼ିବ।

ଆଗକୁ ୨ ତାରିଖରେ ପୂର୍ଣ୍ଣିମା ଥିବାରୁ ସେପ୍ଟେମ୍ବର୧ ତାରିଖ ବେଳକୁ ସମୁଦ୍ର ଫୁଲିଯିବ। ଏଣୁ ଜଳ ନିଷ୍କାସନରେ ସମସ୍ୟା ହେବ। ଏହା ହିଁ କେନ୍ଦ୍ରାପଡା. ଜଗତସିଂହପୁର ଆଦି ଜିଲ୍ଲାର ସ୍ଥିତି ଗମ୍ଭୀର କରିପାରେ େବାଲି ଆଶଙ୍କା ପ୍ରକାଶ ପାଉଛି।

ଏସ୍ଆର୍‌ସି କହିଛନ୍ତି ଯେ ଯାଜପୁର ଜିଲ୍ଲାରେ ଏହି ବନ୍ୟାରେ ବ୍ରାହ୍ମଣୀ ଓ ବୈତରଣୀରେ ମୋଟ ୨୬ଟି ଘାଇ ହୋଇଛି। ଜିଲ୍ଲାର ୫୬୦ଟି ଗାଁର ଲୋକ ପ୍ରଭାବିତ ହୋଇଛନ୍ତି। ୫୦ ହଜାର ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ସେହିଭଳି କେନ୍ଦ୍ରାପଡା ଜିଲ୍ଲାରେ େଗାଟିଏ ଘାଇ ହୋଇଛି। ହେଲେ ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ସ୍ଥିତି ଗମ୍ଭୀର ରହିବ। ଭଦ୍ରକରେ ୬୯୦ଟି ଗାଁ ପ୍ରଭାବିତ ହୋଇଛି ଓ ୪ହଜାର ଲୋକଙ୍କୁ ଆଶ୍ରୟସ୍ଥଳକୁ ନିଆଯାଇଛି। ବୈତରଣୀ ବିପଦ ସଙ୍କେତ ତଳକୁ ଖସିଯାଇଛି, ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ବି। ବାଲେଶ୍ବର ଜିଲ୍ଲାରେ ମାତ୍ର ୧୦ଟି ଗାଁ ପାଣି ଘେରରେ ରହିଛି।

ପ୍ରାରମ୍ଭିକ ଆକଳନକୁ ବିଶ୍ବାସକୁ ନେଇ ଏସ୍‌ଆରସି କହିଛନ୍ତି ଯେ ଲଘୁଚାପ ଜନିତ ବର୍ଷା ଓ ବନ୍ୟାରେ ୮ଲକ୍ଷ ଲୋକ ଓ ୩ଲକ୍ଷରୁ ଅଧିକ ଗାଈଗୋରୁ ପ୍ରଭାବିତ ହୋଇଛନ୍ତି। ୩ଲକ୍ଷ ହେକ୍ଟରରୁ ଅଧିକ ଚାଷଜମି ଜଳମଗ୍ନ ରହିଛି। ୮ହଜାରରୁ ଅଧିକ କଚ୍ଚା ଘର ପୂରା ବା ଆଂଶିକ ଭାଙ୍ଗିଛି। ଏଯାଏ ବନ୍ୟାରେ ମୋଟ ୧୬ଜଣଙ୍କର ପ୍ରାଣ ଯାଇଥିବା ସରକାର ସ୍ବୀକାର କରିଛନ୍ତି।

ବନ୍ୟା ସ୍ଥିତିର ତଦାରଖ ପାଇଁ ୭ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଇଏଏସ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା, ଡି କେ ସିଂହଙ୍କୁ କଟକ, ରାଜସ୍ୱ ସଚିବ ବିଷ୍ଣୁ ପ୍ରସାଦ ସେଠୀଙ୍କୁ ଭଦ୍ରକ, ବିଶାଲ ଦେବଙ୍କୁ ବାଲେଶ୍ୱର, ବୀର ବିକ୍ରମ ଯାଦବଙ୍କୁ ଯାଜପୁର, ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଓ କେନ୍ଦ୍ରାଂଚଳ ଆରଡିସିଙ୍କୁ ପୁରୀ ଦାୟିତ୍ୱ ଦିଆଯାଇଛି । ଏହି ଅଧିକାରୀମାନଙ୍କୁ ତୁରନ୍ତ ସମ୍ପୃକ୍ତ ଜିଲ୍ଲା ଗସ୍ତ କରିବା ପାଇଁ କୁହାଯାଇଛି ।

ସମ୍ବନ୍ଧିତ ଖବର