ବାରିପଦା : ଲଘୁଚାପଜନିତ ଲଗାଣ ବର୍ଷାରେ ବେହାଲ ମୟୂରଭଞ୍ଜ। ଗତକାଲି ସନ୍ଧ୍ୟା ୭ଟାରୁ ଆଜି ସକାଳ ୭ଟା ମଧ୍ୟରେ ଜିଲ୍ଲାର ୨୬ଟି ବ୍ଳକରେ ହାରାହାରି ବର୍ଷାର ପରିମାଣ ୧୨୫ ମିମି ଥିବା ବେଳେ ବାରିପଦାରେ ସର୍ବାଧିକ ୨୮୫ ମିମି ବର୍ଷା ହୋଇଛି। ଜିଲ୍ଲାର କପ୍ତିପଦା, ଶୁଳିଆପଦା, ସାରସକଣା, ବାଙ୍ଗିରପୋଷି, ବିଜାତଳା, କରଞ୍ଜିଆ, ଠାକୁରମୁଣ୍ଡା, ଶୁକୃଳି, ରରୁଆଁ ବ୍ଲକ୍ରେ ୧୦୦ ମିମିରୁ କମ୍ ବର୍ଷା ହୋଇଥିବାବେଳେ ଅବଶିଷ୍ଟ ବ୍ଲକ୍ଗୁଡ଼ିକରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି।
ଶିମିଳିପାଳ ଉପରମୁଣ୍ଡରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ଓ କତରା ନଦୀରେ ବନ୍ୟା ଆସି ବାଙ୍ଗିରିପୋଷି ବ୍ଲକ୍ର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ବାଙ୍ଗିରିପୋଷି ପଞ୍ଚାୟତ କାଳିଆମି ନିକଟରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ପୋଲକୁ ଛୁଇଁଛି। ମୋରଡ଼ା, ବାଙ୍ଗିରିପୋଷି, କରଞ୍ଜିଆ, ଯଶିପୁର, ବିଶୋଇ, କୁଳିଅଣା ବ୍ଲକ୍ର ୫ ଶହରୁ ଅଧିକ ମାଟିଘର ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି। ୩୨ ପଞ୍ଚାୟତର ୪୯ ଗାଁ ପ୍ରଭାବିତ ହୋଇଛି ଓ ଜିଲ୍ଲାର ହଜାର ହଜାର ଏକର ଚାଷଜମି ପାଣିରେ ବୁଡ଼ି ରହିଛି। ବାରିପଦା ସହର ତଳି ଅଞ୍ଚଳରେ ବୁଢ଼ାବଳଙ୍ଗର ବନ୍ୟାଜଳ ମାଡ଼ିଯାଇଛି। ଲୋକଙ୍କ ଘରେ ପାଣି ପଶିଥିବାବେଳେ ୨୦ରୁ ଅଧିକ ପରିବାରଙ୍କୁ ପ୍ରଶାସନ ପକ୍ଷରୁ ମଧୁବନସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି।