ମାଲକାନଗିରିକୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି : କିଛିଦିନର ବ୍ୟବଧାନ ପରେ ମାଲକାନଗିରି ଜିଲ୍ଲାରେ ପୁଣି ବର୍ଷାର ବିତ୍ପାତ। ଦିନକର ବର୍ଷାରେ ପୁଣି ରାସ୍ତାଘାଟ ସବୁ ଜଳାର୍ଣ୍ଣବ ହୋଇଯାଇଛି। ଏପରିକି ଆଜି ଦୀର୍ଘ ସମୟ ଧରି ଜିଲ୍ଲା ମହକୁମାରୁ ବାଲିମେଳା ଏବଂ କାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଯଦିଓ ଜିଲ୍ଲାରେ ପ୍ରବଳ ବର୍ଷା ହୋଇ ନାହିଁ। ତଥାପି ଉପରମୁଣ୍ଡରେ ବର୍ଷା ହେବାରୁ ନଦୀ, ନାଳ ସବୁ ଫୁଲି ଯିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି।

ଗତକାଲି ରାତିରୁ ଜିଲ୍ଲାର ବହୁ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଥିଲା। ତେବେ ବର୍ଷାର ପ୍ରକୋପ ସେତେଟା ନଥିଲେ ମଧ୍ୟ ଆଜି ସକାଳୁ ହଠାତ୍ ବନ୍ୟାଜଳ ରାସ୍ତା ଉପରକୁ ଚାଲି ଆସିଥିଲା। ଯାହାଫଳରେ ୩୨୬ନଂ ଜାତୀୟ ରାଜପଥର ପୋଟେରୁ ଓ କାଂଗୁରୁକୋଣ୍ତା, ଏମଭି-୪୦ ପୋଲ ଉପରେ ୪ଫୁଟର ବନ୍ୟାଜଳ ପ୍ରବାହିତ ହୋଇଥିଲା। ଏଥିପାଇଁ ମାଲକାନଗିରିରୁ କାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପୋଟେରୁ ନଦୀ ଜଳପତ୍ତନ ବୃଦ୍ଧି ପାଇ ପୁଲିମେଟଲା ନର୍ସରି ମଧ୍ୟରେ ପ୍ରବେଶ କରି ନିକଟସ୍ଥ ରାସ୍ତାକୁ ବି ବୁଡ଼ାଇ ଦେଇଥିଲା। ଏଥିସହିତ କାଲିମେଳା ପଡ଼ିଆ ରାସ୍ତାର କନ୍ୟାଶ୍ରମ ନିକଟରେ ଥିବା ପୋଲ ଉପରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେବାରୁ କାଲିମେଳାରୁ ପଡ଼ିଆ ବ୍ଲକ୍‌କୁ ଯୋଗାଯୋଗ ବନ୍ଦ ରହିଥିଲା। ଉପରୋକ୍ତ ରାସ୍ତାରେ ଶହ ଶହ ଲୋକ ପାର ନହୋଇ ଅପେକ୍ଷା କରି ରହିଛନ୍ତି। ମାସକ ମଧ୍ୟରେ କାଲିମେଳାରେ ଏହା ହେଉଛି ୪ର୍ଥ ବନ୍ୟା ପରିସ୍ଥିତି।

ଆଜି ସଂଧ୍ୟାରେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା। ବାଲିମେଳା ରାସ୍ତାରେ ବି ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ଠପ୍ ହୋଇଯାଇଛି।

ସମ୍ବନ୍ଧିତ ଖବର